କଟକ, ୧୩/୦୫: ଗନ୍ଧମାର୍ଦ୍ଦନ  ଲୋଡିଂ ଏଜେନ୍ସି ଏବଂ ପରିବହନ  ସମବାୟ ସମିତି ଆର୍ଥିକ ଅନିୟମିତତା  ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ୍‌ ଇଓଡବ୍ଲୁ  ଦ୍ୱାରା ଗିରଫ ହୋଇଥିବା ବିଜେଡି  ଯୁବନେତା ରାଜା ଚକ୍ର ଓରଫ  ସୌମ୍ୟଶଙ୍କର ଚକ୍ର, ସମିତିର  ତତ୍କାଳୀନ ସଭାପତି ମାନସ ବାରିକ୍‌,  ସମ୍ପାଦକ ଉତ୍କଳ ଦାସ, ସହଯୋଗୀ  ସୁଶାନ୍ତ କୁମାର ସାମଲ ଓ ସୁଧାଂଶୁ  ଶେଖର ନାୟକଙ୍କ ଜାମିନ ମାମଲାର  ଶୁଣାଣି ଶେଷ ହୋଇଛି । ହାଇକୋର୍ଟର  ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ  ସମସ୍ତ ପକ୍ଷଙ୍କୁ ଶୁଣିବା ପରେ  ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ।  

ମାମଲାରୁ ଜଣାଯାଇଛି ଯେ,  ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଏବଂ  ପରିବହନ ସମବାୟ ସମିତିରେ  ୩୫ କୋଟି ଟଙ୍କା ହେର୍‌ଫେର ନେଇ  ଅଭିଯୋଗ ହୋଇଥିଲା । ଏନେଇ  ଇଓଡବ୍ଲୁ ପକ୍ଷରୁ ଚଢ଼ଉ କରାଯାଇ  ଯାଞ୍ଚ୍‌ କରାଯାଇଥିଲା । ଏହି ଏଜେନ୍ସି  ଜରିଆରେ କେନ୍ଦୁଝରରେ ବିଭିନ୍ନ ଖଣିରୁ  ଲୁହାପଥର ପରିବହନ କରାଯାଉଥିଲା ।  ଏଥିରେ କୋଟିକୋଟି ଟଙ୍କା ଜାଲିଆତି  ହୋଇଥିବା ନେଇ ପ୍ରାଥମିକ ପ୍ରଭାଣ ମିଳିଥିଲା । ଗିରଫଦାରୀ ଆଶଙ୍କା ଏଡାଇବା ପାଇଁ ଅଭିଯୁକ୍ତମାନେ ଆଗୁଆ  ଜାମିନ୍‌ ଆବେଦନ କରି ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି  ମାମଲାର ଶୁଣାଣି କରି ଅଭିଯୁକ୍ତମାନଙ୍କ ଆଗୁଆ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଥିଲେ । ଫଳରେ ଇଓଡବ୍ଲୁ ପକ୍ଷରୁ  ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ  କରାଯାଇଥିଲା । ପରେ ଏହି ଘଟଣାରେ  ନିୟମିତ ଜାମିନ ପାଇଁ ଅଭିଯୁକ୍ତମାନେ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । 

ଅଭିଯୁକ୍ତମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଧରଣୀଧର  ନାୟକ, ବରିଷ୍ଠ ଆଇନଜୀବୀ ଅଶୋକ  ମହାନ୍ତି, ବରିଷ୍ଠ ଆଇନଜୀବୀ ଅଶୋକ  ପରିଜା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ପାର୍ଥସାରଥୀ ନାୟକ  ମାମଲା ପରିଚାଳନା କରୁଛନ୍ତି।