ରାଞ୍ଚି: ଶୁକ୍ରବାର ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପ୍ରଚାର କରିବାକୁ ଆସିଥିବା କଂଗ୍ରସେ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଉଡ଼ାଣ ଭରିବାକୁ ଅନୁମତି ମିଳିନଥିଲା । କ୍ଲିୟରାନ୍ସ ନମିଳିବାରୁ କଂଗ୍ରସେ ସାଂସଦଙ୍କ ହେଲିକପ୍ଟରକୁ ଉଡ଼ାଣ ଭରିବାକୁ ଅନୁମତି ମିଳିନଥିବା କୁହାଯାଉଛି । ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ମହାଗାମାରେ ଦୀର୍ଘ ସମୟ ଅଟକି ରହିଥିଲା । ତେବେ ହେଲିକପ୍ଟରକୁ ପ୍ରାୟ ୧ ଘଣ୍ଟା ଅଟକାଇ ଦିଆଯାଇଥିଲା ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ।
ଆଜି ଗୋଡ୍ଡାରେ ନିର୍ବାଚନୀ ରାଲିକୁ ସମ୍ବୋଧନ ଅବସରରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୋରଦାର ଟାର୍ଗେଟ କରିଥିଲେ । ସେ କହିଥିଲେ, ‘ନରେନ୍ଦ୍ର ମୋଦୀ କୋଟିପତିଙ୍କ କୁଶପୁତଳିକା । କୋଟିପତି ଯାହା କହୁଛନ୍ତି, ନରେନ୍ଦ୍ର ମୋଦୀ ସେୟା କରୁଛନ୍ତି । ଗରୀବଙ୍କ ପାଖରୁ ଟଙ୍କା ଛଡ଼ାଇ ନେଇ କୋଟିପତିଙ୍କୁ ୧୬ ଲକ୍ଷ କୋଟି ଦେଇଛନ୍ତି । ମହାରାଷ୍ଟ୍ର ଧରାବୀର ଏକ ଲକ୍ଷ କୋଟି ଟଙ୍କାର ଜମିକୁ ଆଦାନୀଙ୍କୁ ଦିଆଯାଉଛି ।’
ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, ‘ଆମ ସାମ୍ନାରେ ବିଚାରଧାରାର ଲଢ଼େଇ ହେଉଛି । କଂଗ୍ରସେ ପାର୍ଟିର ଲୋକେ ଏବଂ ଇଣ୍ଡି ମେଣ୍ଟ ସମ୍ବିଧାନକୁ ବଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି । ସେପଟେ ବିଜେପି-ଆରଏସଏସ୍, ଆମ୍ବେଦକରଙ୍କ ସମ୍ବିଧାନଙ୍କୁ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି । ନରେନ୍ଦ୍ର ମୋଦୀ କହୁଛନ୍ତି, ରାହୁଲ ଗାନ୍ଧୀ ଲାଲ ପୁସ୍ତକ ଦେଖାଉଛି । ମୋଦୀ ଜୀ ଏହି ବହିର ରଙ୍ଗ ଜରୁରି ନୁହେଁ ବରଂ ଏଥିରେ ଯାହା ଲେଖା ଅଛି ତାହା ଅତି ଜରୁରି । ଯଦି ଆପଣ ଏହାକୁ ପଢ଼ିଥାନ୍ତେ, ତେବେ ଆପଣ ଲୋକମାନଙ୍କ ଗହଣରେ ଘୃଣା ପ୍ରସାର କରୁନଥାନ୍ତେ । ସମ୍ବିଧାନ ଭିତରେ ଭାରତର ଆତ୍ମା ରହିଛି । ଦେଶର ଇତିହାସ ରହିଛି, ଦଳିତଙ୍କ ସମ୍ମାନ ରହିଛି । କୃଷକ-ଦିନ ମଜୁରିଆଙ୍କ ସ୍ବପ୍ନ ରହିଛି । ଏହା ସତ୍ତ୍ୱେ ବିଜେପି-ଆରଏସଏସ୍ର ଲୋକେ ଏହାକୁ ନିଶ୍ଚିହ୍ନ କରିଦେବାକୁ ଚାହୁଁଛନ୍ତି ।’
ଝାଡ଼ଖଣ୍ଡ ନିର୍ବାଚନ ଲାଗି ଇଣ୍ଡି ମେଣ୍ଟ ୭ଟି ଗ୍ୟାରେଣ୍ଟି ଘୋଷଣା କରିଛି । ଏଥିରେ ସରନା ଧର୍ମ କୋଡକୁ ମାନ୍ୟତା, ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଆଦି ଦେବା ଲାଗି ପ୍ରତିଶ୍ରୁତି ଦେଇଛି ଜେଏମଏମ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ । ଏହା ବ୍ୟତୀତ ଏସଟି, ଏସସି ଏବଂ ଓବିସି ସମୁଦାୟଙ୍କୁ ଯଥାକ୍ରମେ ୨୮%, ୧୨% ଏବଂ ୨୭% ସଂରକ୍ଷଣ ଦେବ ବୋଲି ଗ୍ୟାରେଣ୍ଟି ଦେଇଛି ମେଣ୍ଟ । ଇଣ୍ଡି ମେଣ୍ଟ ଅନୁସାରେ, ଏହି ସବୁ ଗ୍ୟାରେଣ୍ଟି ମାଧ୍ୟମରେ ଝାଡ଼ଖଣ୍ଡ ଲୋକଙ୍କ ସାମାଜିକ, ଆର୍ଥିକ ଏବଂ ଶୈକ୍ଷିକ ପ୍ରଗତିକୁ ନୂଆ ଅବସର ମିଳିବ ।