ନୂଆଦିଲ୍ଲୀ,୨୨/୦୭: ୨୦୧୮ରୁ ୨୦୨୫ ମଧ୍ୟରେ ଦେଶର ଉତ୍ତର ପୂର୍ବ ଭାଗରେ ରେଳ ଭିତ୍ତିଭୂମି କାର୍ଯ୍ୟ ବେଶ ଦୃଢ଼ ହୋଇଛି । ଏହି ଅଞ୍ଚଳର ସଂଯୋଗୀକରଣ ବ୍ୟବସ୍ଥା ଦୃଢ଼ୀକରଣ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି । ପୂର୍ବରୁ ଦେଶର ଉତ୍ତର ପୂର୍ବ ଭାଗ ରେଳ ଚଳାଚଳ କ୍ଷେତ୍ରରେ ଏତେଟା ଅଗ୍ରଗତି କରି ନ ଥିଲା । ଏ କ୍ଷେତ୍ରରେ ମୁଖ୍ୟସ୍ରୋତରୁ ବିଛିନ୍ନ ରହିଥିଲା ଉତ୍ତର ପୂର୍ବ ଭାଗ । ରୁଟ୍ ଗୁଡ଼ିକରେ ବିଦ୍ୟୁତକରଣ ସହ ଏଠାକାର ପାର୍ବତ୍ୟାଞ୍ଚଳରେ ଏବେ ରେଳ ଯୋଗାଯୋଗ ତ୍ୱରାନ୍ୱିତ ହୋଇଛି । ଏହା ଦ୍ୱାରା ଦେଶର ଉତ୍ତର ପୂର୍ବ ଭାରତରେ ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ସୃଷ୍ଟି ହୋଇଛି ।
୨୦୧୮ରୁ ୨୦୨୫ ମଧ୍ୟରେ ରେଲୱେ ଏହି ଅଞ୍ଚଳ ଲାଗି ୧୦ ପ୍ରମୁଖ କାର୍ଯ୍ୟ ହାତକୁ ନେଇଛି । ଏହା ଦ୍ୱାରା ରାଜ୍ୟ ଗୁଡିକର ରାଜଧାନୀ ଯୋଡି ହେବା ସହ ଉତ୍ତର ପୂର୍ବ ଭାଗକୁ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୨୬ ବର୍ଷ ପରେ ମିଜୋରାମର ଆଇଜଲ ଦେଶର ରେଳ ନେଟୱର୍କ ସହ ଯୋଡ଼ି ହୋଇଛି । ନୂଆ କରି ସମ୍ପୂର୍ଣ୍ଣ ହୋଇଥିବା ୫୧.୩୮ କିମିର ବୈରାବି-ସୌରାଙ୍ଗ ବ୍ରୋଡ୍ ଗଜ୍ ରେଲୱେ ଏବେ ଖୋଲିଛି । ଏଥିରେ ୫୮ ଟନେଲ, ୫୫ ପ୍ରମୁଖ ବ୍ରିଜ, ୮୭ ଅଣ ପ୍ରମୁଖ ବ୍ରିଜ ରହିଛି ।
ଦେଶର ଆକ୍ଟ ଇଷ୍ଟ ନୀତି ଅଧିନରେ ଏହା ଉଭୟ ମାଲ୍ ପରିବହନ ଏବଂ ଯାତ୍ରୀ ସେବା ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି । ଏହା ସହ ପର୍ଯ୍ୟଟନ, ସ୍ଥାନିୟ କୃଷକ, ବ୍ୟବସାୟ ଏବଂ ଭିତ୍ତିଭୂମି ଦୃଢ଼ୀକରଣ ଦ୍ୱାରା ନୂଆ ନିଯୁକ୍ତି ଲାଗି ଏହା ବାଟ ଖୋଲିବ ବୋଲି କୁହାଯାଉଛି ।
ଉତ୍ତର ପୂର୍ବ ଭାଗର ରାଜଧାନୀ ରୁଟ୍ ଏବେ ଇଲେକ୍ଟ୍ରିକ ହୋଇଛି । ଆରକନ ରାଜଧାନୀ ମୁଖ୍ୟ ରୁଟ୍କୁ ବିଦ୍ୟୁତୀକରଣ କରିବାରେ ସକ୍ଷମ ହୋଇଛି । ଏଥିରେ ଲୁମଡିଂ-ତିନସୁକିଆ ଏବଂ ଦିବ୍ରୁଗଡ-ଡୁଲିଆଜାନ ସେକ୍ସନ ସାମିଲ ରହିଛି । ଫଳରେ ଦିବ୍ରୁଗଡ-ନୂଆଦିଲ୍ଲୀ ରାଜଧାନୀ ଟ୍ରେନ ଚଳାଚଳ ସମ୍ଭବ ହୋଇଛି । ଏହାବାଦ ମଣିପୁରର ଜିରିବାମ-ଟୁପୁଲ-ଇମ୍ପାଲ ରେଳ ପ୍ରକଳ୍ପ ବିଶ୍ୱର ସର୍ବୋଚ୍ଚ ରେଳ ପ୍ରକଳ୍ପ ମଧ୍ୟରେ ସାମିଲ ହୋଇଛି । ୧୪୧ ମିଟର ବିଶିଷ୍ଟ ନୁନି ବ୍ରିଜ ଇଞ୍ଜିନିୟରିଂ ଦକ୍ଷତାକୁ ଦର୍ଶାଉଛି । ଏହି ପ୍ରକଳ୍ପରେ ୪୫ଟି ଟନେଲ୍ ଏବଂ ୧୪୫ ବ୍ରିଜ ରହିଛି ।
ଏହି ପ୍ରକଳ୍ପ ଇମ୍ଫାଲ ଜିରିବାମ ମଧ୍ୟରେ ଯାତ୍ରା ସମୟକୁ ୧୨ ଘଣ୍ଟାରୁ ୨ ଘଣ୍ଟାକୁ କମାଇଛି । ସୋଖୁଭି-ମୋଲଭମ ରେଳ ଲିଙ୍କ କାର୍ଯ୍ୟକ୍ଷମ ହେବା ଦ୍ୱାରା ନାଗାଲାଣ୍ଡ ରେଳ ଯୋଗେ ମାଲ୍ ପରିବହନ ତ୍ୱରାନ୍ୱିତ ହୋଇଛି । ମେଘାଳୟ ପ୍ରଥମ ମାଲ୍ବାହୀ ଟ୍ରେନକୁ ସ୍ୱାଗତ ଜଣାଇଛି । ସେହିଭଳି ଆସାମ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଲାଭ କରିଛି । ଏହା ଗୌହାଟି ଠାରୁ ନିୟୁ ଜଲପାଇଗୁଡି ମଧ୍ୟରେ ଚଳାଚଳ କରୁଛି ।
୧୦୦ ବର୍ଷ ପରେ ନାଗାଲାଣ୍ଡ ଦ୍ୱିତୀୟ ରେଳ ଷ୍ଟେଶନ ପାଇଛି । ଏହା ରାଜ୍ୟ ଲାଗି ବଡ଼ ମାଇଲଖୁଣ୍ଟ ବୋଲି କୁହାଯାଉଛି । ଦେଶ ସ୍ୱାଧୀନତା ପରେ ମଣିପୁରରେ ପ୍ରଥମ ଥର ଲାଗି ମଣିପୁରରେ ମାଲ୍ବାହୀ ଟ୍ରେନ ପ୍ରବେଶ କରିଛି । ଏହି ଟ୍ରେନ୍ଟି ରାଣୀଗାଇଡିନଲିୟୁ ଷ୍ଟେଶନ ପହଞ୍ଚିଛି । ମଣିପୁର ଏବଂ ତ୍ରିପୁରା ମଧ୍ୟରେ ପ୍ରଥମ ଜନଶତାଦ୍ଦୀ ଏକ୍ସପ୍ରେସ ଚଳାଚଳ କରିଛି । ଉତ୍ତର ପୂର୍ବ ଭାରତକୁ ଯୋଡ଼ିବାରେ ବୋଗିବେଲ୍ ବ୍ରିଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରେଲୱେ ପକ୍ଷରୁ ଆଶା ପ୍ରକଟ କରାଯାଇଛି ।