ନୂଆଦିଲ୍ଲୀ ୦୫/୦୩: ଭାରତୀୟ ସିନେମାର ସବୁଠାରୁ ସଫଳ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଅମିତାଭ ବଚ୍ଚନ । ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି ଅନେକ ବ୍ଲକବଷ୍ଟର ଫିଲ୍ମ। କିନ୍ତୁ ଏ ସମସ୍ତ ମଧ୍ୟରୁ ୧୯୭୨ ମସିହାରେ ଆସିଥିବା ଫିଲ୍ମ ‘ବମ୍ବେ ଟୁ ଗୋଆ’ ତାଙ୍କୁ ବଲିଉଡର ଶେହେନଶାହ ଭାବରେ ପ୍ରତିଷ୍ଠିତ କରିବାରେ ସାହାଯ୍ୟ କରିଥିଲା। ଆଉ ଏଥିପାଇଁ ବଚ୍ଚନଙ୍କୁ ରାଜୀବ ଗାନ୍ଧୀଙ୍କୁ ଧନ୍ୟବାଦ ଦେବାକୁ ପଡିବ। ହଁ, ସେହି ରାଜୀବ ଗାନ୍ଧୀ ଯିଏ ୧୯୮୪ ମସିହାରେ ଭାରତର ଷଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ।
‘ବମ୍ବେ ଟୁ ଗୋଆ’, ଯାହା ୧୯୬୬ ମସିହାର ହିଟ୍ ତାମିଲ ଫିଲ୍ମ ‘ମାଡ୍ରାସ ଟୁ ପଣ୍ଡିଚେରୀ’ର ରିମେକ୍। ଅଭିନେତା-କମେଡିଆନ ମହମୁଦଙ୍କ ଦ୍ୱାରା ଫିଲ୍ମଟି ପ୍ରଯୋଜିତ ହୋଇଥିଲା। ସେ ପ୍ରଥମେ ଏହି ଫିଲ୍ମଟିକୁ ରାଜୀବ ଗାନ୍ଧୀଙ୍କୁ ଅଫର୍ କରିଥିଲେ, ଯିଏ ସେତେବେଳେ ଇଣ୍ଡିଆନ ଏୟାରଲାଇନ୍ସର ପାଇଲଟ ଥିଲେ। କିନ୍ତୁ ରାଜୀବ ଏହି ପ୍ରୋଜେକ୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ତାଙ୍କ ବନ୍ଧୁ ଅମିତାଭ ବଚ୍ଚନଙ୍କ ନାଁ କହିଥିଲେ। ଏହି କମେଡି ଥ୍ରୀଲରରେ ଅରୁଣା ଇରାନୀ, ଶତ୍ରୁଘ୍ନ ସିହ୍ନା, ନାଜିର ହୁସେନ ଏବଂ ନିଜେ ମହମୁଦ ମଧ୍ୟ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ମଧ୍ୟମ ସଫଳତା ପାଇଥିଲା। ‘ବମ୍ବେ ଟୁ ଗୋଆ’ ପରେ, ଅମିତାଭଙ୍କ ପରବର୍ତ୍ତୀ କିଛି ଫିଲ୍ମ ଶୋଚନୀୟ ଭାବରେ ଫ୍ଲପ୍ ହୋଇଥିଲା, ଏବଂ ଅଭିନେତା ତାଙ୍କର ସ୍ୱପ୍ନର ସହର ଛାଡି ଜନ୍ମସ୍ଥାନ ଆହ୍ଲାବାଦ ଫେରିବାକୁ ଯୋଜନା କରିଥିଲେ। ସେତେବେଳେ ସଲିମ-ଜାଭେଦ ତାଙ୍କୁ ‘ଜଞ୍ଜୀର’ ଅଫର୍ କରିଥିଲେ, ଯାହା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା।
‘ଜଞ୍ଜୀର’ ର କାହାଣୀ ଭିନ୍ନ ଥିଲା, କାରଣ ଏହାର ସ୍କ୍ରିପ୍ଟକୁ ଧର୍ମେନ୍ଦ୍ର, ରାଜେଶ ଖାନ୍ନା, ଦିଲୀପ କୁମାର, ରାଜ କୁମାର ଏବଂ ଦେବ ଆନନ୍ଦଙ୍କ ସମେତ ଅନେକ ଅଭିନେତା ପ୍ରତ୍ୟାଖ୍ୟାନ କରିଥିଲେ। ସଲିମ-ଜାଭେଦ ‘ବମ୍ବେ ଟୁ ଗୋଆ’ ରେ ଏକ ଫାଇଟିଂ ସିନ୍ ସମୟରେ ବଚ୍ଚନଙ୍କୁ ଲଗାତାର ଚୁଇଙ୍ଗମ୍ ଚବାଉଥିବାର ଦେଖିଥିଲେ ଏବଂ ତାଙ୍କ ନାଁ ଫିଲ୍ମ ନିର୍ମାତା ପ୍ରକାଶ ମେହେରାଙ୍କୁ କହିଥିଲେ। ତେବେ ବିଗ୍ ବି ତାଙ୍କ ବ୍ଲଗରେ ଏହି ଘଟଣାକୁ ମନେ ପକାଇ ଲେଖିଛନ୍ତି, "ସଲିମ୍-ଜାଭେଦ୍ 'ବମ୍ବେ ଟୁ ଗୋଆ' ଫିଲ୍ମରେ ଏକ ଫାଇଟିଂ ସିନ୍ ଦେଖିଥିଲେ, ଯେଉଁଥିରେ ମୁଁ ପୂରା ଫାଇଟିଂ ସମୟରେ ଚୁଇଙ୍ଗମ୍ ଚୋବାଉଥିଲି। ସେମାନେ ଭାବିଥିଲେ ଯେ ମୁଁ ଜଞ୍ଜିର ପାଇଁ ଉପଯୁକ୍ତ ପସନ୍ଦ ହେବି!!! ହେ ଭଗବାନ, ଚୁଇଙ୍ଗମ୍ ପାଇଁ ଧନ୍ୟବାଦ ଏବଂ ଧନ୍ୟବାଦ ଯେ ସଲିମ୍-ଜାଭେଦ୍ ଏହାକୁ ନୋଟିସ୍ କରିଥିଲେ!!!"
ଆହୁରି ପଢ଼ନ୍ତୁ...ଅମିତାଭ ବଚ୍ଚନ ଦେଖାଇଲେ ‘କଲ୍କି-୨’ ସେଟ୍ର ଫଟୋ , କହିଲେ – କମଲ ହାସନଙ୍କ ସହ ୪୦ ବର୍ଷ ପରେ ସାକ୍ଷାତ୍
ଯେତେବେଳେ ସମସ୍ତେ ଜଣେ ରୋମାଣ୍ଟିକ ହିରୋ ହେବାକୁ ଚାହୁଁଥିଲେ, ଅମିତାଭ ବଚ୍ଚନ ୧୯୭୩ ମସିହାର ଆକ୍ସନ୍ ଡ୍ରାମା ‘ଜଞ୍ଜୀର’ ରେ ଇନ୍ସପେକ୍ଟର ବିଜୟ ଖାନ୍ନା ଭୂମିକାରେ ଅଭିନୟ କରିବାକୁ ରାଜି ହୋଇଥିଲେ। କିନ୍ତୁ ଏକାଧିକ ଫ୍ଲପ୍ ପରେ, ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ଜୟା ଭାଦୁରୀ, ପ୍ରାଣ, ଅଜିତ ଖାନ ଏବଂ ବିନ୍ଦୁ ଅଭିନୀତ ଏହି ଫିଲ୍ମଟି ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା ଏବଂ ଏହାପରେ ଅମିତାଭ କେବେ ପଛକୁ ଫେରି ଚାହିଁ ନଥିଲେ।