ପ୍ରମୂଖ ଖବର
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ର ନିଲମ୍ବିତ; ୩୦ଦିନ ପାଇଁ ଶ୍ରୀମନ୍ଦିର ପ୍ରବେଶ ମନା

Published By : Prameya | May 11, 2025 8:35 PM

ପୁରୀ,୧୧/୫ : ବରିଷ୍ଠ ଦଇତାପତି ସେବକ ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ମହାପ୍ରଭୁଙ୍କ ସେବା କାର୍ଯ୍ୟରୁ ଏକ ମାସ ଅର୍ଥାତ୍ ୩0 (ତିରିଶ) ଦିନ ପାଇଁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ । ଏହି ନିଲମ୍ବନ ସମୟ ଭିତରେ ଶ୍ରୀ ଦାସ ମହାପାତ୍ର କୌଣସି ସେବାପୂଜାରେ ସାମିଲ ହୋଇପାରିବେ ନାହିଁ କିମ୍ବା ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ   ବୋଲି ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି । 

ଏଥି ସହିତ ଶ୍ରୀ ଦାସମହାପାତ୍ରଙ୍କୁ ନିଲମ୍ବନ ଆଦେଶ ଜରିଆରେ ସ୍ପଷ୍ଟ କରାଯାଇଛି ଯେ, ନିଲମ୍ବନ ଅବଧି ସମୟରେ ଦଇତାପତି କିମ୍ବା ଅନ୍ୟ ନିଯୋଗର କୌଣସି ସେବକଙ୍କୁ ତଥା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସେ ପ୍ରଲୋଭିତ କିମ୍ବା ଧମକଚମକ କରି ଶ୍ରୀମନ୍ଦିରର କୌଣସି ସେବାପୂଜା ବା ନୀତିକାନ୍ତିରେ ବାଧକ ସାଜିବେ ନାହିଁ। ଏପରି କଲେ, ନିଲମ୍ବନ ଅବଧିକୁ ବର୍ଦ୍ଧିତ କରାଯାଇ ଆହୁରି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର କମାଣ୍ଡର ତଥା ବରିଷ୍ଠ ସୁପରଭାଇଜର ନିୟମିତ ଭାବେ ଶ୍ରୀ ଦାସମହାପାତ୍ରଙ୍କ ଆଚାର ବ୍ୟବହାର ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିବେ। 

ନିଲମ୍ବନ ତଥା ପରବର୍ତ୍ତୀ ସମୟରେ ଶ୍ରୀ ଦାସମହାପାତ୍ରଙ୍କ ବିଶୃଙ୍ଖଳ ଆଚରଣ ପରିଲକ୍ଷିତ ହେଲେ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାପ୍ୟ/ ପାଉଣା/ ପୁରସ୍କାର ରଦ୍ଦ କରାଯିବ ବା ସ୍ଥଗିତ ରଖାଯିବ ବୋଲି ମଧ୍ଯ ଆଦେଶରେ କୁହାଯାଇଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ଦାସମହାପାତ୍ରଙ୍କୁ ଦୁଇଟି ନୋଟିସ୍ ହୋଇଥିଲା । ପ୍ରଥମେ ତା ୦୪.୦୫.୨୦୨୫ର କୈଫିୟତ ନୋଟିସ୍   ଜରିଆରେ ସାତ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଥିଲା । ସେହି ନୋଟିସରେ ଶ୍ରୀଦାସମହାପାତ୍ର “କେଉଁ ପରିସ୍ଥିତିରେ ଶ୍ରୀମନ୍ଦିର ପରମ୍ପରା ବିରୋଧୀ କାର୍ଯ୍ୟ କରି ନବକଳେବର ସଂଗୃହିତ ବଳକା ଦାରୁ ନିର୍ମିତ ବିଗ୍ରହ ଦୀଘା ମନ୍ଦିରରେ ପ୍ରତିଷ୍ଠା ହୋଇଛି ବୋଲି ବୟାନ ଦେଇ ସାରା ବିଶ୍ବର ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ବାସକୁ କୁଠାରାଘାତ କଲେ, ଏବଂ ଏଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଇ କାହିଁକି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପୂର୍ବକ ଶ୍ରୀମନ୍ଦିରର ଗରିମା ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ କଲେ,” ସେ ନେଇ ଉତ୍ତର ରଖିବାକୁ କୁହାଯାଇଥିଲା ।

ପରବର୍ତ୍ତୀ ସମୟରେ  ଗତ ତା ୦୯.୦୫.୨୦୨୫,ରିଖରେ ଆଉ ଏକ କୈଫିୟତ ନୋଟିସ ଜରିଆରେ, “ଜଗନ୍ନାଥଧାମ – ଦୀଘା ନାମିତ ମନ୍ଦିରର କାର୍ଯ୍ୟକ୍ରମରେ ଶ୍ରୀମନ୍ଦିରର ସେବକ ଭାବେ, କାହିଁକି ଯୋଗ ଦେଲେ, ଏବଂ ସେତେବେଳେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତାମାନଙ୍କୁ ଏହାର ପ୍ରତିବାଦ କରିଥିଲେ ନା ନାହିଁ” ସେନେଇ ଉତ୍ତର ରଖିବାକୁ କୁହାଯାଇଥିଲା । ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଅଛି  । ଗର୍ବ ଓ ଅହଂକାର- ବିବର୍ଜିତ ହୋଇ, ଶ୍ରୀମନ୍ଦିର ପରମ୍ପରା, ଗରିମା ତଥା ମର୍ଯ୍ଯାଦାକୁ ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଏବଂ ଏହା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଆମ ସମର୍ପଣ ଭାବର ନିଦର୍ଶନ ହେବା ଆବଶ୍ୟକ । ଆଗାମୀ ଦିନରେ ମଧ୍ୟ କୌଣସି ପ୍ରକାର ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.