ପୁରୀ,୧୮।୧୧ : ଆସନ୍ତା ୧ରୁ ଡିସେମ୍ବର୫ ପର୍ଯ୍ୟନ୍ତ କୋଣାର୍କରେ କୋଣାର୍କ ଉତ୍ସବ ଆୟୋଜିତ ହେବ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ପୁରୀ ଏସପି ପ୍ରତୀକ ସିଂହ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଦେଖିବା ସହିତ ଆଖ ପାଖ ଅଞ୍ଚଳ ମଙ୍ଗଳବାର ପରିଦର୍ଶନ କରିଥିଲେ। ଆବଶ୍ୟକ ସୁରକ୍ଷା, ପରିଚାଳନା ଓ ପରିଦର୍ଶନାତ୍ମକ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହାସହିତ କୋଣାର୍କ ହୋଟେଲ୍ ଆସୋସିଏସନ୍ ସହିତ ବୈଠକ କରି ପର୍ଯ୍ୟଟକଙ୍କ ସୁରକ୍ଷା, ଅତିଥିଙ୍କ ପାଇଁ ସୁସ୍ଥ ପରିବେଶ, ହୋଟେଲ୍ ଅକ୍ୟୁପାନ୍ସି ମ୍ୟାନେଜମେଣ୍ଟ, ଫାୟାର ସେଫ୍ଟି ଓ ଜରୁରୀକାଳୀନ ଯୋଗାଯୋଗ ନଂ -୧୧୨ ସମନ୍ୱୟ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା।ଏହି ସମୟରେ ଡିଏସପି ନିମାପଡ଼ା ଜନାର୍ଦ୍ଦନ ପାଢୀ, ଗୋପତ ହସିଲଦାର , କୋଣାର୍କ ଇଓ, କୋଣାର୍କ ଟୁରିଷ୍ଟ ଅଫିସର, କୋଣାର୍କ ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ, ଆଇଆଇସି ରାମଚଣ୍ଡୀ, ଆଇଆଇସି ଚନ୍ଦ୍ରଭାଗା ମେରାଇନ ଏବଂ ଅନ୍ୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।
କୋଣାର୍କ ଉତ୍ସବ ପାଇଁ ପ୍ରସ୍ତାବିତ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ସୂର୍ଯ୍ୟ ମନ୍ଦିର ପରିସର, ଚନ୍ଦ୍ରଭାଗା ସମୁଦ୍ରତଟ, ଯାତାୟାତ ରାସ୍ତା ସହିତ ସମଗ୍ର କୋଣାର୍କ ଓ ରାମଚଣ୍ଡୀ ଅଞ୍ଚଳରେ ଅତିରିକ୍ତ ପୋଲିସ ବ୍ୟବସ୍ଥା କରାଯିବ। ପ୍ରମୁଖ ସ୍ଥାନରେ କ୍ୟୁରିଟି ଟିମ୍ ନିୟୋଜିତ କରାଯିବ। ଉତ୍ସବ ସମୟରେ ବିଶେଷ ଟ୍ରାଫିକ ପ୍ଲାନ୍ କାର୍ଯ୍ୟକାରୀ ହେବ। ଯାତ୍ରୀ ଗମନା ଗମନ ଦୃଷ୍ଟିରେ ରଖି ପାର୍କିଂ ଜୋନ୍ ବ୍ୟବସ୍ଥା ଏବଂ ଟ୍ରାଫିକ ଜାମ୍ ରୋକିବା ପାଇଁ ବାଇକ୍ ପାଟ୍ରୋଲିଂ କରାଯିବ।
ଏସପି ସମସ୍ତ ହୋଟେଲମାନଙ୍କୁ ଜଣାଇଛନ୍ତି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ରହଣି, ସିସିଟିଭି, ଫାୟାର ଏବଂ ଇମର୍ଜେନ୍ସି ପ୍ଲାନ୍, ନିଜ ଥାନା ସହ ଯୋଗାଯୋଗ, ପର୍ଯ୍ୟଟକଙ୍କୁ ଉତ୍ତମ ଆଚରଣ ବ୍ୟବସ୍ଥା କରିବେ। ସୂର୍ଯ୍ୟ ମନ୍ଦିର ଓ ଉତ୍ସବ ପେଣ୍ଡାଲ ପାଖରେ ବ୍ୟାପକ CCTV ମନିଟରିଂ କରାଯିବ। ଭିଡ଼ ନିୟନ୍ତ୍ରଣ ଓ ଅପରାଧ ପ୍ରତିରୋଧ ପାଇଁ ବ୍ୟବସ୍ଥା କରାଯିବ। ଉତ୍ସବ ଦିନଗୁଡିକରେ ବିଶେଷ ଫୋର୍ସ, ପୋଲିସ ଅଧିକାରୀ, ହୋମଗାର୍ଡ ଓ ଫୋର୍ସ ଟୀମ୍ ନିୟୋଜନ କରାଯିବ। ଅପରାଧ ପ୍ରତିରୋଧ ପାଇଁ ସାଧା ପୋଷାକରେ ନିୟୋଜିତ କରାଯିବ।
“ପର୍ଯ୍ୟଟକ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା। କୋଣାର୍କ ଉତ୍ସବ ପାଇଁ ପୁରୀ ପୋଲିସ ସମସ୍ତ ପ୍ରକାର ଚ୍ୟାଲେଞ୍ଜକୁ ସ୍ୱୀକାର କରି ପୂରା ପ୍ରସ୍ତୁତ ରହିଛି। ସମସ୍ତ ବିଭାଗରେ ସମନ୍ୱୟ ଓ ଯୋଗାଯୋଗ ନିରନ୍ତର ରହିବ।ଆପତ୍କାଳୀନ ସହାୟତା ପାଇଁ ପର୍ଯ୍ୟଟକଙ୍କୁ ଡାଇଲ-୧୧୨ ବ୍ୟବହାର କରିବାକୁ ସଚେତନ କରାଯିବ। କୋଣାର୍କ ଉତ୍ସବ ସମୟରେ ସମସ୍ତ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଅନୁରୋଧ ଯେ, ପୋଲିସ ଆଦେଶ ଓ ଟ୍ରାଫିକ ନିୟମର ପାଳନ କରନ୍ତୁ। ସନ୍ଦେହଜନକ କୌଣସି ଘଟଣା, ବ୍ୟାଗ୍, ବ୍ୟକ୍ତି ଦେଖାଗଲେ ତତ୍କ୍ଷଣାତ୍ ପୋଲିସକୁ ସୂଚନା ଦେବାକୁ ପୁରୀ ଏସପି କହିଛନ୍ତି।