ନୂଆଦିଲ୍ଲୀ,୧୦/୦୧: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର ପଟେଲ ନଗରରେ ଏକ ଆଇସକ୍ରିମ ଦୋକାନକୁ ଯାଇଥିଲେ । ସେଠାରେ ଦୋକାନୀ ମାଲିକଙ୍କ ସହ କଥା ହୋଇ ଭଲମନ୍ଦ ବୁଝିଥିଲେ । ଏହାପରେ ନିଜେ କାଭେଣ୍ଟର୍ସ ବ୍ରାଣ୍ଡ୍‌ର ଉକ୍ତ  ଆଉଟଲେଟରେ କୋଲ୍ଡ କଫି ବନାଇଥିଲେ । ରାହୁଲ ଏହାର ଭିଡିଓକୁ ସୋସିଆଲ  ମିଡିଆରେ ସେୟାର କରିବା ପରେ ଏହା ଭାଇରାଲ ହୋଇଛି । 

ରାହୁଲ ‘ଏକ୍ସ’ରେ  ଲେଖିଛନ୍ତି, ଆପଣ ନୂଆ ପିଢ଼ି ଓ ନୂଆ ବଜାର ପାଇଁ ଲିଗାସି ବ୍ରାଣ୍ଡ୍‌କୁ କେମିତି ବଦଳାଇ ପାରିବେ । ଏହି କ୍ୟାଭେଣ୍ଟର୍ସର ଯୁବା ପ୍ରତିଷ୍ଠାତାମାନେ ମୋତେ ତାହା ବତାଇଛନ୍ତି ।  କ୍ୟାଭେଣ୍ଟର୍ସ ଭଳି ନିରପେକ୍ଷ ବ୍ୟବସାୟ ପିଢ଼ି ପିଢ଼ି ଧରି ଆମ ଆର୍ଥିକ ଅଭିବୃଦ୍ଧିକୁ  ଗତି ଦେଇଛନ୍ତି । ତେଣୁ ସେମାନଙ୍କର ସମର୍ଥନ କରିବା ପାଇଁ ଉଦ୍ୟମ ହେବା  ଆବଶ୍ୟକ । ରାହୁଲ ପଟେଲ ନଗରରେ ଥିବା କ୍ୟାଭେଣ୍ଟର୍ସ ବ୍ରାଣ୍ଡ୍‌ର ଆଇସକ୍ରିମ ଫ୍ୟାକ୍ଟ୍ରି  ବି ବୁଲି ଦେଖିଥିଲେ । 




ସଂସ୍ଥାର ମାଲିକ ଅମନ୍‌ ଓ ଅଗସ୍ତ୍ୟ ରାହୁଲଙ୍କୁ ତାଙ୍କ ଭବିଷ୍ୟତ  ନିବେଶ ବାବଦରେ ପଚାରିବାରୁ ସେ କହିଥିଲେ, ମୁଁ କ୍ୟାଭେଣ୍ଟର୍ସକୁ ଦେଖିଲା ପରେ  ଏଥିରେ ନିବେଶ ପାଇଁ ଉଦ୍ୟମ କରୁଛି । ଏହି ଆଲୋଚନା ବେଳେ ପୂର୍ବରୁ ରାହୁଲ  ୟୁପିର ସୁଲତାନପୁରରେ ଭେଟିଥିବା ମୋଚି ରାମଚୈତଙ୍କ ସମ୍ପର୍କରେ କହିଥିଲେ ।  ସେ କହିଥିଲେ, ଆମ ଦେଶରେ ବ୍ୟାଙ୍କଗୁଡ଼ିକ ବଡ଼ ବ୍ୟବସାୟୀଙ୍କୁ ସହଜରେ ଋଣ  ଦେଉଛନ୍ତି । କିନ୍ତୁ ଛୋଟ କାମ କରୁଥିବା ଲୋକମାନଙ୍କୁ ଋଣ ଦେଉନାହାନ୍ତି ।