ଭୁବନେଶ୍ବର,୧୦/୭: ଜୁଲାଇ ୧୧ରେ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ମହାସମାବେଶ ହେବ । ଏଥିରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ଏଆଇସିସିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଓ ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ଭୁବନେଶ୍ବର ଆସିବେ। ତେବେ ରାହୁଲଙ୍କ ସମାବେଶକୁ ନେଇ କଂଗ୍ରେସ ଏବେ ଅକଳରେ ପଡ଼ିଛି। ଗୋଟିଏ ପଟେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଚାଲିଛି | ଏହାରି ଭିତରେ ସମାବେଶକୁ କଂଗ୍ରେସ କାର୍ଯ୍ୟକର୍ତ୍ତା କିପରି ଆସିବେ ସେନେଇ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି।
ସମ୍ବିଧାନ ବଞ୍ଚାଓ ସମାବେଶ ବେଳେ ଡ୍ରାଇଭରଙ୍କ ଆନ୍ଦୋଳନ ଚାଲିଛି । କଂଗ୍ରେସକୁ ଟାର୍ଗେଟ କରାଯାଉଥିବା ଦଳର ନେତାମାନେ ଅଭିଯୋଗ କରିଛନ୍ତି। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି। ରାହୁଲ ଆସିଲେ ଓଡ଼ିଶାରେ ଏକ ନୂଆ ରାଜନୈତିକ ବାତାବରଣ ସୃଷ୍ଟି ହେବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ରାହୁଲଙ୍କ ସମାବେଶ ଭଣ୍ଡୁର କରିବାକୁ ସରକାର ଡ୍ରାଇଭର ଆନ୍ଦୋଳନର ସମାଧାନ କରୁନାହାନ୍ତି। ତେଣୁ ସରକାର ଆଲୋଚନା କରି ଏହାର ସମାଧାନ କରନ୍ତୁ। ଡ୍ରାଇଭର ଆନ୍ଦୋଳନ ସନ୍ଧ୍ୟା ସୁଦ୍ଧା ପ୍ରତ୍ୟାହାର କରନ୍ତୁ। ଡ୍ରାଇଭରମାନଙ୍କୁ ନିବେଦନ ଆମ ସମାବେଶକୁ ଆସୁଥିବା ଗାଡିକୁ ଅଟକାନ୍ତୁ ନାହିଁ । ଦିନକ ପାଇଁ ଆନ୍ଦୋଳନରୁ ଓହରିବାକୁ ଭକ୍ତ ଡ୍ରାଇଭରମାନଙ୍କୁ ନିବେଦନ କରିଛନ୍ତି । ଆମେ ଆପଣଙ୍କ ସାଥିରେ ଅଛୁ ବୋଲି ଭକ୍ତଚରଣ ଦାସ କହିଛନ୍ତି।