ମାଲାଗା ୨୨/୧୧: ପୂର୍ବରୁ ନିଜ ନିଷ୍ପତ୍ତି ସଂପର୍କରେ  ସମସ୍ତଙ୍କୁ ଜଣାଇ ସାରିଥିଲେ । ନିଜ  ଘରୋଇ କୋର୍ଟରେ ଖେଳୁଥିଲେ ଡେଭିସ  କପ୍‌ ଫାଇନାଲ୍ସର କ୍ୱାର୍ଟର ଫାଇନାଲ ।  ୧୧,୫୦୦ ଦର୍ଶକ, ସମସ୍ତେ ଥିଲେ ତାଙ୍କର  ପ୍ରଶଂସକ ଓ ଶୁଭେଚ୍ଛୁ । କିନ୍ତୁ ତଥାପି  ସେ ଥିଲେ ‘ନର୍ଭସ’ । ନେଦରଲାଣ୍ଡସର  ଭନ ଡି ଜାଣ୍ଡସଚୁଲ୍‌ପଙ୍କ ଠାରୁ ଢେର  ସାରା ଅଭିଜ୍ଞତାର ଅଧିକାରୀ ଥିଲେ ବି  ସେ ଠିକ୍‌ରେ କୋର୍ଟରେ ରନ୍‌ କରିପାରୁ ନଥିଲେ । ହାତ ମୁଠାରେ ର‌୍ୟାକେଟ୍‌କୁ  ଯେତେ ଶକ୍ତ କରି ଧରିଲେବି ତାହା  ହୁଗୁଳା ହୋଇଯାଉଥିଲା । ଶେଷରେ ୪-୬,  ୪-୬ରେ ପଛୁଆ ରହି ମ୍ୟାଚ୍‌ ପରାଜିତ  ହେଲେ । ଏହି ପରାଜୟ ସହ ବିଶ୍ୱ  ଟେନିସର ଅନ୍ୟତମ ଚଳନ୍ତି କିମ୍ବଦନ୍ତୀଙ୍କ କ୍ୟାରିୟରରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ । ସେ  ହେଉଛନ୍ତି ସ୍ପେନର ୩୮ ବର୍ଷୀୟ ୨୨ ଥର  ଗ୍ରାଣ୍ଡ୍‌ସ୍ଲାମ ବିଜେତା ରାଫେଲ ନାଦାଲ ।   

ଗତ ମଙ୍ଗଳବାର ରାତିରେ ସମସ୍ତେ  ହୋଇ ପଡ଼ିଥିଲେ ଭାବବିହ୍ୱଳ । ମ୍ୟାଚ୍‌  ହାରିବା ପରେ ନାଦାଲଙ୍କ ଆଖିରେ ଲୁହ  ଜକେଇ ଆସିଥିଲା । ହାତ ହଲାଇ ସେ  ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।  ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ  ସମ୍ବୋଧନ କରି ସେ କହିଥିଲେ, ‘ଦୁଇ  ଦଶନ୍ଧିର କ୍ୟାରିୟରରେ ମୋର ଭଲ ଓ  ଖରାପ ସମୟରେ ଆପଣମାନେ ମୋ  ସହ ରହିଛନ୍ତି । ମୋ ଶରୀର ଆଉ  ମୋତେ ଖେଳିବାର ସୁଯୋଗ ଦେଉନି, ଯାହାକୁ ଆପଣମାନେ ଗ୍ରହଣ କରନ୍ତୁ ।  ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି  ଯେ ମୋର ରୁଚି ଓ ପେସାକୁ ନେଇ ଦୀର୍ଘ  ବର୍ଷ ଚାଲିଲି ।’  

ନାଦାଲ ନିଜର ବିଦାୟୀ ବକ୍ତବ୍ୟ  ଦେଉଥାନ୍ତି । ପ୍ରଶଂସକ ରାଫା..ରାଫା..ରାଫା  ଧ୍ୱନିରେ କମ୍ପାଉଥାନ୍ତି । ‘ଆଜି ମୋ ପାଇଁ  ଭାବପ୍ରବଣତାର ଦିନ । ମ୍ୟାଚ୍‌ ଖେଳିବା  ପୂର୍ବରୁ ‘ନର୍ଭସ’ ଅନୁଭବ କରୁଥିଲି । ମୁଁ  ମୋର ଶ୍ରେଷ୍ଠ ଦେଇଛି । ମୋ ଖେଳକୁ  ଉପଭୋଗ କରିଛି । ମୋର ଏହି ଯାତ୍ରାରେ  ଆପଣମାନଙ୍କ ସହଯୋଗ ପାଇଁ ଧନ୍ୟବାଦ  ଜଣାଉଛି ବୋଲି ନାଦାଲ କହିଥିଲେ । ଫ୍ରେଞ୍ଚ ଓପନରେ ସର୍ବାଧିକ ୧୪  ଥର ଚାମ୍ପିଅନ ହୋଇଥିଲେ ନାଦାଲ ।  ଏଥିସହ ଅଷ୍ଟ୍ରେଲିଆ ଓପନ ୨,  ୱିମ୍ବଲଡନ ୨ ଏବଂ ୟୁଏସ୍‌ ଓପନରେ  ୪ ଥର ଜିତିଥିଲେ । କ୍ୟାରିୟରରେ  ସେ ମୋଟ୍‌ ୯୨ଟି ଟାଇଟଲ ଜିତିଥିଲେ ।