ରାଜସ୍ଥାନ, ୧୭।୭: ରାଜସ୍ଥାନର ଯୋଧପୁର ମଣ୍ଡୋର ଓପନ୍ ଜେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଇ ହତ୍ୟାକାରୀ ପରସ୍ପରକୁ ବିବାହ କରିବେ । ଆସନ୍ତା ୨୨ ତାରିଖରେ ଏହି ଦୁଇ ଜଣଙ୍କ ବାହାଘର ଅନୁଷ୍ଠିତ ହେବା ଲାଗି ରାଜସ୍ଥାନ ହାଇକୋର୍ଟ ଅନୁମତି ଦେଇଛନ୍ତି । ରାଜସ୍ଥାନର ନ୍ୟାୟିକ ଏବଂ ପ୍ରଶାସନିକ ଇତିହାସରେ ଏହା ପ୍ରଥମ ଘଟଣା ହେବ, ଯେଉଁଠି କୌଣସି ମୁକ୍ତ ଜେଲ୍ ପରିସରରେ ଦୁଇ ଦୋଷୀଙ୍କ ମଧ୍ୟରେ ବିବାହ ହେବ । ଯୁବକ ଜଣକ ହେଲେ ୩୩ ବର୍ଷୀୟ ମୂଲାରାମ ଭାଟି ଏବଂ ଯୁବତୀ ହେଲେ ୩୧ ବର୍ଷୀୟ ସୀମା । ମୂଲାରାମ ନାଗୋର ବାସିନ୍ଦା ହୋଇଥିବାବେଳେ ସୀମା ମୁମ୍ବାଇରେ ରହୁଥିଲେ । ଜେଲରେ ଉଭୟେ ପରସ୍ପରର ନିକଟତର ହେବା ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହାଇକୋର୍ଟ ବିଚାରପତି ଡ. ପୁଷ୍ପେନ୍ଦ୍ର ସିଂ ଭାଟି ଏବଂ ଜଷ୍ଟିସ୍ ପ୍ରବୀର ଭଟନାଗରଙ୍କ ଖଣ୍ଡପୀଠ ଏହି ଆଦେଶ ଜାରି କରିଛନ୍ତି । ରିପୋର୍ଟ ଅନୁସାରେ, ସୀମାଙ୍କ ଜଣେ ବାନ୍ଧବୀଙ୍କ ପିତା କନ୍ୟାଦାନ କରିବେ । ବାହାଘର ନିମନ୍ତ୍ରଣ କାର୍ଡରେ ପିତାଙ୍କ ସ୍ଥାନରେ ବାନ୍ଧବୀଙ୍କ ପିତାଙ୍କ ନାମ ଲେଖାଯାଇଛି ।

ମୂଲାରାମ ଦୁଇ ବର୍ଷ ପୂର୍ବରୁ ଅଜମେର ଜେଲ୍ରୁ ମଣ୍ଡୋର ଓପନ ଜେଲକୁ ଆସିଥିଲେ । ସୀମା ଦେଢ଼ ବର୍ଷ ପୂର୍ବରୁ ମହିଳା ଜେଲରୁ ସେଠାକୁ ସ୍ଥାନାନ୍ତରିତ ହୋଇଥିଲେ । ଓପନ୍ ଜେଲ ନିୟମ ଅନୁସାରେ ଉଭୟେ ସେଠାରେ ଚାଷ କାମ କରୁଥିଲେ । ସେଠାରେ ମୂଲାରାମ ଏବଂ ସୀମାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ନିକଟରେ ସୀମା ୪୦ ଦିନ ପାଇଁ ପାରୋଲରେ ଆସିଥିଲେ । ପରେ ଉଭୟେ ବିବାହ କରିବା ଲାଗି ହାଇକୋର୍ଟଙ୍କୁ ଅନୁମତି ମାଗିଥିଲେ । ମଣ୍ଡୋର ଓପନ୍ ଏୟାର କ୍ୟାମ୍ପ୍ ପରିସରରେ ଜେଲ ପ୍ରଶାସନିକ ଅଧିକାରୀଙ୍କ କଡ଼ା ତଦାରଖରେ ଏହି ବାହାଘର ଅନୁଷ୍ଠିତ ହେବ । କଏଦୀଙ୍କୁ ସମାଜରୁ ଅଲଗା ନ କରି ସେମାନଙ୍କ ପୁନର୍ବାସ ଏବଂ ସମ୍ମାନଜନକ ଜୀବନ ଆଡ଼କୁ ଫେରାଇ ନେବା ଆଧୁନିକ ଜେଲ୍ ପ୍ରଣାଳୀର ଉଦ୍ଦେଶ୍ୟ ବୋଲି ହାଇକୋର୍ଟ କହିଥିଲେ ।

ଏହା ବି ପଢ଼ନ୍ତୁ... Boyfriend conspiracy : ସିୟା , ସୋନମ ପରେ ଏବେ ସମିତା , ପ୍ରେମିକ ପାଇଁ ସ୍ୱାମୀଙ୍କୁ ଚଳନ୍ତା ଟ୍ରେନରେ କରାଇଲା ହତ୍ୟା

ବିବାହ କରିବା, ପରିବାର ବସାଇବା ଏବଂ ଗାରିମାପୂର୍ଣ୍ଣ ଜୀବନ କାଟିବା ଭାରତୀୟ ସମ୍ବିଧାନ ଅନୁସାରେ ମୌଳିକ ଅଧିକାର ବୋଲି ରାଜସ୍ଥାନ ହାଇକୋର୍ଟଙ୍କ ଯୋଧପୁର ଖଣ୍ଡପୀଠ ଟିପ୍ପଣୀ ଦେଇଥିଲେ । ପ୍ରକାଶଥାଉ କି, ମୂଲାରାମ ତାଙ୍କର ଜଣେ ପଡ଼ୋଶୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୨୩ରେ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିଛି । ନିଜ ଇଚ୍ଛା ବିରୋଧରେ ପରିବାରର ଚାପରେ ବିବାହ କରିଥିବା ସୀମା ବାହାଘରର ମାତ୍ର ୨ ମାସ ପରେ ସ୍ୱାମୀଙ୍କୁ ହତ୍ୟା କରିଥିଲେ । ୨୦୧୯ରେ ତାଙ୍କୁ ଏଥିପାଇଁ ଆଜୀବନ ଜେଲ୍ ଦଣ୍ଡାଦେଶ ମିଳିଥିଲା ।