ପୁରୀ, ୦୪/୦୩: ଆସନ୍ତା ରଥଯାତ୍ରାରେ ଭକ୍ତଙ୍କ ଭିଡ଼ ବଢ଼ିବା  ଆଶଙ୍କା ରହିଛି । ଏଣୁ ଗତ ରଥଯାତ୍ରାରେ ଯେଉଁ ସବୁ ତ୍ରୁଟି ଯୋଗୁଁ ପ୍ରଶାସନ ସମାଲୋଚନାର ଶିକାର ହୋଇଥିଲା ତାକୁ ସୁଧାର । ସୋମବାର ସର୍କିଟ ହାଉସ୍‌ରେ  ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ  ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର  ସ୍ୱାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ  ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ  ଶ୍ରଦ୍ଧାଳୁଙ୍କୁ ରଥଯାତ୍ରା ସମୟରେ ସମନ୍ୱିତ  ସୁବିଧା ଓ ସୂଚନା ଦେବା ନିମନ୍ତେ ଏକ  ‘ଆପ୍‌’ ପ୍ରସ୍ତୁତ କରାଯିବା ସମ୍ପର୍କରେ ଆଲୋଚନା ହୋଇଛି । ଶ୍ରଦ୍ଧାଳୁମାନେ  ଯେପରି ଟ୍ରେନ୍‌, ବସ୍‌, ବାଇକ୍‌,  ଟ୍ୟାକ୍ସିରେ ନିର୍ଦ୍ଧାରିତ ମାର୍ଗରେ ଆସି  ପାର୍କିଂରେ ପହଞ୍ଚିବେ ଓ ସେଠାରେ ଗାଡ଼ି  ରଖିବା ପରେ ରଥଯାତ୍ରାରେ ସାମିଲ ହୋଇପାରିବେ ତାହାର ତତ୍କାଳ ସୂଚନା  ଏହି ‘ଆପ୍‌’ରେ ରହିବ । ପ୍ରାଶାସନିକ  ସମସ୍ତ ବିଭାଗ ବାବଦରେ ଏଥିରେ  ସୂଚନା ରହିବ । ଗୋଟିଏ କ୍ୟୁଆର୍‌  କୋଡ୍‌କୁ ସ୍କାନ୍‌ କରିଲେ ଯେପରି  ଶ୍ରଦ୍ଧାଳୁମାନେ ରଥଯାତ୍ରାର ଅପଡେଟ୍‌  ତଥ୍ୟ ପାଇପାରିବେ ତାହାକୁ ଲକ୍ଷ୍ୟରେ  ରଖି ପ୍ରଶାସନ ଏହି ‘ଆପ୍‌’ ପ୍ରସ୍ତୁତ  କରିବ । ସେହିପରି ଭିଡ଼ ନିମନ୍ତ୍ରଣ ଏବଂ  ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା  ନିମନ୍ତେ ‘ଏଆଇ’ କ୍ୟାମେରା ଲଗାଇବାକୁ  ପ୍ରାଶାସନିକ ଯୋଜନା ହୋଇଛି ।  

ପ୍ରୟାଗରାଜଠାରେ ମହାକୁମ୍ଭରେ  ଯେପରି କୋଟି କୋଟି ଲୋକଙ୍କ  ସମାଗମକୁସୁରକ୍ଷିତ ଓ ବ୍ୟବସ୍ଥିତ  କରାଯାଇ ପାରିଲା ପୁରୀର ବିଶ୍ୱପ୍ରସିଦ୍ଧ  ରଥଯାତ୍ରାକୁ ସେଭଳି କରାଯିବା ଲାଗି  ଯୋଜନା ଚାଲିଛି । ଏହାକୁ ବ୍ୟାପକ ପ୍ରଚାର  ପ୍ରସାର କରିବା ସହିତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପ୍ରଶାସନ ଯୋଜନା କରିଛି ।

ଆସନ୍ତା ଜୁନ ୨୭ ତାରିଖରେ  ରଥଯାତ୍ରା । ଏହି ଯାତ୍ରାର ଆଦ୍ୟ ପର୍ବ ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ  ଭାବେ ପରିଚାଳନା ପାଇଁ ବୈଠକରେ  ଆଲୋଚନା ହୋଇଥିଲା । ସମସ୍ତ  କାମକୁ ନିର୍ଦ୍ଧାରିତ ସମୟରେ ସାରିବାକୁ  ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଏସ୍‌ପି ବିନୀତ  ଅଗ୍ରୱାଲ ରଥଯାତ୍ରା ପାଇଁ ଆଇନଶୃଙ୍ଖଳା  ରକ୍ଷାର ବିଭିନ୍ନ ପଦକ୍ଷେପ ସମ୍ପର୍କରେ  ସୂଚନା ଦେଇଥିଲେ । ପୁରୀ ବଡ଼ଦାଣ୍ଡ  ଓ ଏହା ସଂଲଗ୍ନ ରାସ୍ତା ପାଶ୍ୱର୍ରେ ଥିବା  ଅସୁରକ୍ଷିତ ବିଲ୍ଡିଂ ଚିହ୍ନଟ ଓ ସୁରକ୍ଷା  ନିମନ୍ତେ କାର୍ଯ୍ୟାନୁଷ୍ଠାନ, ଅଗ୍ନି ନିର୍ବାପକ  ବ୍ୟବସ୍ଥାର ସମୀକ୍ଷା ଇତ୍ୟାଦିକୁ ଯୁଗ୍ମ  ତଦନ୍ତ ମାଧ୍ୟମରେ ତ୍ୱରାନ୍ୱିତ କରିବା  ପାଇଁ ଏସ୍‌ପି ପରାମର୍ଶ ଦେଇଥିଲେ । 

ଏପ୍ରିଲ ୩୦ ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ, ଜୁନ ୧୧ରେ  ଦେବସ୍ନାନ ପୂର୍ଣ୍ଣିମା, ଜୁନ ୨୭ରେ ରଥଯାତ୍ରା, ଜୁଲାଇ ୫ରେ ବାହୁଡ଼ା, ଜୁଲାଇ ୬ରେ ସୁନାବେଶ, ଜୁଲାଇ ୭ରେ ଅଧରପଣା ଓ ଜୁଲାଇ ୮ରେ ନୀଳାଦ୍ରି ବିଜେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ଅବଗତ କରାଯାଇଛି । ବୈଠକରେ ସମସ୍ତ  ବିଭାଗୀୟ ଅଧିକାରୀମାନେ ରଥଯାତ୍ରା  ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ରଖିଥିଲେ ।