ଭୁବନେଶ୍ୱର,୧୨/୦୬: ଆଜି ରଜ ଉପଲକ୍ଷେ ମୁକ୍ତିଲାଭ କରୁଛି ଦୁଇଟି ନୂଆ ଓଡ଼ିଆ ସିନେମା । ଗୋଟିଏ ରହସ୍ୟ ଓ ରୋମାଞ୍ଚ ସହ ଆବେଗକୁ ନେଇ ବାବୁସାନ୍ଙ୍କ ହୋମ୍ ପ୍ରଡକ୍ସନ୍ରେ ପ୍ରସ୍ତୁତ ସିନେମା ‘ବୋଉ ବୁଟୁ ଭୂତ’ ସହ କାଳଜୟୀ ସ୍ରଷ୍ଟା ବ୍ୟାସ କବି ଫକୀରମୋହନଙ୍କ ‘ରାଣ୍ଡିପୁଅ ଅନନ୍ତା’ଙ୍କ କାହାଣୀ ଅବଲମ୍ବନରେ ପ୍ରସ୍ତୁତ ‘ଅନନ୍ତା’ । ‘ବୋଉ ବୁଟୁ ଭୂତ’ ୬୧ ପ୍ରେକ୍ଷାଳୟରେ ଏବଂ ‘ଅନନ୍ତା’ ୪୦ଟି ହଲ୍ରେ ମୁକ୍ତିଲାଭ କରିଛି । ହଲ୍ ଆସି ସିନେମାକୁ ଉପଭୋଗ କରିବା ଲାଗି ଉଭୟ ସିନେମାର ଟିମ୍ ଭୁବନେଶ୍ୱର ସମେତ ବିଭିନ୍ନ ସହର ବୁଲି ବୁଲି ପ୍ରିମିୟର୍ କରୁଛନ୍ତି । ବଡ଼ କଥା ହେଲା ରିଲିଜ୍ ପୂର୍ବ ଦିନ ରାତି ୧୨ଟାରେ ଭୁବନେଶ୍ୱର ସହ ବ୍ରହ୍ମପୁରରେ ‘ବୋଉ ବୁଟୁ ଭୂତ’ର ୩ଟି ସୋ’ ହୋଇଥିଲା । ଅଧରାତିରେ ହଲ୍ରେ ଦର୍ଶକଙ୍କୁ ଭୂତ ଡରାଇଥିଲା । ପ୍ରଥମ ଥର ପାଇଁ ଅଧରାତିରେ ବାବୁସାନ୍ଙ୍କ ଅଭିନୀତ ସିନେମା ଦେଖିବାକୁ ହଲ୍ରେ ଏଭଳି ଭିଡ଼ ଲାଗିଥିଲା ଯାହା ସିନେ ଇତିହାସରେ ଏକ ରେକର୍ଡ ଯୋଡ଼ିଛି ।
ବର୍ତ୍ତମାନ ସମୟରେ ଏହା ଓଡ଼ିଆ ସିନେମା ପାଇଁ ବେଶି ଜରୁରି । ଏକ ସକାରାତ୍ମକ କଥା ବୋଲି ଆଲୋଚକମାନେ କହିଛନ୍ତି । ଉଭୟ ସିନେମାର ବ୍ୟବସାୟ ଏବଂ ସଫଳତାକୁ ନେଇ ଦୁଇ ଟିମ୍ ବେଶ୍ ଉତ୍ସାହିତ ଓ ଆଶାବାଦୀ ରହିଛନ୍ତି । ଏଥର ରଜ ସିନେମାରେ ମଜା କଥା ହେଲା ସ୍ତ୍ରୀ ପ୍ରଯୋଜିକା ଓ ସ୍ୱାମୀ ନାୟକ । ‘ଅନନ୍ତା’ ପଛରେ ସବ୍ୟସାଚୀଙ୍କ ପତ୍ନୀ ତଥା ନାୟିକା ଅର୍ଚ୍ଚିତା ଥିଲା ବେଳେ ବାବୁସାନ୍ଙ୍କ ସିନେମାର ପ୍ରଯୋଜନା ପତ୍ନୀ ତୃପ୍ତି ଅଛନ୍ତି । ‘ଅନନ୍ତା’ରେ ସବ୍ୟସାଚୀ ଏବଂ ‘ବୋଉ ବୁଟୁ ଭୂତ’ରେ ବାବୁସାନ୍ଙ୍କ ସହ ଅର୍ଚ୍ଚିତା ଅଭିନୟ କରିଛନ୍ତି । ତେଣୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦର୍ଶକଙ୍କୁ ବାନ୍ଧିବାରେ ଏକପ୍ରକାରର ପ୍ରତିଯୋଗିତା ଚାଲିବ ଆଉ ଲଢ଼େଇ ହେବ ।
ଆମର ଷ୍ଟୁଡିଓ ନିବେଦିତ କୁମାର ପିକ୍ଚର୍ସର ସହଯୋଗରେ ପ୍ରସ୍ତୁତ ‘ଅନନ୍ତା’ର ନିର୍ଦ୍ଦେଶନା ଦେଇଛନ୍ତି ଅନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ତାଙ୍କ ପୁଅ କୁମାର ସି ଦେବ । ସଂଳାପ ଡ. ରଜନୀ ରଞ୍ଜନ ଲେଖିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଅଭିଜିତ୍ ମଜୁମ୍ଦାର୍ । ଏଥିରେ ସବ୍ୟସାଚୀଙ୍କ ସହ ନାୟିକା ସୂର୍ଯ୍ୟମୟୀ ମୁଖ୍ୟ ଭୂମିକାରେ ଥିବାବେଳେ ଅନ୍ୟାନ୍ୟ ପରିଚିତ କଳାକାରମାନେ ଅଭିନୟ କରିଛନ୍ତି । ନାଁକୁ ନେଇ ବିବାଦ ତଥା ଚର୍ଚ୍ଚାରେ ଥିବା ‘ଅନନ୍ତା’ ଏବେ ଦର୍ଶକଙ୍କ ପାଖକୁ ଆସୁଛି । ଆଜି ସାରା ଓଡ଼ିଶାରେ ମୁକ୍ତିଲାଭ କରୁଥିଲା ବେଳେ ୧୩ରେ ସାରା ଦେଶରେ ମୁକ୍ତିଲାଭ କରିବ । ସମସ୍ତଙ୍କୁ ଗୋଟିଏ ଗାମୁଛା ନେଇ ହଲ୍କୁ ଆସିବାକୁ ଅନନ୍ତା ଓରଫ୍ ସବ୍ୟସାଚୀ କହିଛନ୍ତି । ତାଙ୍କ କହିବା କଥା³ ହଲ୍ରେ ଗାମୁଛା ନ ଉଡ଼ିଲେ କି ରଜ ।
ସେହିପରି ବାବୁସାନ୍ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ‘ବୋଉ ବୁଟୁ ଭୂତ’ର କାହାଣୀ ମହମ୍ମଦ ଇମ୍ରାନ୍ ଓ ସଂଳାପ ଲେଖିଛନ୍ତି ପ୍ରଣବ ପ୍ରସନ୍ନ ରଥ । ନିର୍ଦ୍ଦେଶନା ଦେଇଛନ୍ତି ଜଗଦିଶ ମିଶ୍ର । ବାବୁସାନ୍ ନାୟକ ଭୂମିକାରେ ଥିବାବେଳେ ନାୟିକା ସାଜିଛନ୍ତି ଅର୍ଚ୍ଚିତା । ସୁନ୍ଦରୀ କୁକିଜ୍ ଏକ ଗୀତରେ ଦର୍ଶକଙ୍କୁ ପ୍ରଭାବିତ କରିବାର ସମ୍ଭାବନା ବି ରହିଛି । ଏହାର ସଙ୍ଗୀତ ଦେଇଛନ୍ତି ଗୌରବ ଆନନ୍ଦ । କିନ୍ତୁ ଖୁସିର କଥା ଦୁଇଟି ସିନେମାର ଟ୍ରେଲର୍ ଦର୍ଶକଙ୍କ ମନ ଜିଣିଥିଲା ବେଳେ ଗୀତ ପୂରା ଟ୍ରେଣ୍ଡିଂରେ ରହିଛି ।