ରାଜସ୍ଥାନ, ୨୨।୮: ସେଇ ନୀଳ ଡ୍ରମ୍, ଆଉ ସେଇ ନୀଳ ଡ୍ରମ୍ ଭିତରେ ଠିକ୍ ସେମିତି ଜଣେ ସ୍ୱାମୀଙ୍କ ମୃତଦେହ । ଏ ଘଟଣା ବି ରାଜସ୍ଥାନର । କିନ୍ତୁ, ଏଥର ମୁସକାନ ନୁହଁ, ସୁନିତା । କେବଳ ନାଁ ଛଡ଼ା ଆଉ ସବୁ ପ୍ଲାନ୍ ଅବିକଳ ସମାନ । ସ୍ୱାମୀର ହତ୍ୟାକାଣ୍ଡ ରଚିଥିବା ଏ ସ୍ତ୍ରୀ ବି ନିଜ ପ୍ରେମିକ ପାଇଁ ପାଗଳ । ମିରଟର ସୌରଭ ହତ୍ୟାକାଣ୍ଡ ଭଳି ଛାତିଥରା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ବ୍ଲୁ ଡ୍ରମ୍ ହତ୍ୟାକାଣ୍ଡ ମାମଲାର ପୁନରାବୃତ୍ତି ଘଟିଛି । ଏଥର ସିମେଣ୍ଟ ନୁହଁ, ସ୍ୱାମୀର ମୃତଦେହକୁ ସଢ଼ିବାକୁ ଲୁଣ ବିଞ୍ଚିଥିଲା ସ୍ତ୍ରୀ । ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା । ଆଉ ନିଜ ହାତରୁ ନିଜ ସ୍ୱାମୀର ରକ୍ତ ଚିହ୍ନ ଧୋଇବାକୁ କରିଥିଲା ମାଷ୍ଟର ପ୍ଲାନ୍ ।
ରାଜସ୍ଥାନର ଖୈର୍ଥଲ-ତିଜାରା ଜିଲ୍ଲାର ଏ ଘଟଣା । ଏକ ଘର ଛାତ ଉପରେ ଏକ ଡ୍ରମ ଭିତରେ ଥିଲା ସ୍ୱାମୀଙ୍କ ମୃତଦେହ । ୮ ବର୍ଷର ପୁଅ ପୋଲିସକୁ ଏକ ଏଭଳି ବୟାନ ଦେଇଛି, ଯାହା ସମସ୍ତଙ୍କୁ ବିଚଳିତ କରିଛି । ପିଲାଟି କହିଛି ଯେ, ଏକ ନୀଳ ପ୍ଲାଷ୍ଟିକ୍ ଡ୍ରମରେ ବାପାଙ୍କ ମୃତଦେହ ଅଛି । ଯାହାକୁ ତା’ ମାଆ ଏବଂ ଅନ୍ୟ ଜଣେ ବ୍ୟକ୍ତି ଛାତ ଉପରେ ଲୁଚାଇ ରଖିଥିବାର ସେ ଦେଖିଛି । ଉତ୍ତରପ୍ରଦେଶର ଶାହାଜାହାନପୁର ବାସିନ୍ଦା ୩୫ ବର୍ଷୀୟ ହଂସରାମ । ସୁନିତାଙ୍କୁ ବିବାହ କରିବା ପରେ ସ୍ତ୍ରୀ ଓ ୩ ପିଲାଙ୍କ ସହ କିଶନଗଡ଼ରେ ପ୍ରାୟ ୨ ମାସ ହେବ ଏକ ଭଡ଼ା ଘରେ ରହିଆସୁଥିଲେ । ହଂସରାମ ଇଟା ଭାଟିରେ କାମ କରୁଥିଲେ । ସୁନିତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ପରେ ନିଜ ସ୍ୱାମୀଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲେ । ପ୍ରେମିକ ସହ ମିଶି ହଂସରାମଙ୍କୁ ହତ୍ୟା କରିବାରେ ତାଙ୍କ ଯୋଜନା ସଫଳ ହୋଇଥିଲା ।
ସୋମବାର ପୋଲିସ ମହିଳା ସୁନିତା ଏବଂ ତାଙ୍କ ପ୍ରେମିକ ଜିତେନ୍ଦ୍ରଙ୍କୁ ଅଟକ ରଖିଛି । ରବିବାର ଛାତରୁ ଦୁର୍ଗନ୍ଧ ହେବାରୁ ପଡ଼ୋଶୀମାନେ ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ତଦନ୍ତ କରିବା ପରେ ହଂସରାମଙ୍କ ମୃତଦେହ ଘର ଛାତ ଉପରେ ଏକ ଡ୍ରମ୍ରୁ ମିଳିଥିଲା । ତାଙ୍କ ଗଳାରେ ଏକ ଧାରୁଆ ଅସ୍ତ୍ରରେ ଗଭୀର କ୍ଷତ ଥିବା ଦେଖାଯାଇଛି । ତାଙ୍କୁ ହତ୍ୟା କରିବା ପରେ ମୃତଦେହ ଡ୍ରମ୍ ଭିତରେ ରଖି ଲୁଣ ଦିଆଯାଇଥିଲା । ଯାହା ଫଳରେ ମୃତଦେହଟି ଶୀଘ୍ର ସଢ଼ିଯିବ । ପରେ ପୁଲିସ ସୁନିତା ଓ ଜିତେନ୍ଦ୍ରଙ୍କୁ ଏକ ଇଟା ଭାଟିରେ ଠାବ କରିଥିଲା । ୮ ବର୍ଷର ପୁଅଟି ପୋଲିସକୁ କହିଛି ଯେ, ଘଟଣା ରାତିରେ ତାଙ୍କ ବାପା, ମାଆ ଏବଂ ଜିତେନ୍ଦ୍ର ଏକାଠି ମଦ୍ୟପାନ କରିଥିଲେ । ହଂସରାମ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଜିତେନ୍ଦ୍ର ଏଥିରେ ହସ୍ତକ୍ଷେପ କରିଥିଲେ ଏବଂ ପରେ ତାଙ୍କ ମାଆ ପିଲାମାନଙ୍କୁ ଶୋଇବାକୁ ପଠାଇ ଦେଇଥିଲେ ।
ତା’ ପରଦିନ ସକାଳେ, ତାଙ୍କ ମାଆ ଏବଂ ଜିତେନ୍ଦ୍ର ଏକ ପାଣି ଭର୍ତ୍ତି ପ୍ଲାଷ୍ଟିକ୍ ଡ୍ରମ୍ ଖାଲି କରି ମୃତଦେହକୁ ତା ଭିତରେ ଭର୍ତ୍ତି କରିଥିଲେ, ପରେ ଲୁଣ ମିଶାଇ ଛାତ ଉପରେ ଡ୍ରମ୍ ଲୁଚାଇ ଦେଇଥିବା ପିଲାଟି ପୋଲିସକୁ କହିଛି । ପିଲାଟିର କହିବା ଅନୁଯାୟୀ, ଯେତେବେଳେ ଜିତେନ୍ଦ୍ର ବାରମ୍ବାର ଆସିବା ବିଷୟରେ ହଂସରାମ ଜାଣିପାରିଥିଲେ । ଯାହା ପରେ ଘରେ ହିଂସା ବୃଦ୍ଧି ପାଇଲା ।