ପୁରୀ ୨୨/୫: ପୁରୀ ରଥ ଯାତ୍ରା ପ୍ରାୟ ୫ହଜାର ବର୍ଷ ପ୍ରାଚୀନ । ବିଶିଷ୍ଟ ଲେଖକ ତଥା ଗବେଷକ ଆଶୁତୋଷ ପ୍ରସାଦ ପଟ୍ଟନାୟକ ତାଙ୍କ ପୁସ୍ତକ ‘ମହାଦେବତା’ରେ ଏହା ଉଲ୍ଲେଖ କରିଛନ୍ତି । ଲେଖକ ପଟ୍ଟନାୟକ ଏଥିରେ ଲେଖନ୍ତି ସୁମେରୀୟଙ୍କ ଠାରୁ ରଥଯାତ୍ରା ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି । ପ୍ରାୟ ଖ୍ରୀଷ୍ଟପୂର୍ବ ୩୦୦୦ ରୁ ୨୫୦୦ ଭିତରେ ବାଣିଜ୍ୟ ଉଦ୍ଦେଶ୍ୟରେ ସୁମେରୀୟମାନେ ଆସି ପୁର ନଗରୀ ଅଞ୍ଚଳରେ ବସବାସ କରିଥିଲେ । ପୁରୀ ସହର ନିକଟରେ ଉର ବୋଲି ଏକ ଗ୍ରାମ ରହିଛି । ସୁମେର ସଭ୍ୟତାର ଉର୍ ଏକ ପ୍ରସିଦ୍ଧ ସହର । ହୁଏତ୍ ଉର୍ ସହରର ଅଧିକ ବାସିନ୍ଦା ସେଠାରେ ବସବାସ କରିବାରେ ସେବେଠାରୁ ତାର ଉର ନାମ ଆଜି ପର୍ଯ୍ୟନ୍ତ ରହିଛି । କାଳକ୍ରମେ ସେମାନେ ଜିଗୁରତ ନିର୍ମାଣ କରି ତାଙ୍କ ଦେବତା ଚନ୍ଦ୍ର (ସାଙ୍କେତିକ ଭାବେ)ଙ୍କୁ ପୂଜା କରୁଥିବେ । ଯାହାକି ଆଜି ମଧ୍ୟ ମନ୍ଦିର ପତାକାରେ ଦୃଶ୍ୟମାନ । ଜହ୍ନିଓଷାରେ ଚନ୍ଦ୍ର ପୂଜା ଉପକୂଳବର୍ତ୍ତୀ ଅଞ୍ଚଳର ଏକ ବଡ଼ ପର୍ବ ।
ସୁମେରୀୟଙ୍କ ଚଳଣିରେ ରହିଛି ରାଜା ହିଁ ଦେବତାଙ୍କ ପ୍ରଥମ ସେବକ । ସେମାନଙ୍କ ମତରେ ପ୍ରଧାନ ଦେବତା ଜଣେ ସମ୍ରାଟ ଥିବେ । ତେଣୁ ସୁମେରୀୟମାନେ ଦେବତା ତଥା ସମ୍ରାଟଙ୍କ ସୁଖସୁବିଧାର ସମସ୍ତ ବ୍ୟବସ୍ଥା କରୁଥିଲେ । ଦେବତାଙ୍କ ବାର୍ଷିକ ପ୍ରଥାରେ ତାଙ୍କୁ ରଥରେ ବସାଇ ଯାତ୍ରା ହେଉଥିଲା । ରଥର ଆକାର ସାନ ଓ ଚକ ନିଦା ଥିଲା । ରଥର ନିଦା ଚକ ରହିଥିବା ପ୍ରମାଣ ରାଜ୍ୟ ମ୍ୟୁଜିୟମ୍ରେ ଥିବା ଧାନମଣ୍ଡଳ ମନ୍ଦିରର ଭଗ୍ନାବଶେଷରେ ଦେଖିବାକୁ ପାଉ । ତ୍ରୟୋଦଶ ଶତାଦ୍ଦୀ ପର୍ଯ୍ୟନ୍ତ ହୁଏତ ନିଦା ଚକ ରଥର ରହିଥିବ । ଆଜି ପର୍ଯ୍ୟନ୍ତ ନବକଳେବରରେ ମଧ୍ୟ ନିଦା ଚକ ଶଗଡ଼ିରେ ମହାପ୍ରଭୁଙ୍କ ଦାରୁ ଅଣାଯିବା ପରମ୍ପରା ଜାରି ରହିଛି ।
ଶ୍ରୀ ପଟ୍ଟନାୟକ ଲେଖିଛନ୍ତି, ରଥ ଯାତ୍ରାର ପୂର୍ବ ୧୫ ଦିନକୁ ଅଣସର କୁହାଯାଉଥିବା ସ୍ଥଳେ ଅଣସର (ଆନ୍. ସାର୍) ଶଦ୍ଦ ସୁମେରୀୟଙ୍କ ଭାଷା ମଧ୍ୟ କୁହାଯାଏ । ସୁମେରୀୟଙ୍କ ପରେ ଆସ୍ପିରୀୟମାନେ ମୁଖ୍ୟତଃ ସୂର୍ଯ୍ୟଦେବଙ୍କ ଉପାସନା କରିଥିବା କୁହାଯାଏ । ଶୁଦ୍ରସୁଆରମାନେ ସୁମେରୀୟ ଓ ଦୟିତାମାନେ ଆସ୍ପିରୀୟ ବଂଶଜ ଭାବେ ରଥ ଯାତ୍ରା ସମୟରେ ମହାପ୍ରଭୁଙ୍କ ସେବାର୍ଚ୍ଚନା କରିଆସୁଥିବା ସେ ଲେଖନ୍ତି । ସୁମେରୀୟମାନେ ରଥ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏଥିରେ ଆସ୍ପିରୀୟ, ମିଶରୀୟ ଓ ମାଇସେନୀୟଙ୍କ ପ୍ରଭାବ ପଡ଼ିଥିବା ଅନୁମାନ କରାଯାଉଥିବା ଉକ୍ତ ବହିରେ ଉଲ୍ଲେଖ କରିଛନ୍ତି ।