ମୁମ୍ବାଇ ୦୬/୧୧: ଆସନ୍ତା ଡିସେମ୍ବର ୫ ତାରିଖରେ ବଡ଼ ପରଦାକୁ ଆସିବ ‘ପୁଷ୍ପା-୨’ । ଅଲ୍ଲୁ ଅର୍ଜୁନ ଏହାର ପ୍ରମୋସନ୍‌ ଦାୟିତ୍ୱ ତୁଲାଇଛନ୍ତି । ଖୁବ୍‌ଶୀଘ୍ର ଲିଡ୍‌ ଲେଡି ରଶ୍ମିକା ମନ୍ଦନା ଓ ପୂରା ଟିମ୍‌ ସହ ୬ ସହରରେ ଫିଲ୍ମର ପ୍ରମୋସନ୍‌ କରିବେ । ରିଲିଜ୍‌ ପୂର୍ବ ଦିନ ଅର୍ଥାତ୍‌ ଡିସେମ୍ବର ୪ ତାରିଖରେ ‘ପୁଷ୍ପା-୨’ର ଗ୍ଲୋବାଲ୍‌ ସ୍ପେଶାଲ ପ୍ରିମିୟର ହେବ । ଚଳିତ ମାସ ୧୫ ତାରିଖରୁ ଅଲ୍ଲୁ ୧୫ ଦିନ ପାଇଁ ଫିଲ୍ମ ପ୍ରମୋସନ୍‌ରେ ପଟନା, କୋଚି, ଚେନ୍ନାଇ, ବେଙ୍ଗାଲୁରୁ, ମୁମ୍ବାଇ ଓ ହାଇଦ୍ରାବାଦରେ ନଜର ଆସିବେ । ପଟନାରେ ଅର୍ଥାତ୍‌ ଆସନ୍ତା ୧୫ ତାରିଖରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । 

ଥିଏଟରରେ ଫିଲ୍ମକୁ ବଡ଼ ସଫଳତା ମିଳିବା ପାଇଁ ନିର୍ମାତା କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ଭାରତୀୟ ସିନେମାରେ ଏହା ସର୍ବାଧିକ ବ୍ୟବସାୟ କରିବ ବୋଲି ସେମାନେ ଆଶା ବାନ୍ଧିଛନ୍ତି । ଫିଲ୍ମର ରିଲିଜ୍‌ ତାରିଖ ଅନେକ ଥର ବଦଳାଯାଇଛି । ଏହା ପୂର୍ବରୁ ଆସନ୍ତା ଡିସେମ୍ବର ୬ ତାରିଖରେ ଫିଲ୍ମ ରିଲିଜ୍‌ କରିବାକୁ ଘୋଷଣା ହୋଇଥିଲା । କିନ୍ତୁ ନିକଟରେ ନିର୍ମାତା ଫ୍ୟାନ୍‌ଙ୍କୁ ଖୁସି କରିବା ପାଇଁ ଦିନକ ଆଗରୁ ଅର୍ଥାତ୍‌ ୫ ତାରିଖରେ ଫିଲ୍ମ ରିଲିଜ୍‌ କରିବେ ବୋଲି ଘୋଷଣା କଲେ । ୨୦୨୧ରେ ମୁକ୍ତିପ୍ରାପ୍ତ ‘ପୁଷ୍ପା: ଦ ରାଇଜ୍‌’ ସର୍ବାଧିକ ବ୍ୟବସାୟ କରିଥିବା ଭାରତୀୟ ଫିଲ୍ମ ଥିଲା । ସମସ୍ତ ସଂସ୍କରଣରୁ ଫିଲ୍ମ ଭାରତରେ ୩୧୩ କୋଟି ଓ ବିଶ୍ୱରେ ୩୫୦ କୋଟି ବ୍ୟବସାୟ କରିଥିଲା ।