ଭୁବନେଶ୍ୱର ୦୮/୧୨: ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବରେ ‘ପ୍ରମେୟ’, ‘ନ୍ୟୁଜ୍-୭’ ଓ ‘ସୋଆ ପ୍ରାଚୀନ’ର ମିଳିତ ଆନୁକୂଲ୍ୟରେ ଏକ ଷ୍ଟଲ୍ ରହିଛି । ସୋମବାରଠାରୁ ଏହି ଷ୍ଟଲ୍ (ନମ୍ବର ଏଫ୍-୨/୭ ଓ ୮)ରେ କୁଇଜ୍ ପ୍ରତିଯୋଗିତା ଆରମ୍ଭ ହେବ । ପ୍ରତିଦିନ କୁଇଜ୍ ପ୍ରତିଯୋଗିତା ଶେଷରେ କୃତୀ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ମିଳିବ । ଏହି ପ୍ରତିଯୋଗିତା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।
ଚଳିତ ବର୍ଷ ପୁସ୍ତକ ମହୋତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରୁ ୫୫୦ ଷ୍ଟଲ୍ରେ ବହି ପ୍ରଦର୍ଶିତ ହୋଇଛି । ବିଭିନ୍ନ ଷ୍ଟଲରେ ଯୁବଗୋଷ୍ଠୀ ବହି କିଣିବା ପାଇଁ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା । ପ୍ରଖ୍ୟାତ ଗାଳ୍ପିକ ସ୍ୱର୍ଗତ ମନୋଜ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ଜ୍ଞାନପୀଠ ବିଜୟିନୀ ସାହିତ୍ୟିକା ପ୍ରତିଭା ରାୟଙ୍କ ବହି କିଣୁଥିଲେ ଯୁବ ପାଠକ । ସେହିପରି ଗୀତାପ୍ରେସ ଗୋରଖପୁର ଷ୍ଟଲରୁ ବୟସ୍କ ଗୋଷ୍ଠୀର ପାଠକପାଠିକା ଆଧ୍ୟାତ୍ମିକ ପୁସ୍ତକ କିଣିଛନ୍ତି । ଯୁବପିଢ଼ିଙ୍କୁ ନଜରରେ ରଖି ଚଳିତ ବର୍ଷ ବିଭିନ୍ନ ଆଗଧାଡ଼ିର ପ୍ରକାଶନ ସଂସ୍ଥା ନୂଆନୂଆ ବହି ପ୍ରଦର୍ଶନ କରିଛନ୍ତି । ବିଶେଷକରି କିଛିଦିନ ତଳେ ସୋଆ ଯୁବ ସାହିତ୍ୟ ପୁରସ୍କାର ପ୍ରାପ୍ତ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଯୁବ ଲେଖକ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ ‘ଠିଆ ପୁଚି ନାରଙ୍ଗ’ ଓ ‘ଧର୍ମବୀର ଭାରତୀଙ୍କ କନୁପ୍ରିୟା’ ପୁସ୍ତକକୁ ପାଠକମାନେ କିଣିଛନ୍ତି । ସାହିତ୍ୟଭିତ୍ତିକ ପୁସ୍ତକ ସୁମିତ୍ ପଣ୍ଡାଙ୍କ ‘ଆକାଶ ନ ହେଲି ନାହିଁ’, ସ୍ୱାଗତିକା ମିଶ୍ରଙ୍କ ‘ମେଘକୁ ଦର୍ପଣ କରି’, ଶୁଭଶ୍ରୀ ମହାରଣାଙ୍କ ଗଳ୍ପ ‘ଗ୍ରେ’, ସୌମ୍ୟା ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ ‘ପାଦେ ଘୁଙ୍ଗୁର’, କବିତା ସଙ୍କଳନ ‘ଚିହ୍ନା ଚାଳିଶ’ ଭଳି ପୁସ୍ତକ ବେଶ୍ ଚାହିଦାରେ ଅଛି ।