ନୂଆଦିଲ୍ଲୀ: ପ୍ରତିଷ୍ଠିତ ବ୍ୟବସାୟୀ ତଥା ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ରତନ ଟାଟାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ବା ଆଇସିୟୁରେ ଭର୍ତ୍ତି କରାଯାଇଛି । ଟାଟା ପରିବାର ସହ ଜଡିତ ସୂତ୍ରରୁ ରଏଟର୍ସ ଏହାର ଏକ ରିପୋର୍ଟରେ କହିଛି ଯେ ତାଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ୮୬ ବର୍ଷୀୟ ରତନ ଟାଟା ସୋମବାର ସୋସିଆଲ ମିଡିଆରେ କହିଥିଲେ ଯେ, ତାଙ୍କ ବୟସ ସମ୍ବନ୍ଧୀୟ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ ନିୟମିତ ଡାକ୍ତରୀ ଯାଞ୍ଚ କରୁଛନ୍ତି। କିନ୍ତୁ ଏବେ ଟାଟା ଗ୍ରୁପରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଆସିନାହିଁ।
ସୂଚନା ଅନୁଯାୟୀ, ଟାଟା ପରିବାରର ଜଣେ ଘନିଷ୍ଠ ବ୍ୟକ୍ତି କହିଛନ୍ତି ଯେ, ରତନ ଟାଟାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ତାଙ୍କ ଅସୁସ୍ଥତା ବିଷୟରେ ଆଉ କୌଣସି ଅଧିକ ସୂଚନା ଦେଇନାହାନ୍ତି । ଏହା ପୂର୍ବରୁ ସୋମବାର ଦିନ ରତନ ଟାଟା ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ତାଙ୍କ ମାନସିକ ସ୍ଥିତି ଭଲ ଅଛି ଏବଂ ଏଥିରେ ଚିନ୍ତା କରିବାର କିଛି ନାହିଁ।
ରତନ ଟାଟା ଦେଶର ଅନ୍ୟତମ ସମ୍ମାନିତ ଶିଳ୍ପପତି ଅଟନ୍ତି । ଦୁଇ ଦିନ ପୂର୍ବେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଟାଟା ଗ୍ରୁପ୍, ଭାରତୀୟ କର୍ପୋରେଟ୍ ଏବଂ ରାଜନୈତିକ ସର୍କଲ ତଥା ସାଧାରଣ ଜନତାଙ୍କ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କଳ୍ପନାଜଳ୍ପନା ତୀବ୍ର ହୋଇଥିଲା। ଯଦିଓ ପରେ ସେ ନିଜେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲେ । କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ ତାଙ୍କ ଅବସ୍ଥା ଗୁରୁତର ହୋଇଛି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।