କଟକ,୦୨/୦୬: ପୂର୍ବ ବର୍ଷ ପରି ୨୦୨୫-୨୬ ଶିକ୍ଷାବର୍ଷରେ ହାଇସ୍କୁଲ ପାଠ୍ୟକ୍ରମ ବା ସିଲାବସ୍ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେଣୁ ୨୦୨୬ରେ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଶୈଳୀ ବା ଢାଞ୍ଚା (କୋଶ୍ଚିନ୍ ପାଟର୍ନ) ପୂର୍ବ ବର୍ଷ ସହ ସମାନ ରହିଛି ।
ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନବମ ଓ ଦଶମ ବାର୍ଷିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଆଗୁଆ ଅବଗତି ନିମନ୍ତେ ପ୍ରଶ୍ନପତ୍ରର ଢାଞ୍ଚା ବୋର୍ଡ ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯାଇଛି । ୬ଟି ଯାକ ବିଷୟରେ ପାଠ୍ୟପୁସ୍ତକର ସମସ୍ତ ବିଷୟରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ। ପ୍ରତି ବିଷୟରେ ଶହେ ନମ୍ବର ଲେଖାଏଁ ପରୀକ୍ଷା କରାଯିବ ।
ଏଥିରେ ୫୦ ନମ୍ବର ଅବଜେକ୍ଟିଭ୍ ଏବଂ ୫୦ ନମ୍ବର ସବଜେକ୍ଟିଭ୍ ପ୍ରଶ୍ନ ରହିବ । ୫୦ ନମ୍ବରର ହେବାକୁ ଥିବା ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ପଦ୍ୟ ଓ ଗଦ୍ୟ ବିଷୟରୁ କେତେ ନମ୍ବର ପ୍ରଶ୍ନ ଆସିବ ସେ ବାବଦରେ ବୋର୍ଡ ପକ୍ଷରୁ ବିସ୍ତୁତ ଭାବେ ସୂଚାଇ ଦିଆଯାଇଛି । ତେବେ ମାଟ୍ରିକ୍ରେ ୧୦୦ ନମ୍ବରର ପରୀକ୍ଷା ହେଉଥିଲେ ହେଁ ଅବଜେକ୍ଟିଭ୍ ଓ ସବଜେକ୍ଟିଭ୍ ପ୍ରଶ୍ନରୁ ୮୦ ମାର୍କ ଏବଂ ଇଣ୍ଟରନାଲ୍ ଆସେସ୍ମେଣ୍ଟ, ଆସପ୍ରେସନାଲ୍ କମ୍ପୋନେଣ୍ଟ୍ରୁ ୨୦ ନମ୍ବର ନିଆଯାଇ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।