ଭୁବନେଶ୍ୱର ୧୨/୦୬: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ... । "ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ଦିଶୁଥାଇ ଝଟ ଝଟ... । ରଜ ଦୋଳି ଝୁଲିଲାଣି ଖେଳିବାକୁ ଯିବା ସାଙ୍ଗ ଭଉଣୀ ବଉଳ ଲୋ... । ଆଦି ନାନା ଗୀତ ଭାସିଆସେ ଗାଁ ଆମ୍ବତୋଟରୁ । ଯାହା ଶୁଣି ମନରେ ଆନନ୍ଦ ଉଲ୍ଲାସର ଲହରି ଖେଳିଯାଏ । ଛୋଟଠୁ ନେଇ ବଡ଼ ସଭିଏଁ ମଜିଯାଆନ୍ତି ରଜ ମଉଜରେ । ଗୀତର ତାଳେ ତାଳେ ମିଠାପାନ ଓ ପିଠା ଖାଇ ସଭିଁଏ ପାଳନ୍ତି ପର୍ବ । ପାଦରେ ଅଳତା, ହାତରେ ମେହେନ୍ଦି ଓ ଗଭାରେ ଗଜରା ଲଗାଇ ଝିଅମାନେ ଖେଳନ୍ତି ଦୋଳି । ଏହା ଝିଅମାନଙ୍କ ପର୍ବ କୁହାଯାଉଥିଲେ ହେଁ, ଏହାକୁ ସବୁ ବର୍ଗର ଲୋକେ ପାଳନ କିରନ୍ତି । ଏହାକୁ ଗଣପର୍ବ ବୋଲି ମଧ୍ୟ କୁହାଯାଏ । ହେଲେ ଆଧୁନିକତାକ ଛାପରେ ଦିନକୁ ଦିନକ ହଜି ଯିବାକୁ ବସିଲାଣି ପାରମ୍ପରିକ ରଜ । ଆସନ୍ତୁ ଜାଣିବା ପୂର୍ବରୁ ରଜ ସମୟରେ ପାଳନ କରାଯାଉଥିବା କେତେକ ପରମ୍ପରା ସମ୍ପର୍କରେ ।
ଆଗୁଆ ଦାନ୍ତକାଠି ଭାଙ୍ଗି ରଖାଯାଏ
ରଜ ପାଞ୍ଚଦିନ ଧରି ଯୁବତୀ ତଥା ବୋ ହୂମାନେ ଦାନ୍ତକାଠିରେ ଦାନ୍ତ ଘଷିବାର ପ୍ରଥା ପର୍ବରୁ ପ୍ରଚଳିତ ହୋଇ ଆସୁଛି । ଏହା ବିଶେଷକରି ଗାଁ ଗହଳିରେ ଦେଖିବାକୁ ମିଳିଥାଏ । ଏଥିପାଇଁ ସଜବାଜ ଦିନଠୁ ଦାନ୍ତକାଠି ଭାଙ୍ଗି ରଖିଥାନ୍ତି । ରଜରେ ଝିଅ ଓ ନୂଆ ବୋ ହୂମାନେ କୌଣସି କାର୍ଯ୍ୟ କରନ୍ତି ନାହିଁ ବୋଲି ସଜବାଜ ଦିନଠୁ ଏସବୁ ପ୍ରସ୍ତୁତି କରାଯାଏ ।
ରଜରେ ବଟା, କୁଟା ହୁଏନି
ଧରିତ୍ରୀ ମା’ ରଜବତୀ ହୋଇଥିବାରୁ ରଜରେ ବଟା କୁଟା ଆଦି କାର୍ଯ୍ୟ କରାଯାଏ ନାହିଁ । ଏଥିପାଇଁ ସଜବାଜ ଦିନଠୁ ପିଠା ପାଇଁ ଆବଶ୍ୟକ ସରଞ୍ଜାମ ତଥା ବିରି ଚାଉଳ ବାଟି ରଖାଯାଇଥାଏ । ଏଥି ସହିତ ଢିଙ୍କି କୁଟି ଚାଉଳ ଚୁନା ପ୍ରସ୍ତୁତ କରାଯାଏ ।
ସନ୍ଧ୍ୟାରେ ଲଗାନ୍ତି ବଟା ହଳଦୀ, ଅଳତା ଓ କଜଳ
ସାଧାରଣତଃ ରଜ କହିଲେ ଝିଅ ବୋ ହୂମାନେ ସଜବାଜ ହୋଇ ଆନନ୍ଦ ଉଲ୍ଲାସରେ ପାନ ଖାଇ ଏହି ପର୍ବକୁ ମନାଇଥାନ୍ତି । ଝିଅମାନେ ରାତିରେ ଦେହରେ ବଟା ହଳଦୀ ଲଗାଇଥାନ୍ତି । ଏଥିସହିତ ପାଦରେ ଅଳତା ଓ ଆଖିରେ କଜଳ ଲଗାଇ, ନୂଆ ଚୁଡ଼ି ପିନ୍ଧି ସଜେଇ ହୋଇଥାନ୍ତି ।
ଅଧିକ ପଢ଼ନ୍ତୁ :- Raja 2026 : ରଜ ପାଇଁ ସହରରେ ମେହେନ୍ଦି ସଜ, ଟେଣ୍ଡ୍ରେ ନୂଆ ନୂଆ ଡିଜାଇନ୍, ୧୫ ଦିନ ଆଗରୁ କାରିଗରଙ୍କୁ ବୁକିଂ
ରଜରେ ପୂଜାପାଏ କଣ୍ଢେଇ ମୂର୍ତ୍ତି
ଓଡ଼ିଶାର କେତେକ ଅଞ୍ଚଳରେ ରଜ ପର୍ବରେ କଣ୍ଢେଇ ପୂଜାର ପରମ୍ପରା ମଧ୍ୟ ରହିଛି । ସଜବାଜ ଦିନ ମାଟିରେ ବିଭିନ୍ନ ପ୍ରକାର କଣ୍ଢେଇ ମୂର୍ତ୍ତି ପ୍ରସ୍ତୁତ କରାଯାଇଥାଏ । ଯାହାକୁ ରଜ ତିନିଦିନ ଧରି ଭୋଗରାଗ କରି ପୂଜାର୍ଚ୍ଚନା କରାଯାଇଥାଏ । ବସୁମତୀ ସ୍ନାନ ଦିନ ଏହି ମୂର୍ତ୍ତି ପୂଜା କରି ପୋଖରୀରେ ବିସର୍ଜନ କରାଯାଇଥାଏ ।
ଖାଲିପାଦରେ ଚାଲିବା ମନା
ପରମ୍ପରା ଅନୁସାରେ ଏହି ଦିନ ଭୂମି ଉପରେ ଖାଲିପାଦରେ ଚାଲିବାକୁ ମନା କରାଯାଇଥାଏ । କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ, ଅଧିକାଂଶ ସମୟ ଦୋଳିରେ ଝୁଲନ୍ତି ଏବଂ ଗୁଆ ଖୋଳପା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ କରନ୍ତି ।