ନୂଆଦିଲ୍ଲୀ, ୨୦/୦୬ : ମନ୍ଦିର ଓ ସିଲ୍‌କ ଶାଢ଼ି ପାଇଁ ପ୍ରସିଦ୍ଧ ତାମିଲନାଡୁର କାଞ୍ଚୀପୁରମ୍‌ ସହର ଏବେ ବିବାହ ଓ ସମ୍ପର୍କକୁ ନେଇ ଭାରତୀୟଙ୍କ ପରିବର୍ତ୍ତିତ ବିଚାରଧାରାର ନିଆରା ଉଦାହରଣ ହୋଇଛି । ଲୁଚିଛପି ନୂଆ ସାଥୀ ବା ସମ୍ପର୍କ ଖୋଜୁଥିବା ବିବାହିତଙ୍କ ପାଇଁ ଉପଲବ୍ଧ ଏଶ୍‌ଲେ ମାଡିସନ୍‌ ଡେଟିଂ ଆପ୍‌ରେ ଆକାଉଣ୍ଟ ଖୋଲିବା ମାମଲାରେ କାଞ୍ଚୀପୁରମ୍‌ ପୁଣି ଥରେ ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛି । ଏହି ଆପ୍‌ ତରଫରୁ ଗତ ମେ’ରେ ଜାରି ଏକ ରିପୋର୍ଟରୁ ଜଣାପଡ଼ିଛି, କାଞ୍ଚୀପୁରମ୍‌ରୁ ସବୁଠୁ ଅଧିକ ଲୋକ ଏହି ପ୍ଲାଟ୍‌ଫର୍ମରେ ନାଁ ପଞ୍ଜିକରଣ କରିଛନ୍ତି।

ଏହି ତାଲିକାରେ କାଞ୍ଚୀପୁରମ୍‌ ଲଗାତାର ୨ୟ ଥର ଶୀର୍ଷରେ ରହିଛି । ଗତ ବର୍ଷ ମଧ୍ୟ ବୈବାହିକ ସମ୍ପର୍କ ପରେ ବାହାରେ ସମ୍ପର୍କ ଖୋଜିବା ମାମଲାରେ କାଞ୍ଚୀପୁରମ୍‌ ଅନ୍ୟ ସମସ୍ତ ସହରକୁ ପଛରେ ପକାଇଥିଲା । ଏ ବର୍ଷ କାଞ୍ଚୀପୁରମ୍‌ ପରେ କୋଇମ୍ବାଟୁର, ତିରୁବଲ୍ଲୁର ଓ ଚେନ୍ନାଇ ରହିଛି । ଏହି ପ୍ଲାଟ୍‌ଫର୍ମର ର‌୍ୟାଙ୍କିଙ୍ଗ୍‌ରୁ ବିବାହୋତ୍ତର ସମ୍ପର୍କ ମାମଲାରେ ଦକ୍ଷିଣ ଭାରତୀୟ ସହରଗୁଡ଼ିକର ଦବ୍‌ଦବା ରହିଥିବା ଜଣାପଡୁଛି । ଏହି ଆପ୍‌ରେ ସାଇନ୍‌-ଅପ୍‌ କରିବା ମାମଲାରେ ଭାରତ ଏବେ ବିଶ୍ୱର ୨୦ ଦେଶ ତାଲିକାରେ ୩ୟ ସ୍ଥାନରେ ପହଞ୍ଚିଛି । ଗତ ବର୍ଷ ଏହା ୮ମ ସ୍ଥାନରେ ଥିଲା ।

ଭାରତରେ ଏଭଳି ଗୋପନ ଡେଟିଂ ପ୍ରତି ବଢୁଥିବା ରୁଚି କେବଳ ଗୋଟିଏ ତଥ୍ୟରୁ ପ୍ରମାଣିତ ହେଉନାହିଁ । ଏ ବର୍ଷ ଆରମ୍ଭରେ ବିବାହୋତ୍ତର ସମ୍ପର୍କ ଖୋଜୁଥିବା ଲୋକଙ୍କ ପାଇଁ ପ୍ରସ୍ତୁତ ଆଉ ଏକ ଡେଟିଂ ପ୍ଲାଟ୍‌ଫର୍ମ ‘ଗ୍ଲିଡନ୍‌’ ଘୋଷଣା କରିଥିଲା ଯେ ଭାରତରେ ଏହାର ସବ୍‌ସ୍କ୍ରାଇବର ସଂଖ୍ୟା ୪୦ ଲକ୍ଷ ଟପିଛି । ଏହି ତଥ୍ୟ ଏକ ବଡ଼ ପରିବର୍ତ୍ତନକୁ ଇଙ୍ଗିତ କରୁଛି । ଭାରତରେ ବିବାହ ଓ ସମ୍ପର୍କକୁ ନେଇ ଲୋକଙ୍କ ଚିନ୍ତାଧାରା ବଦଳୁଛି ଏବଂ ଏହି ପରିବର୍ତ୍ତନ ଏବେ କେବଳ ମହାନଗର ମଧ୍ୟରେ ସୀମିତ ହୋଇନାହିଁ । ଏଶ୍‌ଲେ ମାଡିସନ୍‌ର ମୁଖ୍ୟ ରଣନୀତି ଅଧିକାରୀ ପଲ୍‌ କିବଲ କହିଛନ୍ତି, ବୟସ୍କମାନେ ଏବେ ଆପସ ବନ୍ଧନ, ଗୋପନୀୟତା ଓ ନିଜ ସ୍ୱାଧୀନତାକୁ ନେଇ କିଭଳି ଭିନ୍ନ ଦୃଷ୍ଟିକୋଣକୁ ଗ୍ରହଣ କରୁଛନ୍ତି, ବିଶ୍ୱରେ ସାଇନ୍‌-ଅପ୍‌ ମାମଲାରେ ଭାରତ ୮ମରୁ ସିଧା ୩ୟ ସ୍ଥାନରେ ପହଞ୍ଚିବା ତାହା ଦର୍ଶାଉଛି ।

ଆହୁରି ପଢନ୍ତୁ- କ୍ରାସ୍ ରିପୋର୍ଟରେ ଲୁଚାଇ ରଖାଯାଇଛି କି ବଡ଼ କଥା ? ପାଇଲଟଙ୍କ ଦାବିକୁ ନେଇ ହଇଚଇ

ଜନ୍ମମାଟିରେ ଜନ୍ମଦିନ ପାଳିବେ ମହାମହିମ, ଏଇଠୁ ଆରମ୍ଭ ହୋଇଥିଲା ସଂଘର୍ଷର ଯାତ୍ରା ଓ ସେବାକୁ କରିଥିଲେ ବ୍ରତ​​​​​​​