ନୂଆଦିଲ୍ଲୀ,୨୬/୦୭: ଭାରତ ୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ନେଇ ଆଗ୍ରହୀ ରହିଛି । ଏନେଇ ଗତବର୍ଷ ଅକ୍ଟୋବର ମାସରେ ଭାରତୀୟ ଅଲିମ୍ପିକ ଆସୋସିଏସନ୍ (ଆଇଓଏ) ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ନିକଟରେ ଆଗ୍ରହୀ ପତ୍ର ଦାଖଲ କରିଥିଲା । ଆଇଓସିର ଫ୍ୟୁଚର ହୋଷ୍ଟ୍ କମିଶନ ସହ ଆଇଓଏ କାର୍ଯ୍ୟକର୍ତ୍ତାମାନେ ଯୋଗାଯୋଗରେ ରହିଛନ୍ତି । କିନ୍ତୁ ଏବେ କତାର ମଧ୍ୟ ୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ନେଇ ଆଇଓସି ସହ ଆଲୋଚନା ଚଳାଇଛି । କତାର ଅଲିମ୍ପିକ କମିଟି (କ୍ୟୁଓସି) ପକ୍ଷରୁ ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।
ଭାରତ ପଥରେ କତାର କଣ୍ଟା ହୋଇପାରେ । କାରଣ ପୂର୍ବରୁ କତାର ୨୦୨୨ରେ ଫିଫା ବିଶ୍ୱକପ୍ ଓ ୨୦୨୪ରେ ଏସିଆନ କପ୍ ଆୟୋଜନ କରିଥିଲା । ୨୦୩୦ରେ ଦୋହାରେ ଏସୀୟ କ୍ରୀଡ଼ା ଆୟୋଜିତ ହେବ । ତେଣୁ ଅନ୍ତର୍ଜାତୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନରେ କତାର ଭାରତଠୁ ବହୁ ଆଗରେ ରହିଛି ।
୨୦୩୬ କ୍ରୀଡ଼ା ଆୟୋଜନ ନେଇ କେବଳ ଭାରତ ଓ କତାର ଆଗ୍ରହୀ ନାହାନ୍ତି ଇଣ୍ଡୋନେସିଆ, ତୁର୍କୀ, ଚିଲି, ସାଉଦି ଆରବ, ଦକ୍ଷିଣ କୋରିଆ, ଇଜିପ୍ଟ, ହଙ୍ଗେରୀ, ଇଟାଲୀ, ଜର୍ମାନୀ, ଇଟାଲୀ, ଡେନମାର୍କ ଓ କାନାଡ଼ା ମଧ୍ୟ ଆଗ୍ରହ ଦେଖାଇଛନ୍ତି । ମାତ୍ର ଏସିଆରୁ ୭ରୁ ଊଦ୍ଧ୍ୱର୍ ଦେଶ କ୍ରୀଡ଼ା ଆୟୋଜନ ନେଇ ଇଚ୍ଛା ପ୍ରକାଶ କରିଛନ୍ତି ।
ଆଇଓଏ ସଭାପତି ପିଟି ଉଷାଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ଚଳିତ ମାସରେ ଆଇଓସି ଅଧିକାରୀଙ୍କୁ ସାକ୍ଷାତ କରିଥିଲେ । ଅହମ୍ମଦାବାଦ ଆୟୋଜକ ସହର ରହିବ । ଏ ପର୍ଯ୍ୟନ୍ତ ଯଦିଓ ବିଡ୍ ପ୍ରକ୍ରିୟା ଆରମ୍ଭ ହୋଇନି । କିନ୍ତୁ କେନ୍ଦ୍ର ସରକାର ବିଡ୍ ପ୍ରକ୍ରିୟାରେ ସାମିଲ ହେବା ନେଇ ପ୍ରସ୍ତୁତି ଚଳାଇଛନ୍ତି । ପୂର୍ବ ସଂସ୍କରଣ ଗୁଡ଼ିକ ଠାରୁ ଭାରତ ବହୁ ଗୁଣା ବିଡ୍ ଡାକିବ ବୋଲି ଜାଣିବାକୁ ମିଳିଛି । ଯାହାର ମୂଲ୍ୟ ୬୪ ହଜାର କୋଟିରୁ ଅଧିକ ରହିବ । ଆଇଓଏର ପ୍ରଶାସନିକ ବ୍ୟବସ୍ଥା ଏବଂ ଭାରତରେ ଖେଳାଳିମାନେ ସର୍ବାଧିକ ମାତ୍ରାରେ ଡୋପରେ ବିଫଳ ହେବା ନେଇ ଆଇଓସି ଅଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି । ଉଭୟ କେନ୍ଦ୍ର ସରକାର ଓ ଆଇଓଏ ଏହି ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଦେଶରେ କ୍ରୀଡ଼ା ପ୍ରଶାସନରେ ଅଧିକ ସ୍ୱଚ୍ଛତା ଆଣିବା ନେଇ ଇତିମଧ୍ୟରେ ଲୋକସଭାରେ ଜାତୀୟ କ୍ରୀଡ଼ା ବିଲ୍ ଆଗତ ହୋଇ ସାରିଛି ।
ଅଲିମ୍ପିକ୍ସ ଆୟୋଜନ ପୂର୍ବରୁ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ଭାରତକୁ ମିଳିବା ନେଇ ଆଶା ସଂଚାର ହୋଇଛି । ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କାନାଡ଼ା କ୍ରୀଡ଼ା ଆୟୋଜନ ନେଇ ଅନାଗ୍ରହ ପ୍ରକାଶ କରିଛି । ତେଣୁ ୨୦୧୦ ପରେ ପୁଣି ଥରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତ ଫେରିବ ବୋଲି ପଥ ପରିଷ୍କାର ହୋଇଛି ।
କାନାଡ଼ା ଆର୍ଥିକ ସମସ୍ୟା ଦର୍ଶାଇ କ୍ରୀଡ଼ା ଆୟୋଜନ କରିବା ନେଇ ଆଉ ଆଗ୍ରହ ପ୍ରକାଶ କରୁନାହିଁ । କାନାଡ଼ା ଓ ଭାରତ ସମେତ ନାଇଜେରିଆ ମଧ୍ୟ ୨୦୩୦ ସଂସ୍କରଣ ଆୟୋଜନ ନେଇ ଆଗ୍ରହ ପତ୍ର ଦାଖଲ କରିଥିଲେ ।
ଭାରତ ଯଦି ଆୟୋଜନ ଅଧିକାର ଜିତେ ତେବେ ଅହମ୍ମଦାବାଦ ଆୟୋଜକ ସହର ରହିବ । ଅହମ୍ମଦାବାଦ ସମେତ ଅନ୍ୟ ସହର ଗୁଡ଼ିକରେ କିଛି ଇଭେଣ୍ଟ ଆୟୋଜନ କରାଯିବ । ଯାହା ସୂଚନା ରହିଛି, ଗତ ମାସ ୭ ତାରିଖରେ ଗୁଜରାଟ ସରକାର, କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଓ ଭାରତୀୟ ଅଲିମ୍ପିକ୍ସ ସଂଘର କିଛି ବରିଷ୍ଠ ଅଧିକାରୀ ଲଣ୍ଡନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ଅଗଷ୍ଟ ୩୧ ଅଫିସିଆଲ ବିଡ୍ ଦାଖଲର ଶେଷ ତାରିଖ ରହିଛି । ତାର ଦିନକ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଧିକାରୀମାନେ ଅହମ୍ମଦାବାଦ ଆସିବାର କାର୍ଯ୍ୟକ୍ରମ ରହିଛି ।