ପୁରୀ,୧୩/୦୪: ସାହିଯାତ ଚାଲିଥିବାରୁ  ବୀରବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର । ଶୁକ୍ରବାର ରାତିରେ କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ଯାତ ବାହାରି ଦୋଳମଣ୍ଡପ ସାହି ପରିକ୍ରମା କରିଥିଲା । ଏହି  ଉତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସାହିର ପ୍ରତ୍ୟକଟି ଜାଗାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ  ମଲ୍ଲୀମାଳ ପକାଇ ସ୍ୱାଗତ କରାଯାଇଥିଲା । ସାହିରେ  ଚାଲିଚାଲି କେନ୍ଦ୍ରମନ୍ତ୍ରୀ ବୁଲିବା ସହ ସାହି ମୁରବିଙ୍କ  ସହ ବିଭିନ୍ନ ବିଷୟ ଆଲୋଚନା କରିଥିଲେ । ସାହି  ମୁରବିଙ୍କ ଠାରୁ ଆରମ୍ଭ କରି ସାହି ଭେଣ୍ଡିଆମାନେ  ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ପାଖରେ ପାଇ ବେଶ୍‌ ଖୁସି  ବ୍ୟକ୍ତ କରିଥିଲେ । ପରେ ଶ୍ରୀମନ୍ଦିର ସିଂହଦ୍ୱାର  ନିକଟକୁ ଯାଇ ଧର୍ମେନ୍ଦ୍ର ପ୍ରଧାନ ପତିତପାବନ  ଓ ଅରୁଣସ୍ତମ୍ଭ ସମ୍ମୁଖରେ ପ୍ରଣାମ ଜଣାଇଥିଲେ ।  ବଡଛତା ମଠ ପାହାଚରେ କିଛି ସମୟ ବସି  ମହାପ୍ରଭୁଙ୍କୁ ଧ୍ୟାନ କରିଥିଲେ । 

ସାହିଯାତ ବୁଲିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ କହିଥିଲେ, କୁସ୍ତି, ମଲ୍ଲ ଯୁଦ୍ଧ, ଖଣ୍ଡା ଯୁଦ୍ଧ ହେଉଛି ଆମ ପରମ୍ପରାର ଅଂଶବିଶେଷ । ସାହିଯାତ ଏହାର ଏକ ଅଭିନ୍ନ ଅଙ୍ଗ । ଏହି  ଉତ୍ସବରେ ସାମିଲ୍‌ ହେବା ଖୁବ୍‌ ଖୁସିର ବିଷୟ ।  ସେହିପରି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  କହିଛନ୍ତି, ଆବହମାନ କାଳରୁ ଏହି କଳାକୁ  ବଞ୍ଚାଇ ରଖିବା ନିମନ୍ତେ ଠାକୁରଙ୍କ ଲୀଳାକୁ  ଏଥିରେ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ସୌଭାଗ୍ୟର ବିଷୟ । 

ଶୁକ୍ରବାର କୁଣ୍ଢେଇବେଣ୍ଟ ସାହି ପକ୍ଷରୁ  ସୀତା ଚୋରି ନୀତି ଅନୁଷ୍ଠିତ ହୋଇଥିଲା । ମାୟା  ରାବଣ ସୀତାଙ୍କୁ ଚୋରି କରିଥିଲେ । ଅନ୍ୟପଟେ  ଶ୍ରୀମନ୍ଦିର ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମାୟାମୃଗ  ଓ ସୀତା ଚୋରି ନୀତି । କୁଣ୍ଢେଇବେଣ୍ଟ ସାହି ପଥର  ଆଖଡ଼ାରୁ ମାୟାରାବଣ ଓ ଅନ୍ୟାନ୍ୟ ପୌରାଣିକ  ଚରିତ୍ର ବାହାରି ସାହି ପରିକ୍ରମା କରିବା ପରେ  ଜଗନ୍ନାଥ ବଲ୍ଲଭ ମଠରେ ଠାକୁରଙ୍କ ରାମଲୀଳା  ନୀତି ସମ୍ପନ୍ନ ହୋଇଥିଲା । ସୁନ୍ଦରା ଜାଗା ପକ୍ଷରୁ  ନିଶାଣ ବାହାରିଥିବା ବେଳେ ରାବଣ ନୃତ୍ୟ  ସମସ୍ତଙ୍କର ମୁଖ୍ୟ ଆକର୍ଷଣ ପାଲଟିଥିଲା । ସାହିର  ପିଲା ମାନେ ଖଣ୍ଡା ଚାଳନା, ପଟ୍ଟା, ଲାଠି ଖେଳ,  ହୁଳା ବନାଟି, ବାଙ୍କ, ଛଡ଼ି, ନିଝାମ୍‌, ପିରାମିଡ୍‌  ଆଦି ସମରକଳା ପ୍ରଦର୍ଶନ କରିଥିଲେ । ଏହି  ପଟୁଆରରେ ସପ୍ତଶିରା, ନାଗା, ମେଢ଼, ଭୁଆସିକ  ସହ ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।  ବୀରବାଦ୍ୟ ସାଙ୍ଗକୁ ପାରମ୍ପରିକ ନୃତ୍ୟ  ବିଳମ୍ବିତ ରାତି ପର୍ଯ୍ୟନ୍ତ ସମସ୍ତେ ଦେଖିଥିଲେ ।  କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଯୋଗଦାନ  କଳାକାରଙ୍କ ମନରେ ଉତ୍ସାହ ଭରି ଦେଇଥିଲା ।