ଭୁବନେଶ୍ୱର/ଫୁଲବାଣୀ/ବାଲିଗୁଡ଼ା, ୦୮/୦୧: ଜଣେ ପୂର୍ବତନ ସାଂସଦଙ୍କୁ ଠକେଇ କରି ବିଷ୍ଣୁପ୍ରିୟା ଚାନ୍ଦ ଓରଫ ରାକ୍ଷୀ ଓରଫ ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍‌ ମହାନ୍ତିଙ୍କ ପାଇଁ ଅଡୁଆ ବଢ଼ିଛି । ଅଳ୍ପ ଦିନରେ କେମିତି ସେ କୋଟି କୋଟି ଟଙ୍କା ରୋଜଗାର କଲେ ତାକୁ ନେଇ ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ (ଆଇଟି) । ମଙ୍ଗଳବାର ବିଭାଗ ପକ୍ଷରୁ ହଂସିକା ଓ ଅନିଲ୍‌ଙ୍କ ଫ୍ଲାଟ୍‌, ନୟାପଲ୍ଲୀ ଘର, ଦିଲ୍ଳୀରେ ଥିବା ଢାବା, ଝାଡ଼ଖଣ୍ଡରେ ଥିବା ହଂସିକାଙ୍କ ଅଫିସ୍‌, ରଘୁନାଥପୁରରେ ଥିବା ଅନିଲ୍‌ଙ୍କ ଅଫିସ୍‌ ସହ ୧୨ଟି ସ୍ଥାନରେ ଚଢ଼ଉ କରିଛି । ଚଢ଼ଉ ସମୟରେ କୋଟି କୋଟି ଟଙ୍କାର ବେଆଇନ ହିସାବ ଥିବା କାଗଜପତ୍ର ଜବତ କରାଯାଇଛି ।

ନର୍ଲାରୁ ଦିଲ୍ଲୀ ଓ ପରେ ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି ହଂସିକା ଓ ଅନିଲ୍‌ । ଏମାନଙ୍କ ଅଧିକାଂଶ କାରବାର ନଗଦ ଆକାରରେ ହୋଇଥିବା ଜଣାପଡ଼ିଛି । ଅଢ଼େଇ କୋଟି ଟଙ୍କାର କାର୍‌ ବି ଏମାନେ ନଗଦ ଟଙ୍କା ଦେଇ କିଣିଛନ୍ତି । କୋଟି କୋଟି ଟଙ୍କାର ଆୟକର ଫାଙ୍କି ଥିବା ଜଣାପଡ଼ିବା ପରେ ମଙ୍ଗଳବାର ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ରଘୁନାଥପୁର ଜେଡ୍‌ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌ରେ ସେନ୍ସର ଲକ୍‌ ଥିବାରୁ ଏହାକୁ ଖୋଲି ନପାରି ଆୟକର ବିଭାଗ ଖାଲି ହାତରେ ଫେରିଥିଲା । ଦିଲ୍ଲୀ ଓ ଝାଡ଼ଖଣ୍ଡ ଅଫିସ୍‌ରୁ କିଛି କାଗଜପତ୍ର ଜବତ କରିଛି ପୁଲିସ୍‌ । ସେପଟେ ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ମଧ୍ୟ ଆଜି ଅନିଲ୍‌ଙ୍କ ରଘୁନାଥପୁର ଅଫିସ୍‌ରେ ଚଢ଼ଉ କରାଯାଇଥିଲା । ଅଫିସ୍‌ ରୁମ୍‌ ତାଲା ପଡ଼ିଥିଲା । ପୁଲିସ୍‌ ଉକ୍ତ ତାଲା କାଟି ଅଫିସ୍‌ରେ ପଶି ସେଠାରୁ ବହୁ କାଗଜପତ୍ର ଜବତ କରିଛି । ଗତକାଲି ଅନିଲ୍‌ଙ୍କ ପତ୍ନୀଙ୍କୁ ପୁଲିସ୍‌ ଜେରା କରିଥିଲା । ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । 

ବାଲିଗୁଡ଼ାର ପ୍ରତିଷ୍ଠିତ ବ୍ୟବସାୟୀ ତଥା କଂଗ୍ରେସ ନେତା ସୀମାଞ୍ଚଳ ଆଚାର୍ଯ୍ୟଙ୍କ ଘରେ ମଧ୍ୟ ଚଢ଼ଉ କରିଛି ଆୟକର ବିଭାଗ ।ଭୁବନେଶ୍ୱରରୁ ଆସିଥିବା ଆୟକର ବିଭାଗର ୮ ଜଣିଆ ଟିମ୍‌ ସୀମାଞ୍ଚଳଙ୍କ ବଜାର ସାହିରେ ଥିବା ବାସଗୃହ ସମେତ ପେଟ୍ରୋଲ୍‌ ପମ୍ପ୍‌, କିରାସିନି ଡିପୋ, କ୍ରସର୍‌, ବିଦେଶୀ ମଦ ଦୋକାନରେ ଚଢ଼ଉ କରିଛନ୍ତି । ସକାଳୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ଚଢ଼ଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଟିମ୍‌ । ସୀମାଞ୍ଚଳଙ୍କ ପୁଅ ତଥା କଂଗ୍ରେସ ଯୁବ ନେତା ମନୋଜଙ୍କ ସହିତ ହଂସିକାଙ୍କ ବାହାଘର ହୋଇଥିଲା । ମନୋଜ ୨୦୧୪ ନିର୍ବାଚନରେ କଂଗ୍ରେସ ପକ୍ଷରୁ କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ । ହଂସିକାଙ୍କ ଅପରାଧ ସାମ୍ରାଜ୍ୟ ସହିତ ମନୋଜଙ୍କ ଲିଙ୍କ୍‌ ସନ୍ଦେହରେ ଏହି ଚଢ଼ଉ କରାଯାଇଥିବା ଅନୁମାନ କରାଯାଉଛି । ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚା ମାଲ ଯୋଗାଣ ପାଇଁ ଖଣି ମାଲିକଙ୍କୁ ଟେଣ୍ଡର ଦେବା, ବିଲ୍‌ଡରଙ୍କୁ ଜମି, ପ୍ଲଟ୍‌ ସହ ବିଲ୍‌ଡିଂ ଆପ୍ରୁଭାଲ୍‌ କରାଇ ଦେବାର ଲୋଭ ଦେଖାଇ ବିଭିନ୍ନ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଚୂନ ଲଗାଇଛନ୍ତି ହଂସିକା । ଭିଭିଆଇପିଙ୍କ ସଂପର୍କୀୟ ପରିଚୟ ଦେଇ ଏମାନେ ଚଳାଇଥିଲେ ର‌୍ୟାକେଟ୍‌ । ଠୁଳ କରିଥିଲେ କୋଟି କୋଟି ଟଙ୍କାର ସମ୍ପତ୍ତି । ରାଜଧାନୀର ଛାତି ଉପରେ ଅତି ଚତୁରତାର ସହ ଦୀର୍ଘ ଦିନ ହେଲା ଠକେଇ ର‌୍ୟାକେଟ ଚଳାଇଥିବା ଅନିଲ୍‌ ଓ ହଂସିକାକୁ ଇନ୍‌ଫୋସିଟି ଥାନା ପୁଲିସ୍‌ ଗିରଫ କରିଛି ସତ, ହେଲେ ଏମାନଙ୍କ ବିଷୟରେ କିଛି ଟେର ପାଉ ନାହିଁ । 

ଏହି ଦୁଇ ଜଣଙ୍କ କଳା ଟଙ୍କାକୁ ଧଳା କରୁଥିବା ବ୍ୟକ୍ତିମାନେ ଏବେ ରାଜ୍ୟ ଛାଡ଼ି ଫେରାର ହୋଇଯାଇଛନ୍ତି । ସୂଚନା ମୁତାବକ, ପୂର୍ବତନ ଏମ୍‌ପି ତଥା ଏକ ବଡ଼ ଏନ୍‌ଜିଓର ମାଲିକ ମଧ୍ୟ ହଂସିକାଙ୍କ ଶିକାର ହୋଇଥିଲେ । ଉକ୍ତ ଏନ୍‌ଜିଓକୁ ୫୦ କୋଟି ଡୋନେସନ୍‌ କରାଇ ଦେବାକୁ କହିଥିଲେ ହଂସିକା । କିଛି ଦିନ ପରେ ଡୋନେସନ୍‌ କରାଇ ଦେଇଥିଲେ ମଧ୍ୟ । ସେଥିପାଇଁ ହଂସିକା ୨୦% କମିଶନ ମାଗିଥିଲେ । ହେଲେ ଏନ୍‌ଜିଓ ସଂସ୍ଥା ମାଲିକ ମନା କରିଦେଇଥିଲେ । ହଂସିକା ତାଙ୍କୁ ଫଟୋ ଓ ଭିଡିଓ ଦେଖାଇ ବ୍ଲାକ୍‌ମେଲ କରିଥିଲେ । କିଛି ଉପାୟ ନ ପାଇ ଏନ୍‌ଜିଓ ସଂସ୍ଥା ମାଲିକଙ୍କ କର୍ମଚାରୀ ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ।