ନୂଆଦିଲ୍ଲୀ,୧୩।୧୧: ଆସନ୍ତା ବର୍ଷ ହେବାକୁ ଯାଉଛି ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ। ପାକିସ୍ତାନ ଏହାର ଆୟୋଜକ ହେବା ନେଇ ଅନିଶ୍ଚିତତା ଜାରି ରହିଛି। ଭାରତର ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ନିଜ ଟିମ୍‌କୁ ଆଗାମୀ ଚମ୍ପିଆନ୍ସ ଟ୍ରଫି ପାଇଁ ପାକିସ୍ତାନ ପଠାଇବାକୁ ମନା କରିଦେଇଛି। ଏଭଳି ଚର୍ଚ୍ଚା ହେଉଛି ଯେ, ପୁରା ଟୁର୍ଣ୍ଣାମେଣ୍ଟ ଆୟୋଜନ ଦେଶର ବାହାରେ ହୋଇପାରେ।

ଏହା ଭିତରେ ପାକିସ୍ତାନର ପୂର୍ବତନ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ରଶିଦ ଲତିଫ କହିଛନ୍ତି,ଯଦି ତାଙ୍କ ପାଖରେ ଅଧିକାର ଥାଆନ୍ତା ତେବେ ସେ ପାକିସ୍ତାନକୁ କୌଣସି ଟୁର୍ଣ୍ଣାମେଣ୍ଟ ଭାରତ ବିରୋଧରେ ଖେଳିବାକୁ ଦେଇନଥାନ୍ତେ ।ଏହା ସହ ସେ ପରାମର୍ଶ ଦେଇଛନ୍ତି ଯେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଦୁଇ ଦେଶକୁ ସେ ପର୍ଯ୍ୟନ୍ତ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଆୟୋଜନ କରିବାର ଅଧିକାର ଦେବା ଉଚିତ ନୁହଁ ଯେଉଁ ପର୍ଯ୍ୟନ୍ତ ଦୁଇ ଦେଶ ନିଜର ସମସ୍ୟାର ସମାଧାନ ନକରିଛନ୍ତି।


ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବ) ଆଇସିସିକୁ ଲିଖିତ ଭାବରେ ପତ୍ର ଲେଖିଛି। ଏହା ସହ କହିଛି ବିସିସିଆଇ ଲିଖିତ ଭାବରେ ସୂଚନା ଦେଉ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯାତ୍ରା କରିବାକୁ ଅସମର୍ଥ। ୫୬ ବର୍ଷୀୟ ଲତିଫ୍ କହିଛନ୍ତି, ଏଭଳି ସମ୍ଭାବନା ରହିଛି ଯେ, ଭାରତ ବିରୋଧରେ ପାକିସ୍ତାନ କ୍ରିକେଟ୍ ଖେଳିବା ଛାଡିପାରେ। ଯଦି ମୋ ପାଖରେ ଅଧିକାର ରହିଥାନ୍ତା ତେବେ ମୁଁ ଏଭଳି କଡା ପଦକ୍ଷେପ ନେଇଥାନ୍ତି। ମୁଁ ଏଥିପାଇଁ କାହାକୁ ଦୋଷୀ ସାବ୍ୟସ୍ତ କରୁନି। ଯଦି ଆପଣ(ପାକିସ୍ତାନରେ) ଖେଳିବାକୁ ଚାହୁଁନାହାନ୍ତି ତେବେ ଆମ ବିରୋଧରେ ଖେଳନ୍ତୁ ନାହିଁ।’