ଭୁବନେଶ୍ୱର,୧୩/୦୫: ବହୁଚର୍ଚ୍ଚିତ ବାଲିଅନ୍ତା ବର୍ବରକାଣ୍ଡରେ ମୃତ କନେଷ୍ଟବଳ ସୌମ୍ୟରଞ୍ଜନଙ୍କ ଷ୍ଟେରୋଏଡ୍ ଥିଓରୀକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଉଠିଛି । ଅପରାଧସ୍ଥଳରେ ସୌମ୍ୟଙ୍କ ହାବଭାବ ଓ ଚାଲିଚଲଣ ଅସ୍ୱାଭାବିକ ଥିବାରୁ ସେ ଏହି ଶକ୍ତି ବର୍ଦ୍ଧକ ଔଷଧ ସେବନ କରିଥିବା ପୁଲିସ ଅନୁମାନ କରୁଛି । କାହିଁକି ନା, ଆକ୍ରମଣକାରୀଙ୍କ ନିର୍ଘାତ ମାଡ଼ ଖାଇବା ସତ୍ତେ୍ୱ ସୌମ୍ୟ ଅସ୍ୱାଭାବିକ ଆଚରଣ କରୁଥିଲେ ।

ତାଙ୍କ ସାଙ୍ଗ ଓମପ୍ରକାଶଙ୍କ କହିବା ମୁତାବକ, ବାଇକ୍ ପଛରେ ବସିଥିବା ସୌମ୍ୟ ପ୍ରଥମେ ତାଙ୍କ ବେକକୁ ଜାବୁଡି଼ ଧରିଥିଲେ । ଯେଉଁଥିପାଇଁ ସ୍କୁଟି ସହ ଦୁର୍ଘଟଣା ଘଟିଲା । ପରେ ଯୁବତୀ ଜଣଙ୍କୁ ମଧ୍ୟ ସେ ମାର୍ପିଟ୍ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ସୌମ୍ୟଙ୍କୁ ଅଟକାଇବାକୁ ଯାଇ ଓମ୍ପ୍ରକାଶ ମଧ୍ୟ ମାଡ଼ ଖାଇଥିଲେ । ପରେ ସୌମ୍ୟଙ୍କ ଅସ୍ୱାଭାବିକ ଆଚରଣ ଆହୁରି ବଢ଼ିଯାଇଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଘେରିଯାଇ ପ୍ରବଳ ମାଡ଼ ମାରିଥିଲେ । ସୌମ୍ୟ ବାଉଳି ଚାଉଳି ହେବା ସହ ଖୁବ୍ ଜୋରରେ ଚିଲ୍ଲାଇବାକୁ ଲାଗିଲେ । ବେଳେ ବେଳେ ଛିଟ୍କି ଯାଉଥିଲେ । ଲୋକଙ୍କୁ ପିଟିବାକୁ ଉଦ୍ୟମ କରୁଥିଲେ । ଏମିତିକି ସେ ନାଗିନ୍ ଭଳି ହାତ ଦୁଇଟିକୁ ଯୋଡ଼ି ଫଣା ଟେକୁଥିବାର ଦୃଶ୍ୟ ମଧ୍ୟ ଭିଡିଓରେ ରହିଛି ।

ପୁଲିସ ପହଞ୍ଚିବା ପରେ ମଧ୍ୟ ସୌମ୍ୟଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ହେଲାନାହିଁ । ତାଙ୍କୁ ପିସିଆର ଯୋଗେ ହସ୍ପିଟାଲକୁ ନିଆଯିବା ବେଳେ ସେ ଆହୁରି ଛାଟିପିଟି ହୋଇଥିଲେ । ପିସିଆର ଭ୍ୟାନ୍ ଭିତରେ ଭର୍ତ୍ତି କରିବାକୁ ୩ଥର ଉଦ୍ୟମ କରି ପୁଲିସ ଫେଲ୍ ମାରିଥିଲା । ଶେଷରେ ତାଙ୍କୁ ବନ୍ଧା ହୋଇ ଏକ ମିନିଟ୍ରକ ଡାଲାରେ ଲଦି ହସ୍ପିଟାଲକୁ ନିଆଯାଇଥିଲା । ପୁଲିସକୁ ହସ୍ତଗତ ହୋଇଥିବା ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟରେ ଷ୍ଟେରୋଏଡ୍ ସେବନ ନେଇ ସୂଚନା ରହିଛି । ସୌମ୍ୟଙ୍କ ରକ୍ତ ନମୁନାରେ ଆନାବୋଲିକ୍-ଆଣ୍ଡୋଜୋନିକ୍ ଷ୍ଟେରୋଏଡ୍ର ମାତ୍ରା ରହିଛି । ପୁଲିସ ତଦନ୍ତରୁ ଆହୁରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ସୌମ୍ୟ ଘଟଣା ପୂର୍ବଦିନ ଅଡଶପୁରସ୍ଥିତ ‘ଫିଟ୍ନେସ ଗ୍ୟାଲେକ୍ସି’ ଜିମ୍ରେ ଏହି ଷ୍ଟେରୋଏଡ୍ ନେଇଥିଲେ ।

ଆହୁରି ପଢନ୍ତୁ-Balianta Murder case : ଅସଜଡ଼ା ଭିତ୍ତିଭୂମି ପାଇଁ ଝୁଣ୍ଟୁଛି ତଦନ୍ତ, ସୌମ୍ୟ ହତ୍ୟା ମାମଲାରେ ପୁଲିସର ମାଳ ମାଳ ତ୍ରୁଟି ଧରିଲାଣି କ୍ରାଇମ୍ବ୍ରାଞ୍ଚ

ବାଲିଅନ୍ତା ଥାନା ଓ କ୍ରାଇମ୍ବ୍ରାଞ୍ଚର ଟିମ୍ ଘଟଣାସ୍ଥଳକୁ ଯାଇ ଏନେଇ ଯାଞ୍ଚ କରି ଫେରିଛି । ମିଷ୍ଟର ଇଣ୍ଡିଆ ବିଜେତା ଭବାନୀ ଶଙ୍କରଙ୍କ କହିବା ମୁତାବକ, ଷ୍ଟେରୋଏଡ୍କୁ ସାଧାରଣତଃ ବଡି ବିଲ୍ଡିଂ କରୁଥିବା ବ୍ୟକ୍ତିମାନେ ସେବନ କରିଥାନ୍ତି । କୌଣସି ପ୍ରତିଯୋଗିତାରେ ନିଜ ଶରୀରକୁ ହୃଷ୍ଟପୃଷ୍ଟ ଭାବେ ଦେଖାଇପାରନ୍ତି । କିନ୍ତୁ ଏହି ଷ୍ଟେରୋଏଡ୍ ମାତ୍ରାଧିକ ଭାବେ ସେବନ କଲେ, ଅନେକ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥାଏ । ଅର୍ଥାତ୍, ବ୍ୟକ୍ତିଜଣକ ହାଇପର ଟେନସନର ଶିକାର ହେବା ଭୀଷଣ ଭାବେ ବିରକ୍ତି ହୋଇପାରନ୍ତି । ନଚେତ୍, ମାନିସକସ୍ତରରେ ବିଚଳିତ ହେବାର ଆଶଙ୍କା ରହିଛି । ଏହାସହ ହୃଦ୍ଘାତ, ବ୍ଲଡ କଟ୍ ଓ ଆଥେରୋସ୍କେ୍ଲେରୋସିସ୍ ହୋଇପାରେ । କିନ୍ତୁ ସୌମ୍ୟଙ୍କ କ୍ଷେତ୍ରରେ ଅଧିକ ତଦନ୍ତ କଲେ, ଏହାର ରହସ୍ୟ ଉନ୍ମୋଚିତ ହୋଇପାରିବ ।