ନୂଆଦିଲ୍ଲୀ,୦୭/୦୯: ଇନ୍ଦୋର ବ୍ୟବସାୟୀ  ରାଜା ରଘୁବଂଶୀ ହତ୍ୟା ଘଟଣାର ୯୭ ଦିନ  ପରେ ମେଘାଳୟ ପୁଲିସ ୭୯୦ ପୃଷ୍ଠାର  ଚାର୍ଜସିଟ୍‌ ଦାଖଲ କରିଛି । ପୁଲିସ ଏସ୍‌ଆଇଟି ପକ୍ଷରୁ ସିଲଂର ସୋହରା ସବ୍‌ଡିଭିଜନାଲ  ମାଜିଷ୍ଟ୍ରେଟଙ୍କ କୋର୍ଟରେ ଦାଖଲ କରାଯାଇଥିବା  ଏହି ଚାର୍ଜସିଟ୍‌ରେ ରାଜାଙ୍କ ପତ୍ନୀ ସୋନମ ଓ ଅନ୍ୟ ୭ ଜଣଙ୍କ ନାମ ସ୍ଥାନ ପାଇଛି । ମେଘାଳୟ  ପୁଲିସ ଶୁକ୍ରବାର ରାତିରେ ଏହି ସୂଚନା ଦେଇଛି ।

ଚାର୍ଜସିଟ୍‌ରେ ସୋନମ ଓ ତାଙ୍କ ପ୍ରେମିକ ରାଜ  କୁଶୱାହଙ୍କ ସମେତ ୫ ଜଣଙ୍କ ନାମରେ ହତ୍ୟା,  ଅପରାଧ ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟ ଆଦି ମାମଲା  ରହିଛି । ସେମାନେ ଏବେ ଜେଲ୍‌ରେ ଅଛନ୍ତି । ଅନ୍ୟ ୩  ଅଭିଯୁକ୍ତ ହେଲେ ଆକାଶ ରାଜପୁତ, ବିଶାଳ ଚୌହାନ  ଓ ଆନନ୍ଦ କୁର୍ମୀ । ଏହି ୩ ଜଣ ହେଉଛନ୍ତି କଣ୍ଟ୍ରାକ୍ଟର  କିଲର । ସୋନମ ଓ ରାଜ୍‌ଙ୍କ ପରାମର୍ଶରେ ସେମାନେ  ରାଜା ରଘୁବଂଶୀଙ୍କ ପିଛା କରି ମେଘାଳୟ ଯାଇଥିଲେ ଏବଂ ସେଠାରେ ହତ୍ୟା କରିଥିଲେ । ସେହିଭଳି  ଅନ୍ୟ ୩ ଜଣ ଯଥା ପ୍ରପର୍ଟି ଡିଲର ସିଲୋମ ଜେମ୍ସ,  ଲୋକେନ୍ଦ୍ର ତୋମାର ଓ ସିକ୍ୟୁରିଟି ଗାର୍ଡ ବଲବୀରଙ୍କ  ନାମରେ ପ୍ରମାଣ ନଷ୍ଟ ଓ ତାକୁ ଲୁଚାଇବା ଅଭିଯୋଗ  ରହିଛି । ଏହି ୩ ଜଣଙ୍କୁ ଜାମିନ ମିଳିସାରିଛି।

ରାଜା ରଘୁବଂଶୀଙ୍କ ବିବାହ ମେ ୧୧ ତାରିଖରେ  ସୋନମଙ୍କ ସହ ହୋଇଥିଲା । ମେ ୨୦ରେ ରାଜା ଓ  ସୋନମ ହନିମୁନ ପାଇଁ ମେଘାଳୟ ଯାଇଥିଲେ । ୨୨ ତାରିଖରେ ସେମାନେ ସିଲଂରେ ପହଞ୍ଚିବା ପରେ  ସେଠାରୁ ଏକ ସ୍କୁଟର ଭଡାରେ ନେଇ ସୋହରା  ଅଭିମୁଖେ ଯାତ୍ରା କରିଥିଲେ । ମେ ୨୪ରେ ରାଜା  ଓ ସୋନମଙ୍କ ସହିତ ପରିବାର ଲୋକଙ୍କ ସମ୍ପର୍କ  ସମ୍ଭବ ହୋଇନଥିଲା । ମେ ୨୭ରେ ଉଭୟଙ୍କ ତଲାସୀ  ଅଭିଯାନ ଆରମ୍ଭ ହୋଇଥିଲା । ଜୁନ ୨ ତାରିଖରେ ଏକ ଗଭୀର ଖାତରୁ ରାଜାଙ୍କ ମୃତଦେହ ମିଳିଥିଲା ।  କିନ୍ତୁ ସୋନମଙ୍କର କୌଣସି ପତ୍ତା ମିଳି ନଥିଲା ।  ଜୁନ ୩ରେ ରାଜାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ  ମିଳିଥିଲା । ଯେଉଁଥିରେ ତାଙ୍କୁ କୁରାଢ଼ିରେ ହାଣି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଜୁନ ୯ରେ ସୋନମ  ୟୁପିର ଗାଜିପୁରସ୍ଥିତ ଏକ ଢ଼ାବାରୁ ମିଳିଥିଲେ ।  ତାଙ୍କୁ ପଚରାଉଚୁରା କରାଯିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିଲା ଏବଂ ପୁଲିସ ଜଣଙ୍କ  ପରେ ଜଣେ ସବୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।