କୋଣାର୍କ,୧୪/୦୬: ରଜ ଅବସରରେ ପର୍ଯ୍ୟଟନସ୍ଥଳୀ କୋଣାର୍କ ଝିଅ, ବୋହୂଙ୍କ ଗହଣରେ ଚଳଚଞ୍ଚଳ ହୋଇଉଠିଛି । ମା ଭଗବତୀ ପୀଠ, ସୂର୍ଯ୍ୟମନ୍ଦିର ଓ ଚନ୍ଦ୍ରଭାଗାରେ ଭିଡ଼ ଜମିଛି। କୋଣାର୍କ ଯାତ୍ରୀନିବାସ ପରିସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ସୁସଜ୍ଜିତ ରଜ ଦୋଳି ଓ ସ୍ୱତନ୍ତ୍ର ପିଠା ଷ୍ଟଲ୍ ଖୋଲାଯାଇଛି। କୋଣାର୍କ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନେ ଦୋଳି ଖେଳିବା ସହିତ ପିଠା ଖାଇ ରଜର ମଜା ଉଠାଉଛନ୍ତି।
ସ୍ବତନ୍ତ୍ର ଷ୍ଟଲରେ ପୋଡପିଠା, ବିଭିନ୍ନ ପ୍ରକାରର ମଣ୍ଡା, ଏଣ୍ଡୁରି, କାକରା, ଆରିସା, ଛେନାପୋଡ଼ ଓ ସୁସ୍ୱାଦୁ ପିଠା ରଖାଯାଇଛି। ଏଥିରେ ଅତିଥି ଭାବେ କୋଣାର୍କ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ, ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ଖାଦ୍ୟ ସଂସ୍କୃତି ସହିତ ପରିଚିତ କରାଇବା ଉଦ୍ଦେଶ୍ୟରେ ଏହା ଆସନ୍ତା ୩ଦିନ ଧରି ଚାଲିବ ବୋଲି ଯାତ୍ରୀ ନିବାସ ପରିଚାଳକ ବାପି ରଞ୍ଜନ ସାହୁ ପ୍ରକାଶ କରିଛନ୍ତି ।