ପ୍ରୟାଗରାଜ ୦୨/୦୨: ମହାକୁମ୍ଭ ମେଳା କ୍ଷେତ୍ରକୁ ଆସୁଥିବା ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ସ୍ତରରେ ସରକାରଙ୍କ ତରଫରୁ ପ୍ରୟାସ କରାଯାଇଛି । ଆକାଶଠୁ ଜଳ ପର୍ଯ୍ୟନ୍ତ ସୁରକ୍ଷାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ପ୍ରଥମ ଥର ପରମାଣୁ ଓ କୌଣସି ପ୍ରକାର ବିକିରଣରୁ ରକ୍ଷା ପାଇବା ପାଇଁ ମଧ୍ୟ ବ୍ୟବସ୍ଥା ମହାକୁମ୍ଭରେ କରାଯାଇଛି । ଏଥିପାଇଁ ଅଲଗା-ଅଲଗା ଟିମ୍ ଲଗାତାର ମେଳାରେ ଅତ୍ୟାଧୁନିକ ଟେକ୍ନୋଲୋଜିରୁ ପ୍ରସ୍ତୁତ ସରଞ୍ଜାମ ସହ ମୁତୟନ ହୋଇଛନ୍ତି ।
ମହାକୁମ୍ଭର ୨୦ତମ ଦିନରେ ଅପରାହ୍ଣ ୪ଟା ସୁଦ୍ଧା ୧.୮୦ କୋଟି ଶ୍ରଦ୍ଧାଳୁ ସ୍ନାନ କରିଥିଲେ । ଗତ ୧୩ ଜାନୁଆରୀରୁ ଏପର୍ଯ୍ୟନ୍ତ ୩୩.୨୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିସାରିଛନ୍ତି । ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହାକୁମ୍ଭରେ ୫୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିବେ ବୋଲି ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ମେଳା କ୍ଷେତ୍ରକୁ ହାଇଟେକ୍ ଉପକରଣଯୁକ୍ତ ସରଞ୍ଜାମରେ ପୂର୍ଣ୍ଣ କରାଯାଇଛି । ଆତଙ୍କବାଦୀ ଗତିବିଧିର ବିପଦକୁ ଦୃଷ୍ଟିରେ ରଖି ପ୍ରଥମ ଥର ମହାକୁମ୍ଭରେ ଇସ୍ରାଏଲୀ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ଜରିଆରେ ନଜର ରଖାଯାଉଛି । ଏଥିସହ ପରମାଣୁ, ରସାୟନ, ଜୈବିକ, ବିକିରଣ ଓ ବିସ୍ଫୋରକ ଦ୍ୱାରା ଆକ୍ରମଣର ମୁକାବିଲା ଲାଗି ଅନେକ ହାଇଟେକ୍ ସୁରକ୍ଷାର ପ୍ରବନ୍ଧନ କରାଯାଇଛି ।
ଏ ପ୍ରକାର ଆକ୍ରମଣରୁ ରକ୍ଷା ପାଇବା ପାଇଁ ସୁରକ୍ଷା ଟିମ୍ ଲଗାତାର ନୂଆ ଟେକ୍ନୋଲୋଜି ଉପରେ ଆଧାରିତ ଉପକରଣ ସହିତ ସମଗ୍ର ମେଳା କ୍ଷେତ୍ରରେ ପଇଁତରା ମାରୁଛନ୍ତି । ଆକ୍ରମଣ ପୂର୍ବରୁ ବିକିରଣ ଜଣାପଡ଼ିବ, ଫଳରେ ଆକ୍ରମଣକୁ ରୋକାଯାଇପାରିବ । ମହାକୁମ୍ଭରେ ବିଭିନ୍ନ ପ୍ରକାର ଆକ୍ରମଣରୁ ରକ୍ଷା ପାଇବା ପାଇଁ ମୁତୟନ ଟିମ୍ ଗଙ୍ଗାଜଳଠୁ ଆରମ୍ଭ କରି ଅନ୍ୟ ଉପକରଣରୁ ନିର୍ଗତ ବିକିରଣର ଯାଞ୍ଚ୍ କରୁଛନ୍ତି । ଉତ୍ତରପ୍ରଦେଶର ବିପତ୍ତି ପ୍ରବନ୍ଧନ ପ୍ରାଧିକରଣର ପ୍ରବୀଣ କିଶୋର କହିଛନ୍ତି, ପରମାଣୁ ଉର୍ଜ୍ଜା ବିଭାଗ, ଡିଆର୍ଡିଓ ସାହାଯ୍ୟରେ ମହାକୁମ୍ଭରେ ବିକିରଣକୁ ନେଇ ଅନେକ ପ୍ରକାର ଯାଞ୍ଚ୍ ଚାଲିଛି । ଏନ୍ଡିଆର୍ଏଫ୍ ସହ ସିବିଆର୍ଏନ୍ର ଅନେକ ଟିମ୍ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏଥିରେ ଅନେକ ସ୍ୱତନ୍ତ୍ର ବାହନର ଉପଯୋଗ ହୋଇଛି ।
ପରମାଣୁ ଉର୍ଜ୍ଜା ବିଭାଗ ତରଫରୁ ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଉପକରଣଯୁକ୍ତ ବାହନ ଲଗାତାର ମେଳା କ୍ଷେତ୍ରରେ କାର୍ଯ୍ୟ କରୁଛି । ଏହି ବାହନର ନାଁ ଏମ୍ଆର୍ଏଏଲ୍ । କୌଣସି ପ୍ରକାର ପରମାଣୁ ଉର୍ଜ୍ଜା ସମ୍ବନ୍ଧୀୟ ବିକିରଣ ସାମ୍ନାକୁ ଆସିଲେ, ଏଥିରୁ ସୁରକ୍ଷା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ । ଏଥିସହ ସମସ୍ତ ଏସ୍ଡିଏମ୍, ପୁଲିସ ସହ ଅନ୍ୟ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି । ପରମାଣୁ ଉର୍ଜ୍ଜା ବିଭାଗର ବୈଜ୍ଞାନିକ ଦୀପକ ଶର୍ମା କହିଛନ୍ତି, ଭିନ୍ନ ଭିନ୍ନ ପ୍ରକାର ଟିମ୍ ଏଠାରେ ମୁତୟନ ହୋଇଛନ୍ତି । ଏମାନେ ଲଗାତାର ବିକିରଣର ସ୍ତର ଯାଞ୍ଚ୍ କରୁଛନ୍ତି । ଅଦ୍ୟାବଧି କେଉଁଠି ବି ବିକିରଣ ସାମାନ୍ୟ ସ୍ତରଠୁ ଅଧିକ ମିଳିନାହିଁ । ରେଡିଏସନ୍ ଡିଡକ୍ସନ ଉପକରଣ ସହ ଲଗାତାର ଏହାର ଯାଞ୍ଚ୍ କରାଯାଉଛି ।