ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଉପଲବ୍ଧ ପ୍ୟାକେଜ୍ ପାଣି ରେଲ୍ ନୀର ଏବେ ଶସ୍ତା ହୋଇଛି। ଜିଏସଟି ହ୍ରାସ ପରେ ଏହାର ଲାଭ ରେଳ ଯାତ୍ରୀଙ୍କୁ ମଧ୍ୟ ମିଳିବ । ଫଳରେ ରେଲ୍ ନୀରର ମୂଲ୍ୟ ହ୍ରାସ ପାଇଛି। ଗୋଟିଏ ଲିଟର ବୋତଲର ମୂଲ୍ୟ ଏବେ ୧୫ ପରିବର୍ତ୍ତେ ୧୪ ଟଙ୍କା ହୋଇଛି । ସେହିଭଳି ଅଧା ଲିଟର ବୋତଲ ୧୦ ପରିବର୍ତ୍ତେ ୯ ଟଙ୍କାରେ ମିଳିବ । ରେଲ୍ ନୀର ହେଉଛି ଭାରତୀୟ ରେଳବାଇର ନିଜସ୍ୱ ବ୍ରାଣ୍ଡ । ଏହା ଟ୍ରେନ ଏବଂ ଷ୍ଟେସନରେ ଯାତ୍ରୀମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଥାଏ। ଏହା ଆଇଆରସିଟିସି ଦ୍ୱାରା ପରିଚାଳିତ। ୨୦୦୩ ରେ ଏହା ଆରମ୍ଭ ହୋଇଥିଲା । ସେତେବେଳେ ଷ୍ଟେସନରେ ପ୍ରାୟତଃ ନିମ୍ନମାନର ପାଣି ମିଳୁଥିଲା ।
ରେଲ ନୀର ଯାତ୍ରୀମାନଙ୍କୁ ଉଚ୍ଚମାନର ପ୍ୟାକେଜ୍ ପାଣି ଯୋଗାଇବାକୁ ଲକ୍ଷ୍ୟ ରଖିଛି। ରେଳ ବୋର୍ଡର ନୂତନ ଆଦେଶ ଅନୁଯାୟୀ, ରେଳବାଇ ଦ୍ୱାରା ରେଲ ନୀର ଏବଂ ଅନ୍ୟାନ୍ୟ ପ୍ୟାକେଜ୍ ହୋଇଥିବା ପାଣି ବ୍ରାଣ୍ଡଗୁଡ଼ିକ ଏବେ ଶସ୍ତା ଦରରେ ଉପଲବ୍ଧ ହେବ। ଏହି ନିଷ୍ପତ୍ତି ଯାତ୍ରୀମାନଙ୍କୁ ସିଧାସଳଖ ଲାଭ ଦେବ । ସେମାନେ ଏବେ ଟ୍ରେନ୍ କିମ୍ବା ଷ୍ଟେସନରେ କମ୍ ମୂଲ୍ୟରେ ପାଣି ବୋତଲ କିଣିପାରିବେ। ବୋର୍ଡ ସ୍ପଷ୍ଟ କରିଛି ଯେ, ଏହି ନୂତନ ମୂଲ୍ୟ ୨୨ ସେପ୍ଟେମ୍ବର ୨୦୨୫ ରୁ ସାରା ଦେଶରେ ଲାଗୁ ହେବ। ଏହା ସହ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ରେଳ ଷ୍ଟେସନ ଏବଂ ଟ୍ରେନରେ କମ ମୂଲ୍ୟରେ ପାଣି ବୋତଲ ପାଇବେ।
ଯାତ୍ରୀଙ୍କ ସୁବିଧା ଏବଂ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରେଳ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ରେଲ ନୀରର ମୂଲ୍ୟ ଅନେକ ବର୍ଷ ଧରି ଅପରିବର୍ତ୍ତିତ ଥିଲା। ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ପାଇଁ ପାଣି ଅତ୍ୟାବଶ୍ୟକ। ଏବେ ପାଣି ବୋତଲ ମୂଲ୍ୟ ହ୍ରାସ ପାଇବାରୁ ଏହାର ଲାଭ ପାଇବେ ଯାତ୍ରୀ ।
ରେଳବାଇର ଆଇଆରସିଟିସି ମୁଖ୍ୟତଃ ଚାରୋଟି ଉପାୟରେ ରାଜସ୍ୱ ସୃଷ୍ଟି କରେ । କ୍ୟାଟରିଂ, ରେଲ ନୀର, ଅନଲାଇଟ୍ ଟିକେଟ ଏବଂ ପର୍ଯ୍ୟଟନ। ଏଥିମଧ୍ୟରୁ, କମ୍ପାନୀ ପାଣି ବିକ୍ରୟରୁ ଖୁବ ଅଧିକ ଆୟ କରେ। କମ୍ପାନୀ ୨୦୨୫ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ (ଜାନୁଆରୀ-ମାର୍ଚ୍ଚ) ପାଇଁ ଆୟ ସଂପର୍କରେ ସୂଚନା ଦେଇଛି ।
ଏହି ତ୍ରୈମାସିକରେ କମ୍ପାନୀ ରେଲ ନୀର ବିକ୍ରୟରୁ ୯୬ କୋଟି ଟଙ୍କା ଆୟ କରିଥିଲା। ସେହିଭଳି କମ୍ପାନୀ ଜୁନ୍ ୩୦, ୨୦୨୫ ରେ ଶେଷ ହୋଇଥିବା ତ୍ରୈମାସିକ ପାଇଁ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ସମୟ ମଧ୍ୟରେ କମ୍ପାନୀର ମୋଟ ରାଜସ୍ୱ ୧୧.୮ ପ୍ରତିଶତ ବୃଦ୍ଧି ପାଇ ୧,୧୫୯.୬ କୋଟି ହୋଇଛି । ଗତ ବର୍ଷ ସମାନ ତ୍ରୈମାସିକରେ ୧,୧୧୭.୫ କୋଟି ଥିଲା। ଏହି ଅଭିବୃଦ୍ଧି କ୍ୟାଟରିଂ, ରେଲ ନୀର, ଇଣ୍ଟରନେଟ୍ ଟିକେଟ ଏବଂ ପର୍ଯ୍ୟଟନ ଭଳି ପ୍ରମୁଖ କ୍ଷେତ୍ରରେ ହୋଇଛି । ଅନଲାଇନ ଟିକେଟ୍ କମ୍ପାନୀର ସବୁଠାରୁ ବଡ଼ ରାଜସ୍ୱ ଉତ୍ସ ।