ନୂଆଦିଲ୍ଲୀ: ମଙ୍ଗଳବାର କତାରର ଏମିର ଶେଖ ଶେଖ ତମିମ ବିନ ହମଦ ଅଲ-ଥାନୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏହି ଆଲୋଚନାରେ ଜାମ୍ମୁ ଓ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଅପରାଧୀମାନଙ୍କୁ ଦଣ୍ଡ ଦେବା ପାଇଁ କତାର ଭାରତକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି। 

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଦେଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଟେଲିଫୋନିକ ବାର୍ତ୍ତାଳାପରେ କତାରର ଏମିର ପାହାଲଗାମ ଆକ୍ରମଣରେ ନିହତଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି। ଏହାଛଡା ଭାରତର ଆତଙ୍କବାଦ ବିରୋଧୀ ଲଢେଇ ଓ ଅପରାଧୀମାନଙ୍କୁ ଦଣ୍ଡ ଦେବା ପାଇଁ ସମସ୍ତ ପଦକ୍ଷେପକୁ ସମର୍ଥନ କରିଥିବା ଜଣାପଡିଛି।




ଏହି ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଯେଉଁଥିରେ ଭାରତ ପାକିସ୍ତାନକୁ ଏହି ଆକ୍ରମଣ ପାଇଁ ଦାୟୀ କରିଛି। ଭାରତର ଅନେକ ମିତ୍ର ଦେଶ ଯେପରିକି ଋଷିଆ ଏବଂ ଆମେରିକା ମଧ୍ୟ ଏହି ଆକ୍ରମଣର କଡା ନିନ୍ଦା କରି ଅପରାଧୀମାନଙ୍କ ବିରୁଦ୍ଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭାରତକୁ ସମର୍ଥନ କରିଛନ୍ତି।

କତାରର ଏହି ସମର୍ଥନ ଭାରତର କୂଟନୈତିକ ପ୍ରୟାସକୁ ଆହୁରି ଶକ୍ତିଶାଳୀ କରିଛି। ଯେଉଁଥିରେ ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଦେଶମାନଙ୍କ ସହ ମଧ୍ୟ ଯୋଗାଯୋଗ କରି ଏହି ଆକ୍ରମଣ ବିରୁଦ୍ଧରେ ସେମାନଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଛି।

ଏହା ସହିତ, ଭାରତ ସରକାର ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ମେ ୭ରେ ୨୪୪ଟି ଜିଲ୍ଲାରେ ମକ ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ଆତଙ୍କବାଦ ବିରୋଧୀ ଲଢେଇରେ ଆନ୍ତର୍ଜାତୀୟ ସହଯୋଗର ଗୁରୁତ୍ୱକୁ ପୁନର୍ବାର ଉଜାଗର କରିଛି।