ଭୁବନେଶ୍ୱର,୦୫/୧୨: ଦେଶ ମଧ୍ୟରେ ଧାର୍ମିକ ପର୍ଯ୍ୟଟନ ଯୋଗୁ ଏବେ ଧାର୍ମିକ ସ୍ଥଳ ଗୁଡିକରେ ବାସଗୃହ ଚାହିଦାରେ ଦ୍ରୁତ ପରିବର୍ତ୍ତନ ହୋଇଛି । ରାଜ୍ୟର ପୁରୀରେ ଏହାର ପ୍ରତିଫଳନ ଦେଖାଯାଇଛି । ପୁରୀରେ ଏବେ ଲୋକମାନେ ଘର କିଣିବାକୁ ବିଶେଷ ଆଗ୍ରହ ଦେଖାଉଛନ୍ତି । ଫଳରେ ଏହା ରିୟଲ ଇଷ୍ଟେଟର ହଟ୍‌ସ୍ପଟ ପାଲଟିଛି । ଏଠାରେ ଘର ଚାହିଦା ସହ ପ୍ରପର୍ଟି ଦାମ  ମଧ୍ୟ ବଢ଼ୁଥିବା ମ୍ୟାଜିକ ବ୍ରିକ୍ସର ଏକ  ରିପୋର୍ଟରୁ ଜଣାପଡିଛି । 

ଏହି ରିପୋର୍ଟ ମୁତାବକ,  ପୁରୀରେ ଘର ଚାହିଦା ଏବେ ୫୨% ବୃଦ୍ଧି  ହୋଇଛି । ଏଠାରେ ବର୍ଗଫୁଟ ପିଛା ଦର  ୬୧୧୪ ଟଙ୍କା । ବର୍ଷକ ମଧ୍ୟରେ ଏହି ଦରରେ  ୩୦% ବୃଦ୍ଧି ପରିଲକ୍ଷିତ ହୋଇଛି । ଫଳରେ  ବାସଗୃହ ଚାହିଦା ବୃଦ୍ଧିରେ ପୁରୀ ଦ୍ୱିତୀୟ  ସ୍ଥାନରେ ରହିଛି । ଲୋକେ କେବଳ ରହିବା  ଲାଗି ଘର କିଣୁ ନାହାନ୍ତି । ଦୀର୍ଘକାଳୀନ  ନିବେଶ, ଭଡା, ହଲିଡେ ହୋମ, ସ୍ୱଳ୍ପକାଳୀନ  ରହଣୀ ଗୃହ ଭାବେ ବ୍ୟବହାର କରିବାକୁ  ଏଭଳି ଘର କିଣୁଛନ୍ତି ଲୋକେ । ବାସଗୃହ  କ୍ଷେତ୍ରରେ ନିବେଶ ଏକ ଆକର୍ଷଣୀୟ ବିକଳ୍ପ  ଭାବେ ଉଭା ହୋଇଛି । 

ଧାର୍ମିକ ପର୍ଯ୍ୟଟନ ଯୋଗୁ ରିୟଲ ଇଷ୍ଟେଟର ହଟସ୍ପଟ ପାଲଟିଥିବା ଅନ୍ୟ ସହର ଗୁଡିକ  ମଧ୍ୟରେ ଉତ୍ତର ପ୍ରଦେଶର ପ୍ରୟାଗରାଜ,  ବନାରସ ଏବଂ ମହାରାଷ୍ଟ୍ରର ସିରିଡି ରହିଛି ।  ପ୍ରୟାଗରାଜରେ ବାସଗୃହ ଚାହିଦା ୨୮%  ବଢ଼ିଛି । ବର୍ଗଫୁଟ ପିଛା ପ୍ରପର୍ଟି ମୂଲ୍ୟ  ୧୨୨% ବୃଦ୍ଧି ହୋଇ ୬୬୪୫ ଟଙ୍କା ରହିଛି ।  ସେହିଭଳି ବନାରସ ଏହା ୧୮% ବୃଦ୍ଧି ହୋଇ  ୬୧୨୮ ଟଙ୍କା ଏବଂ ସିରିଡିରେ ୬୭% ବୃଦ୍ଧି  ହୋଇ ୪୦୨୮ ଟଙ୍କା ରହିଥିବା ମ୍ୟାଜିକ ବ୍ରିକ୍ସ  ରିପୋର୍ଟରୁ ଜଣାପଡିଛି ।