ନୂଆଦିଲ୍ଲୀ, ୩/୧୨ : ଜୁନାଗଡ଼ ଓ ନବରଙ୍ଗପୁର ନୂଆ ରେଳ ଲାଇନ, ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ, ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ ପ୍ରକଳ୍ପ ସମେତ ଓଡ଼ିଶାର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ବିଷୟରେ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଜୁନାଗଡ଼ ଏବଂ ନବରଙ୍ଗପୁର (୧୧୬ କିଲୋମିଟର) ମଧ୍ୟରେ ନୂତନ ରେଳ ଲାଇନ କାମ ପାଇଁ ୨,୮୬୫କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ପ୍ରକଳ୍ପରେ ୩୭୬.୬୪ହେକ୍ଟର ଘରୋଇ ଜମି ଅଧିଗ୍ରହଣ, ୫୮.୮୭ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ ୩୫୧.୬୮ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପକୁ ଜମି ଅଧିଗ୍ରହଣ ପାଇଁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବରେ ଅଧିସୂଚିତ କରାଯାଇଛି । ଜମି ଅଧିଗ୍ରହଣ ପାଇଁ କ୍ଷମତାପ୍ରାପ୍ତ ପ୍ରାଧିକରଣ (ସିଏଏଲଏ) ନିଯୁକ୍ତ କରାଯାଇଛି ଏବଂ ଅଧିଗ୍ରହଣ କାର୍ଯ୍ୟ ହାତକୁ ନିଆଯାଇଛି।

ରେଳ ମନ୍ତ୍ରୀ କହିଛନ୍ତି, ନବରଙ୍ଗପୁର-ଜୟପୁର (୪୧କିଲୋମିଟର) ନୂତନ ଲାଇନ ପ୍ରକଳ୍ପକୁ ୭୪୮କୋଟି ଟଙ୍କା ଅଟକଳ ସହ ଖର୍ଚ୍ଚ ସହଭାଗିତା ଭିତ୍ତିରେ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପରେ ୨୯୧.୮୭ହେକ୍ଟର ଘରୋଇ ଜମି ଅଧିଗ୍ରହଣ, ୩୩.୫୯ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ ୧୩.୪୭ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ ପାଇଁ ଜମି ଓଡ଼ିଶା ସରକାର ଯୋଗାଇବାକୁ ଥିବାରୁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିଛନ୍ତି। ଏ ପର୍ଯ୍ୟନ୍ତ ମୋଟ ୩୩୮.୯୪ହେକ୍ଟର ଆବଶ୍ୟକ ଜମି ମଧ୍ୟରୁ ୧୨.୪୧ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି । ଇନ୍ଦ୍ରାବତୀ ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି।

- ଓଡ଼ିଶାରେ କାର୍ଯ୍ୟକାରୀ ରେଳ ପ୍ରକଳ୍ପ ସମ୍ପର୍କରେ ସଂସଦରେ ସୂଚନା ଦେଲେ ରେଳମନ୍ତ୍ରୀ

- ଓଡ଼ିଶାକୁ ୧୩ଗୁଣ ଅଧିକ ୧୦,୫୯୯କୋଟିର ରେଳ ବଜେଟ୍ ଆବଣ୍ଟନ

- ଜୁନାଗଡ଼ ଏବଂ ନବରଙ୍ଗପୁର ନୂତନ ରେଳ ଲାଇନ କାମ ପାଇଁ ୨,୮୬୫କୋଟି ଅଟକଳ

- ନବରଙ୍ଗପୁର-ଜୟପୁର ପ୍ରକଳ୍ପକୁ ୭୪୮କୋଟି ଅଟକଳ

- ଜୟପୁର-ମାଲକାନଗିରି ପ୍ରକଳ୍ପକୁ ୨,୩୪୪କୋଟି ବ୍ୟୟବରାଦ

- ମାଲକାନଗିରି -ପାଣ୍ଡୁରଙ୍ଗପୁରମ ଭାୟା ଭଦ୍ରାଚଳମ ଷ୍ଟେସନ ମଧ୍ୟରେ ୩,୫୯୨କୋଟିର ମଞ୍ଜୁର

-୨୧ଟି ରେଳ ଲାଇନ୍ କାମ ବର୍ତ୍ତମାନ ଜାରି ରହିଛି

- ୩୦ଟି ନୂଆ ଏବଂ ୪୬ଟି ରେଳ ଲାଇନର ଦୋହରୀକରଣ ପାଇଁ ସର୍ଭେ କରାଯାଇଛି

ସେହିପରି ଜୟପୁର-ମାଲକାନଗିରି(୧୩୦କିଲୋମିଟର) ନୂତନ ରେଳ ଲାଇନ ପ୍ରକଳ୍ପକୁ ୨,୩୪୪କୋଟି ଟଙ୍କା ବ୍ୟୟବରାଦ ଆଧାରରେ ଖର୍ଚ୍ଚ ସହଭାଗିତା ଭିତ୍ତିରେ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପରେ ୫୦୫.୪୩ହେକ୍ଟର ବ୍ୟକ୍ତିଗତ ଜମି ଅଧିଗ୍ରହଣ, ୧୬୯.୬୮ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ ୪୫୨.୭୧ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ହାତକୁ ନିଆଯାଇଛି । ଏ ପର୍ଯ୍ୟନ୍ତ ମୋଟ୍ ୧,୧୨୭.୮୨ ହେକ୍ଟର ଆବଶ୍ୟକ ଜମି ମଧ୍ୟରୁ ୧୬୭.୩୯ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।

ଶ୍ରୀ ବୈଷ୍ଣବ ଆହୁରି ସୂଚନା ଦେଇଛନ୍ତି ଯେ, ମାଲକାନଗିରି -ପାଣ୍ଡୁରଙ୍ଗପୁରମ ଭାୟା ଭଦ୍ରାଚଳମ ଷ୍ଟେସନ (୧୭୪ କିଲୋମିଟର) ମଧ୍ୟରେ ନୂତନ ରେଳ ଲାଇନ କାର୍ଯ୍ୟ ୩,୫୯୨କୋଟି ଟଙ୍କାରେ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପରେ ୪୦୩.୨୩ହେକ୍ଟର ବ୍ୟକ୍ତିଗତ ଜମି ଅଧିଗ୍ରହଣ, ୭୭.୭୬ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ ୩୨୦.୨୫ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପକୁ ଜମି ଅଧିଗ୍ରହଣ ପାଇଁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବରେ ଅଧିସୂଚିତ କରାଯାଇଛି । ଜମି ଅଧିଗ୍ରହଣ ପାଇଁ ସକ୍ଷମ ପ୍ରାଧିକରଣ (ସିଏଏଲଏ) ନିଯୁକ୍ତ କରାଯାଇଛି ଏବଂ ଜମି ଅଧିଗ୍ରହଣ ହାତକୁ ନିଆଯାଇଛି । ରେଳମନ୍ତ୍ରୀ କହିଛନ୍ତି, ୨୦୦୯-୨୦୧୪ମଧ୍ୟରେ ଓଡ଼ିଶାକୁ ମାତ୍ର ୮୩୮କୋଟି ଟଙ୍କାର ରେଳ ବଜେଟ୍ ମିଳିଥିବାବେଳେ କେବଳ ୨୦୨୫-୨୬ରେ ଏହାର ପ୍ରାୟ ୧୩ଗୁଣ ଅଧିକ ୧୦,୫୯୯କୋଟି ଟଙ୍କାର ରେଳ ବଜେଟ୍ ଆବଣ୍ଟନ କରାଯାଇଛି । ସେହିପରି ୨୦୦୯-୧୪ମଧ୍ୟରେ ୨୬୭କିଲୋମିଟର ନୂଆ ରେଳ ଟ୍ରାକ୍ କାମ ହୋଇଥିବାବେଳେ ବାର୍ଷିକ ହାରାହାରୀ ରେଳ ଲାଇନ୍ ନିର୍ମାଣ ୫୩.୪କିଲୋମିଟର ଥିଲା। ଅନ୍ୟପଟେ ୨୦୧୪-୨୫ମଧ୍ୟରେ ୨୧୫୦କିଲୋମିଟର ରେଳ ଟ୍ରାକ୍ ନିର୍ମାଣ କରାଯାଇଛି । ଅର୍ଥାତ୍ ବାର୍ଷିକ ହାରାହାରୀ ନୂଆ ରେଳ ଲାଇନ ନିର୍ମାଣ ୧୯୫.୪୫କିଲୋମିଟର ରହିଛି, ଯାହାକି ୩.୫ ଗୁଣ ଅଧିକ।

ଏପ୍ରିଲ୍ ୨୦୨୫ସୁଦ୍ଧା ୬୭,୪୯୬କୋଟି ଟଙ୍କା ବ୍ୟୟରେ ୧୯ଟି ନୂଆ ରେଳ ଲାଇନ ଏବଂ ୩୦ଟି ରେଳ ଲାଇନର ଦୋହରୀକରଣ ସମେତ ମୋଟ୍ ୪,୦୧୦କିଲୋମିଟରର ୪୯ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଏଥିମଧ୍ୟରୁ ୨୮,୦୪୩ କୋଟି ଟଙ୍କା ବ୍ୟୟରେ ୧୪୨୯କିଲୋମିଟର ଲମ୍ବ ରେଳ ଲାଇନ କାମ ଶେଷ ହୋଇସାରିଛି। ନିକଟରେ ୧୧ଟି ରେଳ ଲାଇନ୍ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହାବ୍ୟତୀତ ୨୧ଟି ରେଳ ଲାଇନ୍ କାମ ବର୍ତ୍ତମାନ ଜାରି ରହିଛି । ଗତ ତିନି ବର୍ଷ ମଧ୍ୟରେ ୪,୮୪୩କିଲୋମିଟର ଲମ୍ବ ମୋଟ୍ ୩୦ଟି ନୂଆ ରେଳ ଲାଇନ ଏବଂ ୪୬ଟି ରେଳ ଲାଇନର ଦୋହରୀକରଣ ପାଇଁ ସର୍ଭେ କରାଯାଇଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି।