ପୁରୀ,୧୩/୦୮ : ବୁଧବାର ଶ୍ରୀମନ୍ଦିରରେ ରେଖା ପଞ୍ଚମୀ ତଥା ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ଣ ୨ଟା ୩୦ରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପ୍ରଥମ ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଏହି ବିଶେଷ ନୀତି ସମୟରେ ଠାକୁରଙ୍କ ଦର୍ଶନ କଟକଣା ରହିଥାଏ ।
ଦଇତାପତି ସେବକମାନେ ଏହି ସ୍ୱତନ୍ତ୍ର ସେବା ସମ୍ପନ୍ନ କରିବେ। ଶ୍ରୀବିଗ୍ରହଙ୍କ ଶ୍ରୀମୁଖର ଚତୁଃପାର୍ଶ୍ୱରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ (ପଟି)କୁ ରାହୁରେଖା କୁହାଯାଏ । ରାହୁରେଖା ଲାଗି ସରିଲେ ଠାକୁରଙ୍କ ମହାସ୍ନାନ ନୀତି ବଢ଼ି ଯଥାବିଧି ଦର୍ଶନ ଆରମ୍ଭ ହେବ । ବୁଧବାର ନୀତିକୁ ଚାହିଁ ଦର୍ଶନ କଟକଣା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।