ଯୋଡା, ୨୫/୦୩ : ପାକିସ୍ତାନ, ଶ୍ରୀଲଙ୍କା, ମାଳଦ୍ୱୀପରୁ ଯୋଡା ଅଞ୍ଚଳକୁ ଆସିଛନ୍ତି ବିରଳ ଆଇବିସ ପକ୍ଷୀ । ଯୋଡି ଯୋଡି ହୋଇ ରହୁଥିବା ଏହି ପକ୍ଷୀ ମାନଙ୍କ କଳରବ ସକାଳୁ ସକାଳୁ ଶୁଣିବାକୁ ମିଳୁଛି । ଯୋଡା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଏହି ପକ୍ଷୀଙ୍କ ଆଗମନ ପରିବେଶ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି । ଆଇବିସ୍‌ ପକ୍ଷୀଙ୍କ ଆଗମନ ନେଇ ଯୋଡା ବନପାଳ ତ୍ରିନାଥ ଜେନା କହିଛନ୍ତି ଯେ ଏହି ପକ୍ଷୀ ସାଧାରଣତଃ ଭାରତର କିଛି ଅଞ୍ଚଳ, ପାକିସ୍ତାନ, ଶ୍ରୀଲଙ୍କା, ମାଳଦ୍ୱୀପରେ ଦେଖିବାକୁ ମିଳିଥାନ୍ତି । ସାଧାରଣତଃ ଏମାନେ ଜଳାଶୟ ନିକଟସ୍ଥ ଏବଂ କମ୍‌ ଉତ୍ତାପ ଅନୁଭୂତ ଅଞ୍ଚଳରେ ଯୋଡି ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି । ଏହି ପକ୍ଷୀ ମାନଙ୍କର ସୁରକ୍ଷା ଦିଗରେ ବନ ବିଭାଗ ତତ୍ପରତା ଦେଖାଇଛି ।

ଯୋଡାର ଏକ ଟେଲିଫାନ ଟାୱାର ଉପରେ ଏହି ଆଇବିସ୍‌ ଚଢ଼େଇ ମାନଙ୍କର କଳରବ କିଛି ଦିନ ହେବ ଶୁଣିବାକୁ ମିଳୁଛି । ପ୍ରାୟ ଦୁଇରୁ ତିନି ଯୋଡା ଚଢ଼େଇ ଏହି ଟେଲିଫାନ ଟାୱାର ଉପରେ ପ୍ରାତଃ କାଳରେ କଳରବ ଆରମ୍ଭ କରୁଛନ୍ତି ଏବଂ ପରେ ଏହି ପକ୍ଷୀମାନେ ପ୍ରାୟତଃ କାନପୁର ଜଳାଶୟ ଆଡ଼କୁ ଉଡି ଯାଉଛନ୍ତି । ପୁଣି ସୂର୍ଯ୍ୟାସ୍ତ ସମୟରେ ଏହି ସୂଉଚ୍ଚ ଟାୱାରକୁ ଫେରି ଆସୁଥିବା ଦେଖିବାକୁ ମିଳୁଛି । ବନପାଳଙ୍କ କହିବା ଅନୁସାରେ, ଏହି ପକ୍ଷୀ ମାନଙ୍କ ଥଣ୍ଟ କଳା ଓ ନାଲି ରଙ୍ଗର । କିନ୍ତୁ ଯୋଡ଼ାରେ ଥିବା ବିହଙ୍ଗ ପ୍ରଜାତିର ଥଣ୍ଟ କଳା ଏବଂ ବଡ ହୋଇଥିବା ଦେଖିବାକୁ ମିଳିଛି । ପ୍ରାୟତଃ ଏହି ପକ୍ଷୀମାନେ ବହୁ ଦୂର ପଥ ଅତିକ୍ରମ କରି ଚିଲିକା ବଂ ଅନ୍ୟାନ୍ୟ ଜଳାଶୟ ଗୁଡ଼ିକୁ ଶୀତ ଦିନରେ ଆସିଥାନ୍ତି । ହେଲେ ଯୋଡା ଅଞ୍ଚଳରେ ତାପମାତ୍ରା କମ୍‌ ଥିବାରୁ ଏଠାରେ ସେମାନେ ବସବାସ କରୁଛନ୍ତି । ଯୋଡା ଭଳି ଖଣି କ୍ଷେତରେ ଏହି ଚଢ଼େଇଙ୍କ କଳରବ ପ୍ରାତଃ କାଳରେ ଚିଲିକା ଏବଂ ସମୁଦ୍ର କୂଳର ଅନୁଭୂତି ସୃଷ୍ଟି କରୁଛି । ଇଣ୍ଟର ନେଟରୁ ମିଳିଥିବା ସୂଚନା ଅନୁଯାୟୀ, ତିନି ପ୍ରକାରର ଆଇବିସ୍‌ ବିହଙ୍ଗ ଦେଖା ଯାଇଥାଆନ୍ତି । ବ୍ଲାକ ହେଡେଡ ଆଇବିସ୍‌, ରେଡ ନ୍ୟାପଡ୍‌ ଆଇବିସ୍‌ ଓ ଗ୍ଲାସି ଆଇବିସ୍‌ ।

ଏହି ଖବରଟିକୁ ପଢନ୍ତୁ- କୁନି କୁନି ପିଲାଙ୍କୁ ଅସ୍ତବ୍ୟସ୍ତ କଲାଣି ଟାଣ ଖରା, ସକାଳୁଆ ସ୍କୁଲ କେବେଠୁ ?