ନୂଆଦିଲ୍ଲୀ,୧୩/୬ : ଆଫଗାନିସ୍ତାନ ୱିକେଟକିପର-ବ୍ୟାଟର ରହମାନୁଲ୍ଲାହ ଗୁରବାଜ ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ୧୦୨ ରନର ଐତିହାସିକ ଇନିଂସ ଖେଳିଛନ୍ତି । ୪୮ ବଲରେ ସେ ଶତକ ହାସଲ କରିଛନ୍ତି । ସେ ଆଫଗାନିସ୍ତାନ ପାଇଁ ଦିନିକିଆରେ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଦ୍ରୁତତମ ଶତକ ହାସଲ କରିଥିବା ବ୍ୟାଟର ହୋଇଯାଇଛନ୍ତି । ଭେଟରାନ ବ୍ୟାଟରମାନଙ୍କ ତାଲିକାରେ ଏବେ ସାମିଲ ହୋଇଯାଇଛନ୍ତି ।

ଧର୍ମଶାଳାରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ, ଆଫଗାନିସ୍ତାନ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଆଫଗାନିସ୍ତାନ ଖରାପ ଆରମ୍ଭ କରିଥିଲା, ଦ୍ୱିତୀୟ ଓଭରରେ ପ୍ରଥମ ଓ୍ବିକେଟ ଭାବେ ଇବ୍ରାହିମ୍ ଜାଦରାନ୍ (୧)ଙ୍କୁ ହରାଇଥିଲା । ଏହା ଗୁରନୂର ବରାରଙ୍କ ପ୍ରଥମ ଅନ୍ତର୍ଜାତୀୟ ୱିକେଟ୍ ଥିଲା, ଯିଏ ତାଙ୍କର ଡେବ୍ୟୁ ଖେଳୁଛନ୍ତି । ଏହାପରେ ସେଦିକୁଲ୍ଲାହ ଅଟଳ ଶୂନ୍ୟରେ ବିଦାୟ ନେଇଥିଲେ। ଚତୁର୍ଥ ନମ୍ବରରେ ଆସିଥିବା ରହମତ ଶାହ ଜୁର୍ମାତେ (୩) ବି ଆଉଟ ହୋଇଯାଇଥିଲେ । ୨୬ ରନରେ ୩ ୱିକେଟ ଯିବା ପରେ ରହମାନୁଲ୍ଲାହ ଗୁରବାଜ ଇନିଂସକୁ ସମ୍ଭାଳିଥିଲେ ଏବଂ ଏକ ଚମତ୍କାର ଇନିଂସ ଖେଳିଥିଲେ।

ରହମାନୁଲ୍ଲାହ ଗୁରୁବାର ୪୮ବଲରେ ଶତକ ପୂରା କରିଥିଲେ । ସେ ଆଫଗାନିସ୍ତାନ ଲାଗି ଓ୍ବାନଡେରେ ସବୁଠାରୁ ଦ୍ରୁତ ଶତକ ଲଗାଇବା ବ୍ୟାଟର ହୋଇଯାଇଛନ୍ତି । ଓଭେରାଲ୍ ଲିଷ୍ଟରେ ସେ ୧୪ତମ ସ୍ଥାନରେ ଆସିଯାଇଛନ୍ତି । ଏହି ଲିଷ୍ଟରେ ପ୍ରଥମ ନମ୍ବରରେ ଏବି ଡିଭିଲିୟର୍ସ ଅଛନ୍ତି ଯିଏ ୨୦୧୫ରେ ୩୧ବଲରେ ଶତକ ଯୋଡ଼ିଥିଲେ।