ନୂଆଦିଲ୍ଲୀ: ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ର ରୋଜଗାର ପ୍ରତିଦିନ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି । ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଦମଦାର ଅଭିନୟ ଏହି ଚଳଚ୍ଚିତ୍ରକୁ ବ୍ଲକବଷ୍ଟର କରିବାର ସବୁଠାରୁ ବଡ କାରଣ ବୋଲି ବିବେଚନା କରାଯାଉଛି । କେବଳ ବଡ ପରଦାରେ ନୁହେଁ ଦେଶର ଟିକସଦାତାଙ୍କ କ୍ଷେତ୍ରରେ ମଧ୍ୟ ଅଲୁ ଅର୍ଜୁନ ନିଜକୁ ଜଣେ ହିରୋ ବୋଲି ପ୍ରମାଣିତ କରିଛନ୍ତି । କାରଣ ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବାଧିକ ଟିକସ ଦେଇଥିବା ଟିକସଦାତାଙ୍କ ମଧ୍ୟରେ ସେ ନିଜର ନାମ ରଖିଛନ୍ତି।
ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ନୂଆ ସୁପରହିରୋ ଭାବରେ ଅଲୁ ଅର୍ଜୁନ ଧମାଲ କରୁଛନ୍ତି। ସେ କେବଳ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିନାହାଁନ୍ତି, ବରଂ ପୁଷ୍ପା ୨ ଦ ରୁଲ୍ର ସଫଳତା ଆଧାରରେ ହିନ୍ଦୀ ଦର୍ଶକଙ୍କ ଠାରୁ ମଧ୍ୟ ଅନେକ ଭଲ ପାଇବା ନିଜ ଆଡକୁ ଟାଣିଛନ୍ତି । ଦେଶର ଶ୍ରେଷ୍ଠ ୨୨ ଟିକସଦାତାଙ୍କ ମଧ୍ୟରେ ଅଲୁ ଅର୍ଜୁନ ହେଉଛନ୍ତି ଏକମାତ୍ର ତେଲୁଗୁ ଅଭିନେତା ।
ଟିକସ ଦେବା କ୍ଷେତ୍ରରେ ଅଲୁ ଅର୍ଜୁନ ଶୀର୍ଷ ଲୋକଙ୍କ ମଧ୍ୟରେ ଅଛନ୍ତି ଏବଂ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସେ ୧୪ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି ଏବଂ ତାଙ୍କର ମୋଟ ସମ୍ପତ୍ତି ୪୬୦କୋଟି ଟଙ୍କା ଅଟେ । ଅଲୁ ଅର୍ଜୁନଙ୍କ ସହ ମାଲାୟାଲମ ଅଭିନେତା ମୋହନଲାଲ ମଧ୍ୟ ଜଣେ ଟିକସଦାତା, ଯିଏକି ଗତ ଆର୍ଥିକ ବର୍ଷରେ ୧୪ କୋଟି ଟଙ୍କା ଟିକସ ଦେଇଛନ୍ତି।
ସୁପରଷ୍ଟାର ଆଲୁ ଅର୍ଜୁନଙ୍କୁ ୧୩ ଡିସେମ୍ବରରେ ପୋଲିସ ଗିରଫ କରିଥିଲା ଏବଂ ଗତକାଲି ଅର୍ଥାତ ୧୪ ଡିସେମ୍ବରରେ ସେ ଗୋଟିଏ ରାତି ଜେଲରେ ରହିବା ପରେ ବାହାରକୁ ଆସିଥିଲେ। ସୂଚନାଥାଉକି ଏହି ମାମଲା ପୁଷ୍ପା ୨ ର ପ୍ରମୋଶନ ସମୟରେ ଜଣେ ମହିଳା ପ୍ରଶଂସକଙ୍କ ମୃତ୍ୟୁ ସହିତ ଜଡିତ । ଜେଲରୁ ବାହାରିବା ପରେ ଆଲୁ ଅର୍ଜୁନ କହିଛନ୍ତି ଯେ ମହିଳାଙ୍କ ମୃତ୍ୟୁରେ ସେ ଦୁଖିତ ଏବଂ ତାଙ୍କ ପରିବାରକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବେ।