ଅଯୋଧ୍ୟା,୨୯/୦୫: ଅଯୋଧ୍ୟା ରାମମନ୍ଦିରରେ ଜୁନ୍‌ ୫ରେ ରାମ ଦରବାର ସମେତ ୭ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ । ପୂର୍ବାହ୍ନ ୧୧ଟା ପରେ ନିର୍ଦ୍ଧାରିତ ଲଗ୍ନରେ ପୂଜା ଆରମ୍ଭ ହେବ । ପ୍ରାଣ ପ୍ରତିଷ୍ଠାରେ ମୋଟ ୧୨୦ ଆଚାର୍ଯ୍ୟ  ସାମିଲ ହେବେ । ସେମାନଙ୍କ ମଧ୍ୟରୁ  ୧୦୦ ଜଣ କେବଳ ଅଯୋଧ୍ୟାର । ଅନ୍ୟ  ଆଚାର୍ଯ୍ୟମାନେ କାଶୀ, ପ୍ରୟାଗରାଜ  ସମେତ ଅନ୍ୟ ତୀର୍ଥସ୍ଥଳୀରୁ ଆସିବେ । ଏ ନେଇ ମନ୍ଦିର ଟ୍ରଷ୍ଟର ମହାସଚିବ  ଚମ୍ପତ ରାୟ ବୁଧବାର ଏକ ସାମ୍ବାଦିକ  ସମ୍ମିଳନୀ କରି ସୂଚନା ଦେଇଛନ୍ତି ।  

କାର୍ଯ୍ୟକ୍ରମକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆମନ୍ତ୍ରଣ କରାଯାଇଛି ।  ଯୋଗୀ ଆମନ୍ତ୍ରଣ ସ୍ୱୀକାର କରିଥିବା  ମଧ୍ୟ ଚମ୍ପତ ରାୟ କହିଛନ୍ତି । ଏଥିସହ  ୨୦ ସନ୍ଥ-ଧର୍ମାଚାର୍ଯ୍ୟଙ୍କ ସମେତ ଟ୍ରଷ୍ଟ  ପଦାଧିକାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।  ସନାତନ ପରମ୍ପରା ଅନୁସାରେ, ଦ୍ୱାପର  ଯୁଗର ଆରମ୍ଭ ଜୈଷ୍ଠ ମାସ ଶୁକ୍ଳ ପକ୍ଷର  ଦଶମୀ ତିଥିରେ ହୋଇଥିବା ବିବେଚନା  କରାଯାଏ । ଚଳିତ ବର୍ଷ ଏହି ତିଥି ଜୁନ୍‌  ୫ରେ ପଡ଼ୁଛି ।  

ପ୍ରାଣ ପ୍ରତିଷ୍ଠାର ଅନୁଷ୍ଠାନ କାର୍ଯ୍ୟକ୍ରମ  ଜୁନ୍‌ ୩ରୁ ଆରମ୍ଭ ହେବ । ଜୁନ୍‌ ୨ରେ  ମହିଳାମାନେ ସରଯୂ ନଦୀରୁ ପାଣି ଆଣି  କଳସ ଯାତ୍ରା କରିବେ । ଜୁନ୍‌ ୩ ସକାଳ  ସାଢ଼େ ୬ଟାରେ ସବୁ ମନ୍ଦିରରେ ବିଶେଷ  ପୂଜାପାଠ ଆରମ୍ଭ ହେବ । ଏହା ରାତି ୯ଟା  ପର୍ଯ୍ୟନ୍ତ ଚାଲିବ । ଅପରାହ୍ନରେ ଘଣ୍ଟାଏର  ବିଶ୍ରାମ ସମୟ ରହିବ । ଏହିଭଳି ଜୁନ୍‌ ୪  ଏବଂ ଜୁନ୍‌ ୫ରେ ବି ବିଶେଷ ପୂଜାପାଠ ହେବ । ୧୧ଟା ପରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟ  ଆରମ୍ଭ ହେବ । ମନ୍ଦିରର ପ୍ରଥମ ମହଲାରେ  ରାମ ଦରବାର ସ୍ଥାପନ ହୋଇଛି । ଏହା ପରିସରରେ ସୂର୍ଯ୍ୟ, ଗଣେଶ, ହନୁମାନ, ଶିବ, ଭଗବତୀ, ଅନ୍ନପୂର୍ଣ୍ଣାଙ୍କ ମନ୍ଦିର  ରହିଛି । ଏହି ସବୁ ମନ୍ଦିରରେ ଜୁନ୍‌ ୫ରେ  ପ୍ରାଣ ପ୍ରତିଷ୍ଠା କରାଯିବ। ଏହା ବ୍ୟତୀତ  ସପ୍ତ ମଣ୍ଡପମ୍‌ରେ ୭ ମନ୍ଦିର ରହିଛି ।  ସେଥିରେ ମହର୍ଷି ବାଲ୍ମିକୀ, ବିଶ୍ୱାମିତ୍ର,  ଅଗସ୍ତ୍ୟ, ବଶିଷ୍ଠ, ନିଷାଦରାଜ, ଅହଲ୍ୟା  ଏବଂ ଶବରୀ ମୂର୍ତ୍ତି ସ୍ଥାପନ ହୋଇସାରିଛି ।