ଗୁଣୁପୁର, ୩୧/୦୩ : ୫ ହାତୀଙ୍କ ମୃତ୍ୟୁ ପରେ ସାଥୀହରା ଦନ୍ତାର ପ୍ରାଦୁର୍ଭାବରେ ଆଦିବାସୀ ଅସ୍ତବ୍ୟସ୍ତ। ରାତି ହେଲେ ଗାଁରେ ପଶି ଘର ଭାଙ୍ଗୁଛି । ଘରେ ରଖାଯାଇଥିବା କାଜୁ, ଜଙ୍ଗଲଜାତ ଦ୍ରବ୍ୟ ସହ ଅନ୍ୟାନ୍ୟ ସାମଗ୍ରୀ ଖାଇଦେଉଛି । ଏହାକୁ ନେଇ ଆଦିବାସୀମାନେ ଚିନ୍ତାରେ ଥିବା ବେଳେ ବନବିଭାଗ ବି ହନ୍ତସନ୍ତ ହେଉଛି । ହାତୀ ଉପରେ ନଜର ରଖିବା ପାଇଁ ମାସକୁ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରୁଛି । ଗତ ୨ ବର୍ଷରେ ୩୩ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଲାଣି । ତଥାପି ବନ ବିଭାଗକୁ ଅଖିଦୃଶିଆ ସଫଳତା ମିଳୁନି ।
ଦନ୍ତା ଏବେ ଏକୁଟିଆ ବୁଲୁଛି । କେତେବେଳେ ସଦର ବ୍ଳକର ପୁଲଫୁଟି, ତରାମାଳ, ଖଇରା ଅଞ୍ଚଳ ତ ଆଉ କେତେବେଳେ ଗାଡ଼ିଆବାଙ୍ଗ, ନୂଆଗାଁ ଆଖପାଖ ଜଙ୍ଗଲରେ ରହୁଛି । କିଛିଦିନ ହେଲା ତାକୁ ଟଲଣା ପଞ୍ଚାୟତ ବଡ଼ମସିଂ ପାଖ ପାଲୁଡ଼ା ଜଙ୍ଗଲରେ ଠାବ କରାଯାଇଛି । ଦିନରେ ଜଙ୍ଗଲରେ ରହି ରାତି ହେଲେ ଗାଁରେ ପଶୁଛି । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଲାଗି କରାଯାଇଥିବା କୁଡ଼ିଆ ଭାଙ୍ଗି ଦେଉଛି । ଭିତରେ ରଖାଯାଇଥିବା ଶସ୍ୟ ଖାଇଦେଉଛି । ସଞ୍ଜ ନଇଁଲେ ଅଞ୍ଚଳରେ ବିଦ୍ୟୁତ କାଟି ଦିଆଯାଉଛି । ଯଦ୍ୱାରା ଭୟର ବାତାବରଣ ସୃଷ୍ଟି ହେଉଛି । ସ୍ଥାନୀୟ ଲୋକ କହିଛନ୍ତି, ଦନ୍ତା ମହୁଲ କିମ୍ବା ପୋଚ ପାଇଲେ ଖୁସିରେ ଖାଇ ଦେଉଛି । ନିଶାରେ ଚୁର ହୋଇ ଏଣେତେଣେ ବୁଲୁଛି । ଏକୁଟିଆ ଥିବାରୁ ସାଥୀ ଖୋଜୁଛି । ବିଦ୍ୟୁତ ଖୁଣ୍ଟ କିମ୍ବା ନଳକୂଅ ଦେଖିଦେଲେ ଉତ୍ତ୍ୟକ୍ତ ହୋଇ ଭାଙ୍ଗି ଦେଉଛି । ଆଗରୁ ଧାନ ଖାଇବାକୁ ଜମିରେ ପଶୁଥିବାରୁ ଜଗିବାକୁ ପଡ଼ୁଥିଲା । ଏବେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ସମସ୍ୟା ବଢିଯାଇଛି । ସବୁବେଳେ ଆଶଙ୍କାରେ ରହିବାକୁ ପଡ଼ୁଛି ।
ବନଖଣ୍ଡ ଅଧିକାରୀ ଗଙ୍ଗାଧର ମିଶ୍ର କହିଛନ୍ତି, ରାତିରେ ହାତୀର ଗତିବିଧି ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି । ଏଥିରେ ୫ କର୍ମଚାରୀ ଅଛନ୍ତି। ସେମାନଙ୍କୁ ମାସିକ ୧୩ ହଜାର ଟଙ୍କା ଦିଆଯାଉଛି । ଏଥିସହ ୫ ମାସ ପାଇଁ ୫୦ ଜଣଙ୍କୁ ନେଇ ଗଜସାଥୀ ଟିମ୍ ଗଠିତ ହୋଇଛି। ସେମାନେ ପ୍ରତ୍ୟେକ ବିଟ୍ରେ ପହରା ଦେଉଛନ୍ତି । ପ୍ରତ୍ୟେକ ମାସିକ ୧ ହଜାର ଟଙ୍କା ଲେଖାଏଁ ନେଉଛନ୍ତି । ୫ ଜଣିଆ ସ୍କ୍ୱାଡ୍ ଲାଗି ୪ ଚକିଆ ଗାଡ଼ି ଯୋଗାଇ ଦିଆଯାଇଛି । ମାସକୁ ଗାଡ଼ି ଭଡ଼ା ବାବଦରେ ୩୦ ହଜାର ଓ ଡିଜେଲ୍ ଲାଗି ଟଙ୍କା ଦିଆଯାଉଛି । ହାତୀ କ୍ଷୟକ୍ଷତି କଲେ କ୍ଷତିପୂରଣ ପ୍ରଦାନ କରାଯାଉଛି । ଦେଖିବାକୁ ଗଲେ ବର୍ଷକୁ ପ୍ରାୟ ୧୬ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଦନ୍ତାକୁ ୧୨ ବର୍ଷ ହୋଇଥିବ। ଏକାକି ଥିବାରୁ ସାଥୀ ଖୋଜୁଛି । ନମିଳିବାରୁ ଉତ୍ତ୍ୟକ୍ତ ହୋଇ କ୍ଷୟକ୍ଷତି କରୁଛି ।
ସୂଚନାଥାଉକି, ୨୦୨୩ ମସିହାରେ ଗୁଣପୁର ରେଞ୍ଜ ଅଞ୍ଚଳରୁ ୬ ଟିକିଆ ହାତୀ ପଲ ବଂଶଧାରା ପାର ହୋଇ ଆନ୍ଧ୍ରର କାଟ୍ରାଗଡ଼ା ଅଞ୍ଚଳରେ ପ୍ରବେଶ କରିଥିଲେ । ସେଠାକାର ଏକ ଧାନ ଜମିରେ ବିଦ୍ୟୁତ ଆଘାତ ଲାଗି ୪ ହାତୀଙ୍କ ମୃତ୍ୟୁ ହୋଇଥିଲା। ଅଘଟଣ ପରେ ବଳକା ଦନ୍ତା ଓ ମାଇହାତୀ ଓଡ଼ିଶା ମୁହାଁ ହୋଇଥିଲେ । ୨୦୨୪ ମସିହାରେ ଗୁଣପୁରର ଫୁଲପଟିରେ ଖୁଣ୍ଟ ଉପାଡ଼ିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଇ ହାତୀର ମୃତ୍ୟୁ ହୋଇଥିଲା। ୫ ହାତୀଙ୍କ ମୃତ୍ୟୁ ପରେ ଏକାକି ହୋଇଯାଇଥିଲା ଦନ୍ତା।
ଏହି ଖବରଟିକୁ ପଢନ୍ତୁ- ଅସହାୟ କରିଦେଲା ବ୍ୟାଧି, ରାଗରେ ଘର ଛାଡ଼ିଗଲେ ସ୍ତ୍ରୀ, ହ୍ୱିଲ୍ ଚେୟାରରେ ୬ କିମି ଯାତ୍ରା କରି ଥାନାରେ ଦିବ୍ୟାଙ୍ଗଙ୍କ ଗୁହାରୀ