ନୂଆଦିଲ୍ଲୀ, ୨୦।୬: ଦେଶର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡ଼ିତ ଏକ ସଂଗଠନର ପଛଭୂମି ପ୍ରୟାସ ପରେ, ଦେଶର ଅନେକ ରାଜ୍ୟର ବଡ଼ ବଡ଼ ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜର ଡିଗ୍ରୀ ଏବଂ ମାର୍କସିଟ୍‌ରୁ 'India' ଶବ୍ଦକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଣିକି ଛାତ୍ରଛାତ୍ରୀମାନଙ୍କୁ ମିଳିବାକୁ ଥିବା ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରରେ 'India' ବଦଳରେ କେବଳ ଏବଂ କେବଳ 'ଭାରତ' ଲେଖାଯିବ । ଏହି ବଡ଼ ପରିବର୍ତ୍ତନର ପ୍ରତ୍ୟକ୍ଷ ସାକ୍ଷୀ ହେବାକୁ ଯାଉଛନ୍ତି ଦେଶର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜବଲପୁର ସ୍ଥିତ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଚଳିତ ରବିବାର ପ୍ରଦାନ କରାଯାଉଥିବା ଡିଗ୍ରୀଗୁଡ଼ିକରେ 'India' ଶବ୍ଦକୁ 'Bharat' ଦ୍ୱାରା ବଦଳାଇ ଦିଆଯାଇଛି ।

ବିଶ୍ୱବିଦ୍ୟାଳୟର କୁଳପତି ରାଜେଶ କୁମାର ବର୍ମା ଏ ସମ୍ପର୍କରେ ସ୍ପଷ୍ଟ କରି କହିଛନ୍ତି ଯେ, "ଯଦି ଜି-୨୦ ସମ୍ମିଳନୀରେ 'ଭାରତ' ଶବ୍ଦର ବ୍ୟବହାର କରାଯାଇପାରୁଛି, ତେବେ ଆମ ଡିଗ୍ରୀରେ କାହିଁକି ନୁହେଁ ?" ତାଙ୍କ କହିବା ଅନୁସାରେ, ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀ ପରିଷଦ ଆନୁଷ୍ଠାନିକ ଭାବେ ଏକ ପ୍ରସ୍ତାବ ପାରିତ କରି ହିନ୍ଦୀ ଏବଂ ଇଂରାଜୀ ଉଭୟ ଭାଷାର ଦଲିଲରେ ଏହାକୁ ବାଧ୍ୟତାମୂଳକ କରିଛି ।

'ରାଜେଶକୁ ରାଜୁ ଡାକିବା ଭଳି': କୁଳପତିଙ୍କ ଦୃଢ଼ ଯୁକ୍ତି

ଅଖଣ୍ଡ ଭାରତ ଉପରେ ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ଏହି ପରିବର୍ତ୍ତନ କାହିଁକି ଜରୁରୀ ଥିଲା ? ଏହି ପ୍ରଶ୍ନର ଉତ୍ତରରେ କୁଳପତି ଏକ ଦୃଢ଼ ଯୁକ୍ତି ବାଢ଼ିଛନ୍ତି । ବର୍ମା କହିଛନ୍ତି, "ମୋ ନାମ ରାଜେଶ ବର୍ମା । ଯଦି ମୋ ପରିବାର ଲୋକ ମତେ 'ରାଜୁ' ବୋଲି ଡାକିବାକୁ ଲାଗିବେ, ତେବେ ମୁଁ ସେମାନଙ୍କୁ ପଚାରିବି ନାହିଁ ଯେ ସେମାନେ ଏମିତି କାହିଁକି କରୁଛନ୍ତି । ମୁଁ କେବଳ ଏତିକି କହୁଛି ଯେ ମୋର ପ୍ରକୃତ ନାମ ରାଜେଶ । ଏହି ଦେଶ ସମ୍ରାଟ ଭରତଙ୍କ ଭୂମି, ତେଣୁ ଏହାର ପ୍ରକୃତ ଓ ଅସଲି ନାମ କେବଳ 'ଭାରତ' ।"

ଏହା ବି ପଢ଼ନ୍ତୁ... Khan Sir: ଖାନ ସାର୍‌ଙ୍କୁ ବଡ଼ ଆଶ୍ୱସ୍ତି: ଜୁଲାଇ ୨୫ ଯାଏଁ ଗିରଫ କରିପାରିବନି ପୁଲିସ, କୋର୍ଟରେ ବଜାୟ ରହିଲା ସୁରକ୍ଷା ବଳୟ

ଏହିସବୁ ବିଶ୍ୱବିଦ୍ୟାଳୟରେ ଲାଗୁ ହେଉଛି ନିୟମ:

କେବଳ ମଧ୍ୟପ୍ରଦେଶ ନୁହେଁ, ବରଂ ଛତିଶଗଡ଼, ହରିୟାଣା, ରାଜସ୍ଥାନ, ଗୁଜରାଟ ଏବଂ ମହାରାଷ୍ଟ୍ର ଭଳି ବିଭିନ୍ନ ରାଜ୍ୟର ପ୍ରାୟ ୧୭ଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ଏହି ପଥ ଅନୁସରଣ କରିଛନ୍ତି । ଇନ୍ଦୋରର 'ଦେବୀ ଅହିଲ୍ୟା ବିଶ୍ୱବିଦ୍ୟାଳୟ' ଦାବି କରିଛି ଯେ, ଏହି ନୂତନ ବ୍ୟବସ୍ଥା ଲାଗୁ କରିବାରେ ସେ ଦେଶର ପ୍ରଥମ ଅନୁଷ୍ଠାନ । ଉଲ୍ଲେଖଯୋଗ୍ୟ ଯେ, ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ, 'ଭାରତ' ହେଉଛି ଏକ ପ୍ରପର ନାଉନ୍ ବା ସଂଜ୍ଞାବାଚକ ବିଶେଷ୍ୟ, ତେଣୁ ଏହାକୁ ଇଂରାଜୀରେ 'India' ବୋଲି ଅନୁବାଦ କରାଯିବା ଉଚିତ୍ ନୁହେଁ ।