ଭୁବନେଶ୍ୱର,୧୨/୦୬: ଆଜି ରଜ ଉପଲକ୍ଷେ ମୁକ୍ତିଲାଭ କରୁଛି ଦୁଇଟି ନୂଆ ଓଡ଼ିଆ ସିନେମା ।  ଗୋଟିଏ ରହସ୍ୟ ଓ ରୋମାଞ୍ଚ ସହ ଆବେଗକୁ ନେଇ ବାବୁସାନ୍‌ଙ୍କ ହୋମ୍‌ ପ୍ରଡକ୍ସନ୍‌ରେ ପ୍ରସ୍ତୁତ ସିନେମା ‘ବୋଉ  ବୁଟୁ ଭୂତ’ ସହ କାଳଜୟୀ ସ୍ରଷ୍ଟା ବ୍ୟାସ କବି ଫକୀରମୋହନଙ୍କ ‘ରାଣ୍ଡିପୁଅ  ଅନନ୍ତା’ଙ୍କ କାହାଣୀ ଅବଲମ୍ବନରେ  ପ୍ରସ୍ତୁତ ‘ଅନନ୍ତା’ । ‘ବୋଉ ବୁଟୁ ଭୂତ’ ୬୧ ପ୍ରେକ୍ଷାଳୟରେ ଏବଂ ‘ଅନନ୍ତା’  ୪୦ଟି ହଲ୍‌ରେ ମୁକ୍ତିଲାଭ କରିଛି । ହଲ୍‌ ଆସି ସିନେମାକୁ ଉପଭୋଗ  କରିବା ଲାଗି ଉଭୟ ସିନେମାର ଟିମ୍‌  ଭୁବନେଶ୍ୱର ସମେତ ବିଭିନ୍ନ ସହର  ବୁଲି ବୁଲି ପ୍ରିମିୟର୍‌ କରୁଛନ୍ତି । ବଡ଼  କଥା ହେଲା ରିଲିଜ୍‌ ପୂର୍ବ ଦିନ ରାତି  ୧୨ଟାରେ ଭୁବନେଶ୍ୱର ସହ ବ୍ରହ୍ମପୁରରେ  ‘ବୋଉ ବୁଟୁ ଭୂତ’ର ୩ଟି ସୋ’ ହୋଇଥିଲା । ଅଧରାତିରେ ହଲ୍‌ରେ ଦର୍ଶକଙ୍କୁ ଭୂତ ଡରାଇଥିଲା । ପ୍ରଥମ ଥର ପାଇଁ ଅଧରାତିରେ ବାବୁସାନ୍‌ଙ୍କ ଅଭିନୀତ  ସିନେମା ଦେଖିବାକୁ ହଲ୍‌ରେ ଏଭଳି ଭିଡ଼  ଲାଗିଥିଲା ଯାହା ସିନେ ଇତିହାସରେ ଏକ ରେକର୍ଡ ଯୋଡ଼ିଛି ।  

ବର୍ତ୍ତମାନ ସମୟରେ ଏହା  ଓଡ଼ିଆ ସିନେମା ପାଇଁ ବେଶି ଜରୁରି । ଏକ ସକାରାତ୍ମକ କଥା ବୋଲି  ଆଲୋଚକମାନେ କହିଛନ୍ତି । ଉଭୟ ସିନେମାର ବ୍ୟବସାୟ ଏବଂ ସଫଳତାକୁ  ନେଇ ଦୁଇ ଟିମ୍‌ ବେଶ୍‌ ଉତ୍ସାହିତ ଓ  ଆଶାବାଦୀ ରହିଛନ୍ତି । ଏଥର ରଜ  ସିନେମାରେ ମଜା କଥା ହେଲା ସ୍ତ୍ରୀ  ପ୍ରଯୋଜିକା ଓ ସ୍ୱାମୀ ନାୟକ । ‘ଅନନ୍ତା’  ପଛରେ ସବ୍ୟସାଚୀଙ୍କ ପତ୍ନୀ ତଥା  ନାୟିକା ଅର୍ଚ୍ଚିତା ଥିଲା ବେଳେ ବାବୁସାନ୍‌ଙ୍କ ସିନେମାର ପ୍ରଯୋଜନା ପତ୍ନୀ ତୃପ୍ତି  ଅଛନ୍ତି । ‘ଅନନ୍ତା’ରେ ସବ୍ୟସାଚୀ ଏବଂ  ‘ବୋଉ ବୁଟୁ ଭୂତ’ରେ ବାବୁସାନ୍‌ଙ୍କ ସହ  ଅର୍ଚ୍ଚିତା ଅଭିନୟ କରିଛନ୍ତି । ତେଣୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦର୍ଶକଙ୍କୁ ବାନ୍ଧିବାରେ ଏକପ୍ରକାରର ପ୍ରତିଯୋଗିତା ଚାଲିବ ଆଉ  ଲଢ଼େଇ ହେବ ।   

ଆମର ଷ୍ଟୁଡିଓ ନିବେଦିତ କୁମାର  ପିକ୍‌ଚର୍ସର ସହଯୋଗରେ ପ୍ରସ୍ତୁତ  ‘ଅନନ୍ତା’ର ନିର୍ଦ୍ଦେଶନା ଦେଇଛନ୍ତି  ଅନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ତାଙ୍କ ପୁଅ  କୁମାର ସି ଦେବ । ସଂଳାପ ଡ. ରଜନୀ  ରଞ୍ଜନ ଲେଖିଥିବା ବେଳେ ସଙ୍ଗୀତ  ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର୍‌ ।  ଏଥିରେ ସବ୍ୟସାଚୀଙ୍କ ସହ ନାୟିକା  ସୂର୍ଯ୍ୟମୟୀ ମୁଖ୍ୟ ଭୂମିକାରେ ଥିବାବେଳେ  ଅନ୍ୟାନ୍ୟ ପରିଚିତ କଳାକାରମାନେ ଅଭିନୟ କରିଛନ୍ତି । ନାଁକୁ ନେଇ ବିବାଦ  ତଥା ଚର୍ଚ୍ଚାରେ ଥିବା ‘ଅନନ୍ତା’ ଏବେ  ଦର୍ଶକଙ୍କ ପାଖକୁ ଆସୁଛି । ଆଜି  ସାରା ଓଡ଼ିଶାରେ ମୁକ୍ତିଲାଭ କରୁଥିଲା ବେଳେ ୧୩ରେ ସାରା ଦେଶରେ ମୁକ୍ତିଲାଭ କରିବ । ସମସ୍ତଙ୍କୁ ଗୋଟିଏ  ଗାମୁଛା ନେଇ ହଲ୍‌କୁ ଆସିବାକୁ ଅନନ୍ତା ଓରଫ୍‌ ସବ୍ୟସାଚୀ କହିଛନ୍ତି । ତାଙ୍କ କହିବା କଥା³ ହଲ୍‌ରେ ଗାମୁଛା ନ  ଉଡ଼ିଲେ କି ରଜ । 

ସେହିପରି ବାବୁସାନ୍‌  ଫିଲ୍ମସ୍‌ ବ୍ୟାନରରେ ପ୍ରସ୍ତୁତ ‘ବୋଉ ବୁଟୁ  ଭୂତ’ର କାହାଣୀ ମହମ୍ମଦ ଇମ୍ରାନ୍‌ ଓ  ସଂଳାପ ଲେଖିଛନ୍ତି ପ୍ରଣବ ପ୍ରସନ୍ନ ରଥ ।  ନିର୍ଦ୍ଦେଶନା ଦେଇଛନ୍ତି ଜଗଦିଶ ମିଶ୍ର ।  ବାବୁସାନ୍‌ ନାୟକ ଭୂମିକାରେ ଥିବାବେଳେ  ନାୟିକା ସାଜିଛନ୍ତି ଅର୍ଚ୍ଚିତା । ସୁନ୍ଦରୀ କୁକିଜ୍‌  ଏକ ଗୀତରେ ଦର୍ଶକଙ୍କୁ ପ୍ରଭାବିତ  କରିବାର ସମ୍ଭାବନା ବି ରହିଛି । ଏହାର ସଙ୍ଗୀତ ଦେଇଛନ୍ତି ଗୌରବ ଆନନ୍ଦ । କିନ୍ତୁ ଖୁସିର କଥା ଦୁଇଟି ସିନେମାର  ଟ୍ରେଲର୍‌ ଦର୍ଶକଙ୍କ ମନ ଜିଣିଥିଲା ବେଳେ  ଗୀତ ପୂରା ଟ୍ରେଣ୍ଡିଂରେ ରହିଛି ।