ନୂଆଦିଲ୍ଲୀ,୨୨/୦୭: ୨୦୧୮ରୁ ୨୦୨୫  ମଧ୍ୟରେ ଦେଶର ଉତ୍ତର ପୂର୍ବ ଭାଗରେ ରେଳ ଭିତ୍ତିଭୂମି କାର୍ଯ୍ୟ ବେଶ ଦୃଢ଼ ହୋଇଛି । ଏହି ଅଞ୍ଚଳର ସଂଯୋଗୀକରଣ ବ୍ୟବସ୍ଥା ଦୃଢ଼ୀକରଣ  କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି ।  ପୂର୍ବରୁ ଦେଶର ଉତ୍ତର ପୂର୍ବ ଭାଗ ରେଳ ଚଳାଚଳ କ୍ଷେତ୍ରରେ ଏତେଟା ଅଗ୍ରଗତି  କରି ନ ଥିଲା । ଏ କ୍ଷେତ୍ରରେ ମୁଖ୍ୟସ୍ରୋତରୁ  ବିଛିନ୍ନ ରହିଥିଲା ଉତ୍ତର ପୂର୍ବ ଭାଗ । ରୁଟ୍‌  ଗୁଡ଼ିକରେ ବିଦ୍ୟୁତକରଣ ସହ ଏଠାକାର  ପାର୍ବତ୍ୟାଞ୍ଚଳରେ ଏବେ ରେଳ ଯୋଗାଯୋଗ  ତ୍ୱରାନ୍ୱିତ ହୋଇଛି । ଏହା ଦ୍ୱାରା ଦେଶର  ଉତ୍ତର ପୂର୍ବ ଭାରତରେ ପର୍ଯ୍ୟଟନ ବିକାଶର  ଅପାର ସମ୍ଭାବନା ସୃଷ୍ଟି ହୋଇଛି । 

୨୦୧୮ରୁ ୨୦୨୫ ମଧ୍ୟରେ ରେଲୱେ ଏହି  ଅଞ୍ଚଳ ଲାଗି ୧୦ ପ୍ରମୁଖ କାର୍ଯ୍ୟ ହାତକୁ ନେଇଛି ।  ଏହା ଦ୍ୱାରା ରାଜ୍ୟ ଗୁଡିକର ରାଜଧାନୀ ଯୋଡି  ହେବା ସହ ଉତ୍ତର ପୂର୍ବ ଭାଗକୁ ଯୋଡ଼ିବାରେ  ପ୍ରମୁଖ ଭୂମିକା ଗ୍ରହଣ କରିଛି । ୨୬ ବର୍ଷ  ପରେ ମିଜୋରାମର ଆଇଜଲ ଦେଶର ରେଳ ନେଟୱର୍କ ସହ ଯୋଡ଼ି ହୋଇଛି । ନୂଆ  କରି ସମ୍ପୂର୍ଣ୍ଣ ହୋଇଥିବା ୫୧.୩୮ କିମିର ବୈରାବି-ସୌରାଙ୍ଗ ବ୍ରୋଡ୍‌ ଗଜ୍‌ ରେଲୱେ ଏବେ ଖୋଲିଛି । ଏଥିରେ ୫୮ ଟନେଲ, ୫୫  ପ୍ରମୁଖ ବ୍ରିଜ, ୮୭ ଅଣ ପ୍ରମୁଖ ବ୍ରିଜ ରହିଛି ।  

ଦେଶର ଆକ୍ଟ ଇଷ୍ଟ ନୀତି ଅଧିନରେ  ଏହା ଉଭୟ ମାଲ୍‌ ପରିବହନ ଏବଂ ଯାତ୍ରୀ  ସେବା ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ  କରିବ ବୋଲି ଆଶା କରାଯାଉଛି । ଏହା ସହ  ପର୍ଯ୍ୟଟନ, ସ୍ଥାନିୟ କୃଷକ, ବ୍ୟବସାୟ ଏବଂ  ଭିତ୍ତିଭୂମି ଦୃଢ଼ୀକରଣ ଦ୍ୱାରା ନୂଆ ନିଯୁକ୍ତି ଲାଗି  ଏହା ବାଟ ଖୋଲିବ ବୋଲି କୁହାଯାଉଛି । 

ଉତ୍ତର ପୂର୍ବ ଭାଗର ରାଜଧାନୀ ରୁଟ୍‌ ଏବେ  ଇଲେକ୍ଟ୍ରିକ ହୋଇଛି । ଆରକନ ରାଜଧାନୀ  ମୁଖ୍ୟ ରୁଟ୍‌କୁ ବିଦ୍ୟୁତୀକରଣ କରିବାରେ ସକ୍ଷମ ହୋଇଛି । ଏଥିରେ ଲୁମଡିଂ-ତିନସୁକିଆ ଏବଂ ଦିବ୍ରୁଗଡ-ଡୁଲିଆଜାନ ସେକ୍ସନ ସାମିଲ ରହିଛି ।  ଫଳରେ ଦିବ୍ରୁଗଡ-ନୂଆଦିଲ୍ଲୀ ରାଜଧାନୀ ଟ୍ରେନ  ଚଳାଚଳ ସମ୍ଭବ ହୋଇଛି । ଏହାବାଦ ମଣିପୁରର  ଜିରିବାମ-ଟୁପୁଲ-ଇମ୍ପାଲ ରେଳ ପ୍ରକଳ୍ପ ବିଶ୍ୱର  ସର୍ବୋଚ୍ଚ ରେଳ ପ୍ରକଳ୍ପ ମଧ୍ୟରେ ସାମିଲ ହୋଇଛି ।  ୧୪୧ ମିଟର ବିଶିଷ୍ଟ ନୁନି ବ୍ରିଜ ଇଞ୍ଜିନିୟରିଂ  ଦକ୍ଷତାକୁ ଦର୍ଶାଉଛି । ଏହି ପ୍ରକଳ୍ପରେ ୪୫ଟି  ଟନେଲ୍‌ ଏବଂ ୧୪୫ ବ୍ରିଜ ରହିଛି । 

ଏହି ପ୍ରକଳ୍ପ ଇମ୍ଫାଲ ଜିରିବାମ ମଧ୍ୟରେ  ଯାତ୍ରା ସମୟକୁ ୧୨ ଘଣ୍ଟାରୁ ୨ ଘଣ୍ଟାକୁ କମାଇଛି ।  ସୋଖୁଭି-ମୋଲଭମ ରେଳ ଲିଙ୍କ କାର୍ଯ୍ୟକ୍ଷମ ହେବା ଦ୍ୱାରା ନାଗାଲାଣ୍ଡ ରେଳ ଯୋଗେ ମାଲ୍‌  ପରିବହନ ତ୍ୱରାନ୍ୱିତ ହୋଇଛି । ମେଘାଳୟ  ପ୍ରଥମ ମାଲ୍‌ବାହୀ ଟ୍ରେନକୁ ସ୍ୱାଗତ ଜଣାଇଛି । ସେହିଭଳି ଆସାମ ପ୍ରଥମ ବନ୍ଦେ ଭାରତ  ଏକ୍ସପ୍ରେସ ଲାଭ କରିଛି । ଏହା ଗୌହାଟି ଠାରୁ  ନିୟୁ ଜଲପାଇଗୁଡି ମଧ୍ୟରେ ଚଳାଚଳ କରୁଛି । 

୧୦୦ ବର୍ଷ ପରେ ନାଗାଲାଣ୍ଡ ଦ୍ୱିତୀୟ  ରେଳ ଷ୍ଟେଶନ ପାଇଛି । ଏହା ରାଜ୍ୟ ଲାଗି  ବଡ଼ ମାଇଲଖୁଣ୍ଟ ବୋଲି କୁହାଯାଉଛି । ଦେଶ ସ୍ୱାଧୀନତା ପରେ ମଣିପୁରରେ ପ୍ରଥମ ଥର  ଲାଗି ମଣିପୁରରେ ମାଲ୍‌ବାହୀ ଟ୍ରେନ ପ୍ରବେଶ  କରିଛି । ଏହି ଟ୍ରେନ୍‌ଟି ରାଣୀଗାଇଡିନଲିୟୁ ଷ୍ଟେଶନ  ପହଞ୍ଚିଛି । ମଣିପୁର ଏବଂ ତ୍ରିପୁରା ମଧ୍ୟରେ ପ୍ରଥମ  ଜନଶତାଦ୍ଦୀ ଏକ୍ସପ୍ରେସ ଚଳାଚଳ କରିଛି । ଉତ୍ତର  ପୂର୍ବ ଭାରତକୁ ଯୋଡ଼ିବାରେ ବୋଗିବେଲ୍‌ ବ୍ରିଜ  ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି  ରେଲୱେ ପକ୍ଷରୁ ଆଶା ପ୍ରକଟ କରାଯାଇଛି ।