ଜୟପୁର, ୭।୧୧: ନିକଟରେ ରାଜସ୍ଥାନ ହାଇକୋର୍ଟଙ୍କ ଏକ ଶୁଣାଣି ଖୁବ୍ ଚର୍ଚ୍ଚାରେ ରହିଛି । ଏକ ମାମଲାର ଶୁଣାଣି ବେଳେ କୋର୍ଟ କହିଛି ଯେ, ବୋହୂ ନିଜ ଦରମାରୁ ପ୍ରତି ମାସରେ ୨୦ ହଜାର ଟଙ୍କା ଶ୍ୱଶୁରଙ୍କୁ ଦେବେ । ଏହି ମାମଲା ଅଜବର ଜିଲ୍ଲାରେ ଖରେଲିର । ଶ୍ୱଶୁର ଭଗବାନ ସିଂ ସୈନୀ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ । ତାଙ୍କ ପୁଅ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ ଥିଲେ । ସେପ୍ଟେମ୍ୱର ୨୦୧୫ରେ କାମ କରିବା ସମୟରେ ରାଜେଶଙ୍କ ମୃତ୍ୟୁ ହୋଇଥିଲା । ରାଜେଶଙ୍କ ମୃତ୍ୟୁ ପରେ ବିଭାଗ ୨୧ ଓ ୨୬ ସେପ୍ଟେମ୍ୱର ୨୦୧୫ରେ ଏକ ପତ୍ର ଜାରି କରି ଭଗବାନ ସିଂହଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିବାକୁ ନିର୍ଦ୍ଦେଶ ଦେଲେ । ରାଜେଶଙ୍କ ପତ୍ନୀ ଶଶି କୁମାର ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିଥିଲେ । ଅନୁକମ୍ପାମୂଳକ ନିଯୁକ୍ତି ଏକ ଯୋଜନା ଯେଉଁଥିରେ କୌଣସି କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ଯେ କୌଣସି ଜଣେ ସଦସ୍ୟଙ୍କୁ ଚାକିରି ଦିଆଯାଏ ।
ରାଜେଶଙ୍କ ବାପା ଏହି ଚାକିରି ତାଙ୍କ ବୋହୂ ଦେବାକୁ କହିଥିଲେ । ଏହାପରେ ମାର୍ଚ୍ଚ ୨୦୧୬ରେ ଶଶି କୁମାରଙ୍କୁ ଲୋୟର ଡିଭିଜନ କ୍ଲର୍କର ଚାକିରି ମିଳିଲା । କିନ୍ତୁ, ଚାକିରି ମିଳିବା ପୂର୍ବରୁ ଶଶିଙ୍କୁ ଗୋଟିଏ ଶପଥ ପତ୍ର ଦିଆଯାଇଥିଲା । ଯେଉଁଥିରେ ୩ଟି ସର୍ତ୍ତ ଥିଲା । ପ୍ରଥମଟି ହେଉସେ ନିଜ ଶାଶୁ, ଶ୍ୱଶୁରଙ୍କ ସହ ରହିବେ । ଦ୍ୱିତୀୟରେ ସେ ଉଭୟଙ୍କ ଯତ୍ନ ନେବା ସହ ତାଙ୍କର ସମ୍ପୂର୍ଣ୍ଣ ଖର୍ଚ୍ଚ ଉଠାଇବେ । ତୃତୀୟଟି ହେଉଛି ସେ ଦ୍ୱିତୀୟ ବିବାହ କରିବେ ନାହିଁ । କିନ୍ତୁ, ଏହାର ସମ୍ପୂର୍ଣ୍ଣ ବିପରୀତ ହୋଇଥିଲା । ଭଗବାନ ସିଂଙ୍କ କହିବାନୁସାରେ, ସ୍ୱାମୀଙ୍କ ମୃତ୍ୟୁର ମାତ୍ର ୧୮ ଦିନ ପରେ ଶଶି ଶ୍ୱଶୁର ଘର ଛାଡ଼ି ବାପଘର ଚାଲିଯାଇଥିଲେ । ଯାହା ପରେ ଯାଚିକା ଦାୟର କରିବା ପରେ କୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ୧ ନଭେମ୍ୱର ୨୦୨୫ରୁ ଶଶିଙ୍କୁ ନିଜ ଚାକିରି ଦରମାରୁ ୨୦ ହଜାର ଟଙ୍କା ଦେବାକୁ ପଡ଼ିବ ।