ନୂଆଦିଲ୍ଲୀ ୦୯/୦୪: ମେରୁ (ଆର୍କଟିକ୍‌) ଓ ଏହାର ଆଖପାଖରେ ବିଚରଣ କରୁଥିବା ଦୁର୍ଲଭ ପେଚା ଏବେ କାଶ୍ମୀରରେ ବୁଲୁଛି । ପ୍ରାୟ ୨ ବର୍ଷ ପରେ ଏହାକୁ ପୁଲୱାମାରେ ଦେଖିବାକୁ ମିଳିଛି । ପୁଲୱାମାର ବନ୍ୟଜୀବ ଫଟୋଗ୍ରାଫର ରଈସ ଉଲ ହସନ ଏହାର ଫଟୋ ଉଠାଇଛନ୍ତି, ଯାହା ବନ୍ୟଜୀବପ୍ରେମୀଙ୍କ ଉତ୍ସାହକୁ ବଢ଼ାଇଛି । ଏହି ପେଚାକୁ ଦେଖିବାକୁ ଅନେକ ଫଟୋଗ୍ରାଫର ପୁଲୱାମା ଆସୁଛନ୍ତି । 




ସାଧାରଣତଃ ଗଛ ପତ୍ର ପଛରେ ଲୁଚି ରହୁଥିବା ଏହି ପେଚା ମୂଷା, ପୋକ ଓ ଛୋଟ ପକ୍ଷୀଙ୍କୁ ଶିକାର କରନ୍ତି । ଏହାର ଫଟୋ ଉଠାଇବାକୁ ରଈସ ଉଲ ହସନଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଛି । ଲମ୍ବା କାନ ଓ ନାରଙ୍ଗୀ ଆଖି ପାଇଁ ଏହି ପେଚା ପରିଚିତ । ସେଥିପାଇଁ ଏହାକୁ ଲଙ୍ଗ୍‌ ଇୟର୍ଡ ଅଉଲ୍‌ କୁହାଯାଏ । ନର୍ଦନ୍‌ ଲଙ୍ଗ୍‌ ଇୟର୍ଡ ଅଉଲ୍‌ ନାମରେ ମଧ୍ୟ ଏହାକୁ ସମ୍ବୋଧନ କରାଯାଏ । ଏହି ପେଚା ସାଧାରଣତଃ ଉତ୍ତର ଆମେରିକା, ୟୁରୋପ, ରୁଷ୍‌ ଓ ମେରୁ ଅଞ୍ଚଳରେ ଦେଖାଯାଆନ୍ତି । ଦୁଇ ବର୍ଷ ପୂର୍ବେ ଗାନ୍ଦରବଲଠାରେ ମାନସବଲ ହ୍ରଦ ନିକଟରେ ଏହା ଦେଖାଯାଇଥିଲା । ଏବେ ପୁଲୱାମାରେ ଦେଖାଯାଇଛି । ସେଠାରେ ଏବେ ଆଲ୍‌ମଣ୍ଡ ବ୍ଲସମ୍‌ ଋତୁ ଚାଲିଛି । ଉତ୍ତର ଆମେରିକାରେ ୧୯ ଓ ୟୁରୋପରେ ଏହାର ୧୩ ପ୍ରଜାତି ଅଛନ୍ତି । ପ୍ରଜନନ ଓ ଶିକାର ଉଦ୍ଦେଶ୍ୟରେ ଏହି ପେଚା ଭାରତ ଆସିଥିବା ବିଶେଷଜ୍ଞମାନେ କହିଛନ୍ତି ।