ନୂଆଦିଲ୍ଲୀ,୨।୧୦: ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କଲମ୍ବିଆ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ,ଭାରତରେ ଗଣତନ୍ତ୍ର ଆକ୍ରମଣର ଶିକାର ହେଉଛି। ଏହା ସବୁଠାରୁ ବଡ଼ ବିପଦ। କଲମ୍ବିଆର EIA ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନାରେ ରାହୁଲ କହିଥିଲେ, ଭାରତରେ ଅନେକ ଧର୍ମ, ପରମ୍ପରା ଏବଂ ଭାଷା ଅଛି। ଗଣତାନ୍ତ୍ରିକ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ପ୍ରଦାନ କରେ। କିନ୍ତୁ ବର୍ତ୍ତମାନ, ଗଣତାନ୍ତ୍ରିକ ବ୍ୟବସ୍ଥା ସବୁ ଦିଗରୁ ଆକ୍ରମଣର ଶିକାର ହେଉଛି। ଗଣତନ୍ତ୍ରରେ ବିଭିନ୍ନ ଦୃଷ୍ଟିକୋଣକୁ ଗ୍ରହଣ କରିବା ଉଚିତ। ଏହି କାର୍ଯ୍ୟକ୍ରମ ସମୟରେ ରାହୁଲଙ୍କୁ ପଚରାଯାଇଥିଲା,ଭାରତ ଏବଂ ଚୀନ ଆଗାମୀ ୫୦ ବର୍ଷ ମଧ୍ୟରେ ବିଶ୍ୱର ନେତୃତ୍ୱ ନେବାକୁ ପ୍ରସ୍ତୁତ କି? ଉତ୍ତରରେ ରାହୁଲ କହିଥିଲେ, ‘ମୁଁ ଚୀନ୍ ବିଷୟରେ ଜାଣିନାହିଁ, କିନ୍ତୁ ମୁଁ ଭାବୁନାହିଁ ଯେ ଭାରତ ନିଜକୁ ବିଶ୍ୱର ନେତା ବୋଲି ଭାବୁଛି। ରାହୁଲଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେପି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ରାହୁଲ ‘ଲିଡର ଅଫ୍ ପ୍ରୋପାଗଣ୍ଡା’ ବା ‘ପ୍ରଚାରର ନେତା’ । ଏଭଳି କରି ବିଦେଶୀ ମାଟିରେ ଭାରତୀୟ ଗଣତନ୍ତ୍ରକୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛି ବିଜେପି।
ଉଲ୍ଲେଖନୀୟ ଯେ, ରାହୁଲ ଲଗାତାର ମୋଦି ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି। ଭୋଟ ଚୋରି ପ୍ରସଙ୍ଗ ହେଉ, ବିହାରରେ SIR ପ୍ରକ୍ରିୟା ହେଉ, କିମ୍ବା ଲଦାଖରେ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀ ହେଉ, କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କୁ ଜୋରଦାର ସମାଲୋଚନା ଜାରି ରଖିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲଦାଖର ଲୋକଙ୍କ ସହିତ ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି। ଏହା ସହ ଏ ଲଦାଖରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ୪ ପ୍ରଦର୍ଶନକାରୀଙ୍କ ମୃତ୍ୟୁର ନିରପେକ୍ଷ ନ୍ୟାୟିକ ତଦନ୍ତ ଦାବି କରିଥିଲେ। ଲେହରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଜଣେ ପୂର୍ବତନ କାରଗିଲ ଯବାନଙ୍କ ପୁଅ ମଧ୍ୟ ଥିଲେ। କଂଗ୍ରେସ କହିଛି ଯେ ସିଆଚେନ ଏବଂ କାରଗିଲ ଯୁଦ୍ଧରେ ସେବା କରିଥିବା ଥରଚିନଙ୍କ ଭଳି ଦେଶପ୍ରେମୀଙ୍କ ପୁଅକୁ ଗୁଳି କରି ହତ୍ୟା କରାଯିବା ଲଜ୍ଜାଜନକ। ସେନାରେ ବାପା, ସେନାରେ ପୁଅ - ଦେଶପ୍ରେମ ସେମାନଙ୍କ ରକ୍ତରେ, କିନ୍ତୁ ବିଜେପି ସରକାର ଏହି ସାହସୀ ପୁଅକୁ ଗୁଳି କରିଛି କାରଣ ସେ ଲଦାଖ ଏବଂ ତାଙ୍କ ଅଧିକାର ପାଇଁ ଠିଆ ହୋଇଥିଲେ।’
କଲମ୍ବିଆରେ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ବିଜେପି ସାଂସଦ କଙ୍ଗନା ରାଣାୱତ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଜଣେ କଳଙ୍କିତ ବ୍ୟକ୍ତି। ସମସ୍ତେ ଜାଣନ୍ତି ସେ ସବୁଠି ଦେଶକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ଏହାର ସମାଲୋଚନା କରୁଛନ୍ତି। ଯଦି ସେ ଦେଶକୁ ସମାଲୋଚନା କରୁଛନ୍ତି, କହୁଛନ୍ତି ଯେ ଏହାର ଲୋକମାନେ ଝଗଡ଼ାଳୁ ଏବଂ ସଚ୍ଚୋଟ ନୁହଁନ୍ତି, ତେବେ ଏସବୁ କରି ସେ ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ ଭାରତର ଲୋକମାନେ ମୂର୍ଖ। ଯଦି ସେ ଏହା କହିବାକୁ ଚେଷ୍ଟା କରୁଛନ୍ତି, ତେବେ ମୁଁ ତାଙ୍କୁ କଳଙ୍କ ବୋଲି କହୁଛି। ସେ ସବୁବେଳେ ଦେଶକୁ ବଦନାମ କରନ୍ତି, ଏବଂ ଦେଶ ତାଙ୍କ ପାଇଁ ଲଜ୍ଜିତ ହୁଏ। ରାହୁଲ ଗାନ୍ଧୀଙ୍କ ବୟାନ ଉପରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଦେଶରେ ଦେଶର ସାମ୍ବିଧାନିକ ପ୍ରତିଷ୍ଠାନଗୁଡ଼ିକୁ ବଦନାମ କରିବା ରାହୁଲ ଗାନ୍ଧୀଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି। ଦେଶର ଲୋକମାନେ ଏହି ଆଚରଣକୁ ଗ୍ରହଣ କରନ୍ତି ନାହିଁ।