ଭୁବନେଶ୍ୱର, ୨୦/୦୬: ସହିଦନଗର ‘ରଶ୍ମି ଜୁଏଲର୍ସ’ ଦୋକାନ ସଟର ତାଡ଼ି ୨ କିଲୋ ରୁପା ସମେତ ସୁନା ଓ ଟଙ୍କା ଚୋରି ମାମଲାରେ ପୁଲିସ ସ୍ୱସ୍ତି ଜୁଏଲର୍ସ ମାଲିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ସ୍ୱସ୍ତି ଜୁଏଲର୍ସର ମାଲିକ ହେଉଛନ୍ତି ଓଲ୍ଡଟାଉନ୍ରେ ରହୁଥିବା ବାଲିପାଟଣା ବନମାଳିପୁରର କାଶୀନାଥ ସାହୁ(୬୪), ୩ ଚୋର ହେଲେ କଳ୍ପନାରେ ରହୁଥିବା ଅନୁଗୋଳର ଆଲୋକ କୁମାର ସାହୁ(୨୨), ସହିଦନଗର ଆଖଣ୍ଡଳମଣି ବସ୍ତିରେ ରହୁଥିବା ଖୋର୍ଦ୍ଧା ଟାଙ୍ଗୀର ଆକାଶ ନାୟକ(୨୪) ଏବଂ ପଥରବନ୍ଧ ବସ୍ତିରେ ରହୁଥିବା ଯାଜପୁରର ରାକେଶ ସ୍ୱାଇଁ(୪୫) ।
ପୁଲିସ ସୂଚନା ଅନୁଯାୟୀ, ଗତ ୧୫ ତାରିଖ ରାତିରେ ସହିଦନଗରରେ ଥିବା ରଶ୍ମି ଜୁଏଲର୍ସରୁ ଚୋରି ହୋଇଥିଲା । ଅଭିଯୁକ୍ତ ଆଲୋକ ଏବଂ ଆକାଶ ଦୋକାନ ସଟର ତାଡ଼ି ଚୋରି କରୁଥିବା ବେଳେ ରାଜେଶ ରାସ୍ତା କଡ଼ରେ ଛିଡ଼ା ହୋଇ ନଜର ରଖିଥିଲା । ସେମାନେ ରଶ୍ମି ଜୁଏଲର୍ସରୁ ପ୍ରାୟ ୨ କିଲେ ଓଜନର ରୁପା ଅଳଙ୍କାର, ୨୦୦ ଗ୍ରାମର ସୁନା ଅଳଙ୍କାର ଓ କ୍ୟାସ୍ ବକ୍ସରୁ କିଛି ଟଙ୍କା ଚୋରି କରି ନେଇଥିଲେ । ଏନେଇ ରଶ୍ମି ଜଏଲର୍ସ ପକ୍ଷରୁ ରୋହନ ରଞ୍ଜନ ନାୟକ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ରଶ୍ମି ଜୁଏଲର୍ସରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ପୁଲିସ ପ୍ରଥମେ ଆଲୋକ ଏବଂ ଆକାଶଙ୍କୁ ଗିରଫ କରିଥିବା ବେଳେ ପରେ ରାକେଶଙ୍କୁ ଗିରଫ କରିଥିଲା । ସେମାନଙ୍କ ସୂଚନା ଆଧାରରେ ପୁଲିସ ୟୁନିଟ୍-୪ ଖାରବେଳନଗର ମାର୍କେଟସ୍ଥିତ ସ୍ୱସ୍ତିି ଜୁଏଲର୍ସରେ ଚଢ଼ଉ କରି ଚୋରି ଅଳଙ୍କାର ସବୁ ଜବତ କରିଥିଲା । ଚୋରି ସୁନାରୁପା କିଣିବା ଅଭିଯୋଗରେ ପୁଲିସ ସ୍ୱସ୍ତି ଜୁଏଲର୍ସର ମାଲିକ କାଶୀନାଥଙ୍କୁ ଗିରଫ କରିଥିଲା । କାଶୀନାଥ ପୂର୍ବରୁ ମଧ୍ୟ ଚୋରି ସୁନାରୁପା ଅଳଙ୍କାର କିଣିଥିବା ତଦନ୍ତରୁ ଜଣା ପଡ଼ିଥିଲା । ଆଜି ୪ ଜଣଙ୍କୁ କୋର୍ଟ ଚାଲାଣ କରା ଯାଇଛି ।
ଅଧିକ ପଢ଼ନ୍ତୁ :- Crime Breaking: ବିନିକା ବ୍ଲକ୍ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ଘରକୁ ଆଖିବୁଜା ଗୁଳିମାଡ଼, ୨୫ ରାଉଣ୍ଡ ଫାୟାରିଂ କରି ଦୁର୍ବୃତ୍ତ ଫେରାର