କଟକ,୨୩/୦୧ ପରିଣତ ବୟସରେ ପହଞ୍ଚିଲେଣି ।  ଦୃଷ୍ଟି ଶକ୍ତି ମଧ୍ୟ କମିଗଲାଣି । କାମ କଲା ବେଳେ ହାତ ବି  ଥରୁଛି । ତଥାପି ସେ ଥକିପଡ଼ି ନାହାନ୍ତି । ଦୋକାନ ଭିତରେ ଗଦେଇଛନ୍ତି ବିଭିନ୍ନ କମ୍ପାନିର ଛୋଟ ବଡ଼ ରେଡିଓ । ରେଡିଓର  ଚାହିଦା ବଜାରରେ ଧୀରେ ଧୀରେ କମିବାକୁ ବସିଲାଣି । ସହରରେ ରେଡିଓ ମରାମତି ଦୋକାନ ମିଳୁନାହିଁ । ଆଜି ବି  ରେଡିଓ ମରାମତିକୁ ନିଜର ଗୁଜୁରାଣ କରିଛନ୍ତି ଜନ୍‌ ବେଲଜାମିନ୍‌ ବରାଳ(୭୨) । ୪୦ ବର୍ଷ ଧରି ଏହି ରେଡିଓ ମରାମତି କରି  ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ସହରରେ ବରାଳ ମଉସା ଭାବେ ବେଶ୍‌ ପରିଚିତ । ଏବେ ବି ରେଡିଓ ପ୍ରେମୀମାନେ ରେଡିଓ ସଜାଡ଼ିବାକୁ ତାଙ୍କ ଦୋକାନ ଆଗରେ ଭିଡ଼ ଜମାନ୍ତି । 

କଟକ ସହରବାସୀ ଆଜି ବି ରେଡିଓକୁ ଭୁଲି ନାହାନ୍ତି ।  ରେଡିଓ ଖରାପ ହେଲେ ଖୋଜା ପଡ଼ନ୍ତି ଜନ୍‌ ବେଲଜାମିନ୍‌ । ତାଙ୍କ  ଘର କଟକ ମକରାବାଗ୍‌ ଅଞ୍ଚଳର । ସହରରେ ସେ ଏକମାତ୍ର ବ୍ୟକ୍ତି  ଯିଏକି ଏବେ ବି ରେଡିଓ ମରାମତି କରୁଛନ୍ତି । ପରିବାର କହିଲେ  ସେ ଏକମାତ୍ର ବ୍ୟକ୍ତି । ପରିଣତ ବୟସରେ ବି ସେ ସଂଘର୍ଷ ଜାରି  ରଖିଛନ୍ତି । ତିନିକୋଣିଆ ବଗିଚାରେ ଏକ ଛୋଟିଆ ଘର ଭଡ଼ା  ନେଇ ରେଡିଓ ମରାମତି କରନ୍ତି । ଏକାଦଶ ପାସ୍‌ କରିବା ପରେ  ପାଠପଢ଼ାରେ ଆଗ୍ରହ ନହେବାରୁ ଏକ ରେଡିଓ କମ୍ପାନିରେ କିଛି  ବର୍ଷ କାମ ଆରମ୍ଭ କଲେ । ଧୀରେ ଧୀରେ ରେଡିଓ ମରାମତି  ଶିଖିଗଲେ । 

୧୯୭୮ ମସିହାରେ ଆରମ୍ଭ କଲେ ରେଡିଓ ମରାମତି  ଦୋକାନ । ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୪୦ ବର୍ଷ ହେବ  ସେ ରେଡିଓ ମରାମତିରେ ଲାଗି ପଡ଼ିଛନ୍ତି । ମରାମତି ନୁହେଁ  ନିଜେ ମଧ୍ୟ ରେଡିଓ ତିଆରି କରି ବିକ୍ରି କରନ୍ତି। ଯାହା ଲୋକାଲ୍‌ ରେଡିଓ ଭାବେ ବେଶ୍‌ ପରିଚିତ । ସେ ସମୟରେ ରେଡିଓ ମରାମତି  କରି ମାସକୁ ୧୫ ରୁ ୨୦ ହଜାର ଟଙ୍କା ରେଜଗାର ହେଉଥିଲା ।  ଏବେ ମୋବାଇଲ୍‌ ଫୋନ୍‌ ଓ ସ୍ମାର୍ଟ ଟିଭି ଆସିବା ପରେ ଆଗଭଳି ରୋଜଗାର ନାହିଁ । ଆଜିର ସମୟରେ ମାସକୁ ୫ ହଜାର ଟଙ୍କା  ହେଉନାହିଁ । ଏ ସମ୍ପର୍କରେ ଜନ୍‌ ବେଲଜାମିନ୍‌ କହନ୍ତି, ଯେଉଁମାନେ  ରେଡିଓ ଶୁଣିବାକୁ ଭଲ ପଆନ୍ତି ଏବଂ ରେଡିଓକୁ ଏବେ ବି ସାଇତି  ରଖିଛନ୍ତି, ସେମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ମୁଁ ଏହି ରେଡିଓ  ମରାମତି କରୁଛି । ଯେ ପର୍ଯ୍ୟନ୍ତ ମୋ ଗୋଡ଼ହାତ ଚାଲୁଥିବ ମୁଁ ଏମିତି ରେଡିଓ ମରାମତି କରୁଥିବି ବୋଲି ବେଲଜାମିନ୍‌ କହିଛନ୍ତି ।