ପୁରୀ, ୦୬/୧୧ : ମୂଷା ଖୋଳି ଗାତ କରି ଦେଲାଣି ମେଘନାଦ ପାଚେରି କଡ଼ରେ । ମେଘନାଦ ପାଚେରି ପାର୍ଶ୍ୱ ଦେଇ ୩୦ ବର୍ଷ ପୂର୍ବେ ଯେଉଁ ଡ୍ରେନ୍‌ କରାଯାଇଥିଲା ତାହାକୁ ପରେ ଶ୍ରୀମନ୍ଦିର ପ୍ରଶାସନ ମରାମତି କରୁଥିଲା । ଏହି ମରାମତିରେ ଇଟା, ବାଲି, ଗୋଡ଼ି ପ୍ରଭୃତି ବ୍ୟବହାର ହେଉଥିଲା । ଏହି ମୁକୁଳା ଡ୍ରେନ୍‌କୁ ପରେ ପ୍ରଶାସନ ପକ୍ଷରୁ କଂକ୍ରିଟ ଓ ଖଣ୍ଡୋଲାଇଟ୍‌ ପଥର ଢାଙ୍କୁଣି ଘୋଡ଼ାଇ ଦିଆଯାଇଥିଲା । ମାତ୍ର ଡ୍ରେନ୍‌କୁ ଆବଶ୍ୟକ ମରାମତି କରାନଯିବାରୁ କାଳକ୍ରମେ ଇଟାରୁ ପଲସ୍ତରା ନଷ୍ଟ ହୋଇଯାଇଛି । ଡ୍ରେନ୍‌ ଭିତରେ ମୂଷା ରହିବା ସହ ନଷ୍ଟ ହୋଇଥିବା ସ୍ଥାନକୁ ଅଧିକ ଖୋଳି ଦେଲାଣି । ଫଳରେ ପାଣି ମାଟି ଭେଦି ମେଘନାଦ ପାଚେରି ପଥର ଯୋଡ଼େଇକୁ ଦୁର୍ବଳ କରିଦେଲାଣି । 

ଡ୍ରେନ୍‌ ମରାମତିରେ ଅହେତୁକ ବିଳମ୍ବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଓ ଅନ୍ୟ ଅଧିକାରୀମାନେ ମତ ଦେଇଛନ୍ତି । ଯେହେତୁ ଏଏସ୍‌ଆଇ କେବଳ ଅତ୍ୟାଧୁନିକ ମରାମତି ସଂରକ୍ଷଣ କାମ କରୁଛି ଏବଂ ଶ୍ରୀମନ୍ଦିର ପ୍ରଶାସନ ଅନ୍ୟ ସିଭିଲ୍‌ ୱାର୍କ କରୁଛି ତେଣୁ ସମନ୍ୱୟ ରଖି ପ୍ରତ୍ୟେକ ବିଭାଗ ସେମାନଙ୍କ କାମ କରିବା କଥା । ମେଘନାଦ ପାଚେରି ପାଶ୍ୱର୍ରେ ପରିସ୍ରାଗାର, ହାତଧୁଆ ସ୍ଥାନ, ଥଣ୍ଡା ପାନୀୟଜଳ ବ୍ୟବସ୍ଥା ପ୍ରଭୃତି କରାଯିବା ସହ ବର୍ଜ୍ୟଜଳ ନିଷ୍କାସନ ଡ୍ରେନ୍‌ କରାଯାଇଛି । ଡ୍ରେନ୍‌ ପାଣି ଖଲାସ୍‌ ନିମନ୍ତେ ପିଭିସି ପାଇପ୍‌ ବିଛା ଗଲେ ଆଉ ପାଣି ମେଘନାଦ ପାଚେରିକୁ ଭିଜାନ୍ତା ନାହିଁ । ଅଗଷ୍ଟ ମାସରେ ମେଘନାଦ ପାଚେରି ସୁରକ୍ଷା ଦେବାକୁ ଶ୍ରୀମନ୍ଦିରକୁ ବାରମ୍ବାର ଚିଠି ଲେଖା ଯାଇଥିଲେ ହେଁ କାମ କରିବାରେ ବିଳମ୍ବ କରାଯାଉଛି ବୋଲି ଏଏସ୍‌ଆଇ ଅଧିକାରୀମାନେ ମତ ଦେଇଛନ୍ତି । ସେପଟେ ଶ୍ରୀମନ୍ଦିର ସିଂହଦ୍ୱାର ପାଶ୍ୱର୍ ମେଘନାଦ ପାଚେରି ବାହାରକୁ ଅନବରତ ପାଣି ଝରୁଥିବାରୁ ପୁଣି ଶିଉଳି ଲାଗିବାରୁ ମଙ୍ଗଳବାର ମଧ୍ୟ କିଛି ଶ୍ରମିକ ଶିଉଳି ଛଡ଼ାଉଥିବା ନଜର ଆସିଥିଲା । ଏହା କେବେ ମରାମତି ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ ସୂଚନା ଦେଇନାହିଁ ।