ନୂଆଦିଲ୍ଲୀ, ୫/୧୨ : ବିଦେଶ ଗସ୍ତ ସମୟରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଅନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ବିଦେଶ ଗସ୍ତ ସମୟରେ ସେ ବାହାରର ଖାଦ୍ୟ ଖାଆନ୍ତିନି। ସାଥିରେ ମୋବାଇଲ୍ ଫୁଡ୍ ଟେଷ୍ଟିଂ ଲ୍ୟାବ୍ ନିଅନ୍ତି। ଆୟୋଜକ ଦେଶର ଭୋଜନ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ବି ନିଜ ଟିମ୍ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ଖାଆନ୍ତି। ସେ ରାତିରେ ମାଂସ ଖାଆନ୍ତି ନାହିଁ । ଫାଷ୍ଟଫୁଡ ଏଡ଼ାଇ ଚାଲନ୍ତି । ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଅଦା ଚା’ ପିଇଥାନ୍ତି । କ୍ୱଚିତ୍ ମଦ ପିଅନ୍ତି ।
ବିଦେଶ ଗସ୍ତ ସମୟରେ ପୁଟିନ୍ କ୍ୱଚିତ୍ କୌଣସି ହୋଟେଲ୍ କିମ୍ବା ଆୟୋଜକ ଦେଶର କର୍ମଚାରୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇଥାନ୍ତି। ତାଙ୍କ ସହିତ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ରୁଷୀୟ ରୋଷେୟା ଏବଂ ସହାୟକ ସବୁବେଳେ ଥାଆନ୍ତି । ଏପରିକି ବିଦେଶ ଗସ୍ତ ସମୟରେ ପୁଟିନ୍ ‘ମୋବାଇଲ୍ ଫୁଡ୍ ଟେଷ୍ଟିଂ ଲ୍ୟାବ୍’ ଧରି ଯାଇଥାନ୍ତି । ତାଙ୍କ ଲାଗି ସୁରକ୍ଷିତ ସ୍ଥାନରେ ସ୍ଥାପିତ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ସେଥିଲାଗି ସାମଗ୍ରୀକୁ ସିଧାସଳଖ ବିମାନରେ ଅଣାଯାଏ କିମ୍ବା ପୂର୍ବରୁ ତାହା ଭଲ ଭାବେ ଯାଞ୍ଚ ହୋଇଥାଏ ।
ଖାଦ୍ୟ ପ୍ରସ୍ତୁତି ସରିବା ପରେ ସବୁ ଆଇଟମକୁ ଯାଞ୍ଚ କରାଯାଇଥାଏ । ତାଲିମପ୍ରାପ୍ତ ଫୁଡ୍ ଟେଷ୍ଟର, ପୁଟିନଙ୍କ ଅଙ୍ଗରକ୍ଷୀମାନେ ତାକୁ ଚାଖିଥାନ୍ତି । ଏହାଛଡ଼ା ‘ମୋବାଇଲ୍ ଟେଷ୍ଟିଂ ଲ୍ୟାବ୍’ରେ ବୈଜ୍ଞାନିକମାନେ ତାକୁ ଯାଞ୍ଚ କରିଥାନ୍ତି । ଏପରିକି ପାଣିକୁ ମଧ୍ୟ ପରୀକ୍ଷା କରାଯାଏ । ଏହି ସବୁ ପ୍ରୋଟୋକଲ୍ ଯୋଗୁ ଆୟୋଜକ ଦେଶର ଔପଚାରିକ ଭୋଜନ କାର୍ଯ୍ୟକ୍ରମରେ ସେ ସାମିଲ ହେଉଥିଲେ ମଧ୍ୟ ପ୍ରକୃତରେ ନିଜ ଟିମ୍ ପ୍ରସ୍ତୁତ କରିଥିବା ଖାଦ୍ୟ ଖାଇଥାନ୍ତି । ସେହିପରି ତାଙ୍କ ଖାଦ୍ୟ ପ୍ରସ୍ତୁତି ସମୟରେ ପରିଚ୍ଛନ୍ନତାକୁ ବେଶ୍ ଗୁରୁତ୍ୱ ଦିଆଯାଏ । ଖାଦ୍ୟ ପ୍ରସ୍ତୁତ କରୁଥିବା ରୋଷେୟାମାନେ ସବୁବେଳେ ହାତରେ ଗ୍ଲୋଭସ୍ ପିନ୍ଧୁଥିବାବେଳେ ଦିନରେ ବହୁଥର ୟୁନିଫର୍ମ ବଦଳାନ୍ତି । ଏପରିକି ସେମାନଙ୍କ ହାତରେ ସାମାନ୍ୟ କ୍ଷତ ହୋଇଥିଲେ ବି ତାକୁ ଯାଞ୍ଚ କରାଯାଏ ।