ମୁମ୍ବାଇ:  ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ଏବଂ ଅଭିନେତା ହ୍ରିତିକ ରୋଶନଙ୍କ ବାପା ରାକେଶ ରୋଶନ ବଡ଼ ଘୋଷଣା କରିଛନ୍ତି । ଫିଲ୍ମ ନିର୍ଦ୍ଦେଶନାରୁ ଅବସର ନେବେ ବୋଲି କହିଛନ୍ତି ରାକେଶ ରୋଶନ । ଅଭିନେତାରୁ ଫିଲ୍ମ ନିର୍ମାତା ହୋଇଥିବା ରାକେଶ ରୋଶନ ଏବେ କେବଳ ଫିଲ୍ମ ନିର୍ମାଣ ଉପରେ ଫୋକସ୍‌ କରିବେ । ଏହା ସହିତ ସେ ବହୁ ପ୍ରତିକ୍ଷିତ ଫିଲ୍ମ ‘କ୍ରିସ୍‌-୪’କୁ ନେଇ ବଡ଼ ସୂଚନା ମଧ୍ୟ ଦେଇଛନ୍ତି । ବଲିଉଡ ହଙ୍ଗାମା ସହ ସାକ୍ଷାତକାର ସମୟରେ ରାକେଶ ରୋଶନ କହିଛନ୍ତି, ସେ ଆଉ ନିର୍ଦ୍ଦେଶନା କରିବେ ନାହିଁ କିନ୍ତୁ କ୍ରିସ୍‌-୪ ସଂପର୍କରେ ଖୁବଶୀଘ୍ର ଘୋଷଣା କରିବେ । 

 ରାକେଶ ରୋଶନଙ୍କ ପୁଅ ହ୍ରିତିକଙ୍କ ଫିଲ୍ମ ‘ବ୍ୟାଙ୍ଗ ବ୍ୟାଙ୍ଗ’, ‘ଓ୍ବାର’ ଏବଂ ‘ଫାଇଟ୍‌ର’ର ପ୍ରଯୋଜକ ଥିଲେ । ଖୁବଶୀଘ୍ର କ୍ରିସ୍‌ ଫେରିବ ବୋଲି କହିଛନ୍ତି ରାକେଶ ରୋଶନ । ତେବେ ୨୦୦୩ରେ ‘କୋଇ ମିଲ ଗୟା’ ସହ ଏହି ସାଇ-ଫାଇ ଫ୍ରାଞ୍ଚାଇଜ୍‌ର ଆରମ୍ଭ କରିଥିଲେ ରାକେଶ ରୋଶନ । ଏହାକୁ ୨୦୦୬ରେ ଫିଲ୍ମ କ୍ରିସ୍‌ ମାଧ୍ୟମରେ ସୁପର ହିରୋ ସିରିଜ୍‌କୁ ପ୍ରବେଶ କରାଇଥିଲେ । ଏଥିରେ ହ୍ରିତିକ ରୋଶନ ଉଭୟ ରୋହିତ ଏଂ ତାଙ୍କ ପୁଅ କ୍ରିଷ୍ଣା ଭୂମିକାରେ ଅଭିନୟ କରିଛନ୍ତି । କ୍ରିଷ୍ଣା ହିଁ କ୍ରିସ୍‌ ହୋଇଥିବା ବେଳେ ପ୍ରଥମେ ପ୍ରିତି ଜିଣ୍ଟା ଏବଂ ପରେ ପ୍ରିୟଙ୍କା ଚୋପ୍ରା ଜୋନସ୍‌ ମୁଖ୍ୟ ନାୟିକା ଭୂମିକା ନିଭାଇଛନ୍ତି । ଏହା ବ୍ୟତୀତ ନସିରୁଦ୍ଦିନ ଶାହ, କଙ୍ଗନା ରଣାଓ୍ବତ ଏବଂ ବିବେକ ଓବରାୟ ବହୁତ ଭଲ ଅଭିନୟ କରି ଦର୍ଶକଙ୍କୁ ଆକୃଷ୍ଟ କରିପାରିଛନ୍ତି । 

 କ୍ରିସ୍‌ ସିରିଜ୍‌ର ଲୋକପ୍ରିୟତା ବହୁ ଅଧିକ ଥିବା ବେଳେ ଦର୍ଶକେ ଏହାର ସିକ୍ବେଲ୍‌ କ୍ରିସ୍‌-୪ ପାଇଁ ବେଶ ଉତ୍ସାହିତ ଅଛନ୍ତି । ସେପଟେ ହ୍ରିତିକ ରୋଶନ ନିକଟରେ ଫାଇଟର ଫିଲ୍ମରେ ନଜର ଆସିଥିଲେ । ତାଙ୍କ ସମେତ ଏହି ଫିଲ୍ମରେ ଅନିଲ କପୁର ଏବଂ ଦୀପିକା ପାଦୁକୋନ ପ୍ରମୁଖ ଚମତ୍କାର ଅଭିନୟ କରିଥିଲେ । ଏହା ପରେ ହ୍ରିତିକ ରୋଶନ ଓ୍ବାର-୨ ଏବଂ କ୍ରିସ୍‌-୪ରେ ନଜର ଆସିବେ ।