ନୂଆଦିଲ୍ଲୀ, ୧୭/୦୪ : ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଦୀର୍ଘ ସମୟ ଧରି ରାଜସ୍ଥାନ ଭ୍ରମଣର ଏକ ଆକର୍ଷଣୀୟ ମାଧ୍ୟମ ରହିଆସିଛି ‘ପ୍ୟାଲେସ ଅନ୍‌ ହ୍ୱିଲ୍ସ’ ଟ୍ରେନ୍‌ । ମରୁଭୂମି, ଦୁର୍ଗ ସମେତ ଅନେକ ଐତିହାସିକ ସହର ଦେଇ ଏଥିରେ ଆରାମଦାୟକ ତଥା ବିଳାସପୂର୍ଣ୍ଣ ଯାତ୍ରା ଏହି ରାଜ୍ୟର ଶାସକୀୟ ଅତୀତକୁ ଅତି ଜୀବନ୍ତ ଭାବେ ଅନୁଭବ କରନ୍ତି ପର୍ଯ୍ୟଟକ। ୬ ଲକ୍ଷରୁ ୨୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେଇ ପର୍ଯ୍ୟଟକମାନେ ପ୍ରାୟ ୭ରୁ ୮ ଦିନ ଏଥିରେ ଯାତ୍ରା କରିପାରିଥାନ୍ତି। ଏଥିରେ ପଞ୍ଚତାରକା ହୋଟେଲଠାରୁ ବି ଅଧିକ ବିଳାସବ୍ୟସନ ଏବଂ ସୁବିଧାରେ ରହିଛି । କିନ୍ତୁ ଚଳିତ ସିଜନରେ ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁ ଏହି ପ୍ରସିଦ୍ଧ ଭାରତୀୟ ଲକଜୁରୀ ଟ୍ରେନ୍‌ ଏହାର କ୍ୟାବିନ ପୂରଣ କରିବା ପାଇଁ ମଧ୍ୟ ସଂଘର୍ଷ କରୁଛି। ବୈଶ୍ୱିକ ଭୂ-ରାଜନୈତିକ ଉତ୍ତେଜନା, ବିଶେଷକରି ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଅସ୍ଥିରତାରୁ ଭାରତରେ ମଧ୍ୟ ପର୍ଯ୍ୟଟନ ପ୍ରଭାବିତ ହୋଇଛି । ଫଳରେ ଭାରତରେ ‘ପ୍ୟାଲେସ ଅନ୍‌ ହ୍ୱିଲ୍ସ’ରେ ଭ୍ରମଣର ଅନୁଭୂତିକୁ ପର୍ଯ୍ୟଟକ ମିସ୍‌ କରୁଥିବା ବେଳେ ରାଜସ୍ଥାନ ବି ଏହାର ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ଚାହିଁବସିଛି । 

ଜୈସାଲମୈର ଭଳି ସ୍ଥାନଗୁଡ଼ିକରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାକୁ ଲାଗିବା ପରେ ଭାରତୀୟ ରେଳ ପକ୍ଷରୁ ୧୯୮୨ ମସିହାରୁ ନିର୍ମିତ ଏହି ଟ୍ରେନ୍‌ ‘ପ୍ୟାଲେସ ଅନ୍‌ ହ୍ୱିଲ୍ସ’ ରାଜସ୍ଥାନକୁ ଏକ ବିଳାସପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । କିନ୍ତୁ ଏବେ ପର୍ଯ୍ୟଟନ ସିଜନ ଶେଷ ହେବାକୁ ଆସୁଥିଲେ ହେଁ ‘ପ୍ୟାଲେସ ଅନ୍‌ ହ୍ୱିଲ୍ସ’ରେ ବୁକିଂ ହ୍ରାସ ପାଇବା ରାଜସ୍ଥାନ ଯର୍ଯ୍ୟଟନ କ୍ଷେତ୍ର ପାଇଁ ଚିନ୍ତାର ବିଷୟ ପାଲଟିଛି । ରିପୋର୍ଟ ଅନୁସାରେ, ଗତ ରବିବାର ଶେଷ ହୋଇଥିବା ଚଳିତ ସିଜନର ଅନ୍ତିମ ଜୈସାଲମୈର ଯାତ୍ରାରେ ମାତ୍ର ୩୦ ଜଣ ଯାତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ଏହାର କ୍ଷମତା ୮୪ ହୋଇଥିବାବେଳେ ଏଥର ଏତେ କମ୍‌ ସଂଖ୍ୟାରେ ପର୍ଯ୍ୟଟକ ଏହି ଟ୍ରେନ୍‌ରେ ଯାତ୍ରା କରିଛନ୍ତି । କମ୍‌ ବୁକିଂ କାରଣରୁ ଏହାର ପରବର୍ତ୍ତୀ ଦୁଇଟି ବୁକିଂକୁ ପୂର୍ବରୁ ହିଁ ବାତିଲ କରିଦିଆଯାଇଛି । 

ଟ୍ରେନ୍‌ ପରିଚାଳନା ନିୟମ ଅନୁସାରେ, ଯାତ୍ରା ପାଇଁ ଅତିକମ୍‌ରେ ୧୪ଟି କ୍ୟାବିନ୍‌ ବୁକିଂ ଆବଶ୍ୟକ । କିନ୍ତୁ ଚଳିତ ସିଜନରେ ଏକାଧିକ ଯାତ୍ରା ପାଇଁ ୧୦ ବୁକିଂ ମଧ୍ୟ ହୋଇପାରିନାହିଁ । ଫଳରେ ସେହି ଯାତ୍ରାକୁ ବାତିଲ କରିବାକୁ ପଡ଼ିଛି । କରୋନା ମହାମାରୀ ପରଠାରୁ ଏହି ଟ୍ରେନ୍‌ ଯାତ୍ରାରେ ସମସ୍ୟା ଲାଗି ରହିଛି । ଏଥିଯୋଗୁ ରାଜସ୍ଥାନର ପର୍ଯ୍ୟଟନ ବ୍ୟବସାୟ ମଧ୍ୟ କ୍ଷତିଗ୍ରସ୍ତ ହେଉଛି । କରୋନା ପରେ ୨୦୨୨ ଡିସେମ୍ବରରୁ ଯାତ୍ରା ପୁନଃ ଆରମ୍ଭ ହୋଇଥିଲା ଏବଂ ୨୦୨୩ରେ ଟ୍ରେନ୍‌ର ଘରୋଇକରଣ କରାଯାଇଥିଲା । ପରେ ଟ୍ରେନ୍‌ରେ ବିଳାସବ୍ୟସନ ବ୍ୟବସ୍ଥା ବଢ଼ାଯାଇଥିଲା । ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ଏବଂ ଏପ୍ରିଲ ମଧ୍ୟରେ ନିର୍ଦ୍ଧାରିତ ୩୨ ଯାତ୍ରା ମଧ୍ୟରୁ ଚଳିତ ସିଜନରେ ୧୦ ଯାତ୍ରା ବାତିଲ କରାଯାଇଛି । ଏଥିଯୋଗୁ ଟୁରିଜମ୍‌ ଅପରେଟରଙ୍କୁ ବେଶ୍‌ କ୍ଷତି ସହିବାକୁ ପଡ଼ିଛି । ୪୩ ବର୍ଷର ଅପରେସନ ଇତିହାସରେ ଦ୍ୱିତୀୟ ଥର ଲାଗି ପ୍ରାୟ ଏକ ତୃତୀୟାଂଶ ‘ପ୍ୟାଲେସ ଅନ୍‌ ହ୍ୱିଲ୍ସ’ର ନିର୍ଦ୍ଧାରିତ ଯାତ୍ରାକୁ ବାତିଲ କରାଯାଇଛି । ପୂର୍ବ ସିଜନରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ ଏବଂ ରୁଷ୍‌-ୟୁକ୍ରେନ୍‌ ସଙ୍କଟ କାରଣରୁ ୧୦ଟି ଯାତ୍ରା ବାତିଲ ହୋଇଥିଲା । ଅନ୍ୟପକ୍ଷରେ ଏହି ଟ୍ରେନ୍‌ରେ ଟିକେଟର ଦାମ୍‌ ୬ ଲକ୍ଷରୁ ୨୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବା ମଧ୍ୟ ଟ୍ରେନ୍‌ ଯାତ୍ରାର ଚାହିଦା କମାଉଛି ।

ଏହି ଖବରଟିକୁ ପଢନ୍ତୁ- ସଂସଦରେ ବିତର୍କ ଭିତରେ ରାତିଅଧିଆ ଲାଗୁ ହେଲା ମହିଳା ସଂରକ୍ଷଣ ଆଇନ୍, ନୋଟିଫିକେସନ୍ ଜାରି