୧୪୦ କୋଟି ଭାରତୀୟଙ୍କ ପାଇଁ ଆଜି ଶୋକର ଦିବସ । ଆଉ ନାହାନ୍ତି ଘରେ ଘରେ ପରିଚିତ ଟାଟା ବ୍ରାଣ୍ଡ୍ର ମଙ୍ଗୁଆଳ ରତନ ଟାଟା, ଯିଏକି ବ୍ୟବସାୟ ସହିତ ଲୋକଙ୍କ ଦୁଃଖ ବି ବୁଝୁଥଲେ । ସେମାନଙ୍କ ପାଇଁ ସହାୟତାର ହାତ ବଢ଼ାଉଥିଲେ । ଟାଟାକୁ ଗ୍ଲୋବାଲ ବ୍ରାଣ୍ଡ ଭାବେ ଗଢ଼ି ତୋଳିଥିବା ରତନ ଦୁନିଆରୁ ବିଦାୟ ନେଇଛନ୍ତି । ସେ ଚାଲିଯାଇଛନ୍ତି କିନ୍ତୁ ଛାଡ଼ିଯାଇଛନ୍ତି ଅନେକ ସଫଳତା ଆଉ ଉପଲବ୍ଧି । ଭାରତର ‘ରତ୍ନ’ ରତନ ଟାଟାଙ୍କ ଉଦାରତା ସବୁବେଳେ ମନେ ପଡ଼ିବ । ଖାଲି ଦେଶ ମଧ୍ୟରେ ସୀମିତ ନ ଥିଲା ତାଙ୍କର ଚମକ । ବିଶ୍ୱର କୋଣ ଅନୁକୋଣରେ ନିଜ ବ୍ୟକ୍ତିତ୍ୱର ଛାପ ଛାଡ଼ିଛନ୍ତି ସେ । ଏହି ମହାନ ବିଜ୍ନେସ୍ ଟାଇକୁନ୍ ତଥା ଭାରତକୁ ବିଶ୍ୱ ବଜାରରେ ପହଞ୍ଚାଇଥିବା ଜଣେ ପ୍ରକୃତ ଶିଳ୍ପ ଲିଡରଙ୍କୁ ଶ୍ରଦ୍ଧାଞ୍ଜଳି...
ପୋଷା କୁକୁର ଆଗରେ ପୁରସ୍କାର ତୁଚ୍ଛ
୨୦୧୮ ମସିହାର ଘଟଣା । ସମାଜସେବା ପାଇଁ ଚର୍ଚ୍ଚାରେ ଥିବା ରତନ ଟାଟାଙ୍କୁ ସମ୍ମାନିତ କରିବାକୁ ମନସ୍ଥ କରିଥିଲେ ବ୍ରିଟେନର କିଙ୍ଗ ଚାର୍ଲସ-୩ (ସେ ସମୟର ପ୍ରିନ୍ସ ଚାର୍ଲସ) । ବ୍ରିଟିଶ ଏସିଆନ ଟ୍ରଷ୍ଟ ଦ୍ୱାରା ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ ସକାଶେ ନିଷ୍ପତ୍ତି ହୋଇଥିଲା । ୨୦୧୮ ମସିହା ଫେବ୍ରୁଆରୀ ୬ ତାରିଖରେ ବକିଙ୍ଗହାମ୍ ପାଲେସରେ ରତନଙ୍କୁ ସ୍ୱାଗତ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବ୍ୟକ୍ତିଗତ କାରଣ ଦର୍ଶାଇ ରତନ ତାଙ୍କ ବ୍ରିଟେନ ଗସ୍ତ ବାତିଲ କରିଦେଇଥିଲେ । ରତନ ବ୍ରିଟେନରେ ପୁରସ୍କାର ଉତ୍ସବରେ ଯୋଗ ଦେବାକୁ ପ୍ରସ୍ତୁତ ଥିବା ସ୍ତମ୍ଭକାର ତଥା ଉଦ୍ୟୋଗପତି ସୁହେଲ ସେଠଙ୍କୁ ଫୋନ୍ କରି ଏହି କାରଣ କହିଥିଲେ । ଟାଟାଙ୍କର ଟାଙ୍ଗୋ ଓ ଟିଟୋ ନାମରେ ତୁଇଟି କୁକୁର ଥିଲା । ସେମାନଙ୍କ ମଧ୍ୟରୁ ଗୋଟିଏ କୁକୁର ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ଚିନ୍ତିତ ରତନ ବ୍ରିଟେନ ଗସ୍ତ ବାତିଲ କରିଥିଲେ । ପୋଷା କୁକୁର ପାଇଁ ପୁରସ୍କାରକୁ ଆଡ଼େଇ ଦେବା ନିଷ୍ପତ୍ତିରେ ଅନେକ ବିସ୍ମିତ ହୋଇଥିଲେ ମଧ୍ୟ ଚାର୍ଲସ ରତନଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ଏହାହିଁ ତାଙ୍କର ସ୍ୱତନ୍ତ୍ର ଗୁଣ । ଖାସ୍ ଏଥିପାଇଁ ଟାଟା ହାଉସ ଆଜି ସର୍ବୋଚ୍ଚ ସ୍ଥାନରେ ।
ସଉକ୍ ଥିଲା ପିଆନୋ, ବିମାନ ଉଡ଼ାଣ
ରତନ ଟାଟା ଅତି ସାଧାରଣ ଜୀବନ ଜିଉଁଥିଲେ କିନ୍ତୁ ତାଙ୍କୁ ଅନେକ ଜିନିଷର ସଉକ୍ ଥିଲା । କାର୍ରୁ ଆରମ୍ଭ କରି ପିଆନୋ ବଜାଇବା ପର୍ଯ୍ୟନ୍ତ ତାଙ୍କ ରୁଚି ରହିଥିଲା । ଏହାସହିତ ବିମାନ ଉଡ଼ାଣ ବି ତାଙ୍କ ଫେବ୍ରେଟ୍ ତାଲିକାରେ ସବୁଠୁ ଉପରେ ଥିଲା । ଟାଟା ସନ୍ସରୁ ଅବସର ପରେ ରତନ ଟାଟା କହିଥିଲେ ଯେ, ଏବେ ନିଜ ବାକି ଜୀବନରେ ନିଜର ସଉକ ପୂରଣ କରିବାକୁ ଚାହାନ୍ତି ।
ଷ୍ଟାର୍ଟଅପ୍ଗୁଡ଼ିକର ଗଡ୍ଫାଦର
ଦେଶରେ ଷ୍ଟାର୍ଟଅପ୍ଗୁଡ଼ିକର ଗଡ୍ଫାଦର ଭାବେ ଜଣା ରତନ ଟାଟା । ସେ ଆଇୱେର୍ ରିଟେଲର ଲେନ୍ସକାର୍ଟ, ଡିଜିଟାଲ ପେମେଣ୍ଟ ବ୍ରାଣ୍ଡ ପେଟିଏମ୍, ଇଲେକ୍ଟ୍ରିକ୍ ଭେଇକିଲ ଷ୍ଟାର୍ଟଅପ୍ ଓଲା ଇଲେକ୍ଟ୍ରିକ୍ ମୋବିଲିଟି, ଅନ୍ଲାଇନ୍ ଷ୍ଟକ୍ ଟ୍ରେଡିଂ ପ୍ଲାଟ୍ଫର୍ମ ଅପ୍ଷ୍ଟକ୍ସ, ବିଗ୍ବାସ୍କେଟ୍ ସମେତ ୫୦ରୁ ଊଦ୍ଧ୍ୱର୍ ଷ୍ଟାର୍ଟଅପ୍ରେ ନିବେଶ କରିଛନ୍ତି ।
ପଦ୍ମ ସମ୍ମାନ
ଶିଳ୍ପକୁ ମହତ୍ ଯୋଗଦାନ ପାଇଁ ୨୦୦୦ ମସିହାରେ ରତନ ଟାଟାଙ୍କୁ ମିଳିଥିଲା ପଦ୍ମଭୂଷଣ ସମ୍ମାନ । ୨୦୧୮ରେ ପଦ୍ମ ବିଭୂଷଣ । ଭାରତ ଏବଂ ଭାରତ ବାହାରେ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଡକ୍ଟୋରେଟ୍ ହାସଲ କରିଛନ୍ତି ସେ ।
ଦାନ ପ୍ରତି ଅଙ୍ଗୀକାରବଦ୍ଧ
ଖାଲି ଲାଭ ନୁହେଁ ଲାଭଠାରୁ ବାହାରେ ଥିଲା ରତନ ଟାଟାଙ୍କ ଦୂରଦୃଷ୍ଟି । ସାମାଜିକ ଦାୟିତ୍ୱ ଏବଂ ନିରନ୍ତରତା ନେଇ ସେ ଥିଲେ ଅଙ୍ଗୀକାରବଦ୍ଧ । ୨୦୨୧ରେ ଆଇଆଇଏଫ୍ଏଲ୍ ୱେଲ୍ଥ ହୁରୁନ୍ ଇଣ୍ଡିଆ ଧନୀ ତାଲିକାରେ ସେ ୪୩୩ ନମ୍ବରରେ ଥିଲେ । ଏହାର କାରଣ ହେଉଛି ଅତି ମାତ୍ରାରେ ଆୟକୁ ଦାନ ଆକାରରେ ପ୍ରଦାନ କରୁଥିଲେ ସେ । ତାଙ୍କ ଫାଉଣ୍ଡେସନ ଟାଟା ଟ୍ରଷ୍ଟ ଭାରତର ଅନ୍ୟତମ ବୃହତ୍ ଦାତବ୍ୟ ସଂସ୍ଥା । ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି, ସ୍ୱାସ୍ଥ୍ୟସେବା, ଶିକ୍ଷା, ଗ୍ରାମୀଣ ବିକାଶ ଏବଂ ନିରନ୍ତର ଜୀବନଶୈଳୀ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପକୁ ସହାୟତା ଲାଗି ଏହି ସଂସ୍ଥା ଟେକ୍ନୋଲୋଜି ସେଣ୍ଟରମାନ ସ୍ଥାପନ କରିଛି । କରୋନା ମହାମାରୀ ବେଳେ ସେ ୫୦୦ କୋଟି ଟଙ୍କା ଦାନ କରିଥିଲେ । ନିଜ ଆଲ୍ମା ମାଟର ହାର୍ଭାର୍ଡ ବିଜ୍ନେସ୍ ସ୍କୁଲ୍କୁ ଏକ ଏକ୍ଜିକ୍ୟୁଟିଭ୍ ସେଣ୍ଟର ନିର୍ମାଣ କରିବାକୁ ଦେଇଥିଲେ ୫ କୋଟି ଡଲାର । ଟାଟା ଟ୍ରଷ୍ଟ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏବଂ ବିଭିନ୍ନ ଆଇଆଇଆଇଏମ୍ କ୍ୟାମ୍ପସଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛି । ମୁମ୍ବାଇରେ ୨୬/୧୧ ହମ୍ଲା ପରେ ରତନ ଟାଟା ‘ତାଜ୍ ପବ୍ଲିକ୍ ସର୍ଭିସ୍ ୱେଲ୍ଫେୟାର୍ ଟ୍ରଷ୍ଟ’ ଗଠନ କରିଥିଲେ, ଯାହା ପ୍ରଭାବିତ ବ୍ୟକ୍ତିବିଶେଷ ଏବଂ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରିଥିଲା ।
ବିବାଦମୁକ୍ତ ମଣିଷ
ଦେଶରେ ମାତ୍ର କେତେ ଜଣ ଉଦ୍ୟୋଗୀ ଥିବେ ଯେଉଁମାନେ ଦେଶ ପାଇଁ ବଞ୍ଚୁଥିବେ ନିଜ ପାଇଁ ନୁହେଁ । ଦେଶ ତଥା ଦେଶବାସୀଙ୍କ ଉନ୍ନତି ଓ ଅଗ୍ରଗତି ପାଇଁ ଯୋଗଦାନ ଦେଉଥିବେ । ଦେଶବାସୀଙ୍କୁ ନିମ୍ନ ସ୍ତରରୁ ଉଠାଇ ସମାଜର ମୁଖ୍ୟସ୍ରୋତରେ ନେବା ପାଇଁ ଆଗତୁର ଥିବେ । ସେହିଭଳି ଜଣେ ଉଦ୍ୟୋଗପତି ଥିଲେ ରତନ ଟାଟା । ତାଙ୍କର ସଫଳତାର କାହାଣୀ ଭାରତୀୟ ଅର୍ଥନୀତିରେ ସ୍ପଷ୍ଟ ଦୃଶ୍ୟମାନ । ଅତି ଲାଜକୁଳା ସ୍ୱଭାବର ଥିବା ସେହି ପିଲାଟି ଯେ ଭବିଷ୍ୟତରେ ଟାଟାକୁ ଏକ ଗ୍ଲୋବାଲ ବ୍ରାଣ୍ଡ ଭାବେ ଗଢ଼ି ତୋଳିବ ତାହା କାହାକୁ ଜଣା ନ ଥିଲା । ଦୁଇ ଦଶନ୍ଧି ଧରି ଟାଟା ଗ୍ରୁପ୍ର ଅଧ୍ୟକ୍ଷ ପଦରେ ରହି ସେ ଦେଶର ଅର୍ଥନୀତିରେ ବଡ଼ ମୂଲ୍ୟ ଯୋଡ଼ିଥିଲେ । ଭାରତରେ କୋଣ ଅନୁକୋଣରେ ଟାଟାର ସେବା ଆଉ ସାମଗ୍ରୀ । ଲୁଣଠାରୁ ଆରମ୍ଭ କରି ବିମାନ ସେବା ପର୍ଯ୍ୟନ୍ତ ସବୁଥିରେ ଟାଟା । ଆଉ ଏହା ପଛରେ ଯାହାର ବୁଦ୍ଧି ସେ ଥିଲେ ରତନ ଟାଟା । ବିବାଦ କେବେ ବି ତାଙ୍କ ରାସ୍ତାରେ ଆସି ନ ଥିଲା । ବ୍ୟବସାୟ ଚତୁରତା, ଦୂରଦୃଷ୍ଟି ଏବଂ ନିଜର ମଜଭୂତ କାର୍ଯ୍ୟ ନୀତିରୁ ସେ ନିଜ ପାରିବାରିକ ବ୍ୟବସାୟକୁ ଏକ ଅନ୍ତରାଷ୍ଟ୍ରୀୟ ସାମ୍ରାଜ୍ୟରେ ରୂପାନ୍ତର କରିଥିଲେ । ତାଙ୍କ କାର୍ଯ୍ୟକାଳରେ ଟାଟା ଗ୍ରୁପ୍ର ରାଜସ୍ୱ ହୋଇଥିଲା ବହୁଗୁଣା ।
ରତନ-ସିମି ପ୍ରେମ କାହାଣୀ
ଆଜୀବନ ଅବିବାହିତ ରତନ ଟାଟାଙ୍କ ପ୍ରେମ କାହାଣୀ ମଧ୍ୟ ଅନେକ ସମୟରେ ଉଦ୍ୟୋଗ ଜଗତରେ ଚର୍ଚ୍ଚାର ବିଷୟ ହୋଇ ରହିଛି । ସେ ନିଜେ ବିଭିନ୍ନ ସମୟରେ ସାକ୍ଷାତକାରରେ ତାଙ୍କ ପ୍ରେମ କାହାଣୀ କହିଛନ୍ତି । ଅନେକ ଥର ବିବାହ ସ୍ଥିର ହୋଇଥିବା ବେଳେ ଭିନ୍ନ ଭିନ୍ନ କାରଣରୁ ଅଟକି ଯାଇଛି । ସିନେ ଅଭିନେତ୍ରୀ ତଥା ଟିଭି ହୋଷ୍ଟ୍ ସିମି ଗରୋୱାଲଙ୍କ ସହ ରତନଙ୍କ ପ୍ରେମ ଏକଦା ସମସ୍ତଙ୍କ ନଜରକୁ ଆସିଥିଲା । ଏପରିକି ବିବାହ ପାଇଁ ପ୍ରସ୍ତୁତି ବି ହୋଇଥିଲା । କିନ୍ତୁ କୌଣସି ଅଜଣା କାରଣରୁ ତାହା ଅଟକି ଯାଇଥିଲା । ସିମି ମଧ୍ୟ ସର୍ବଦା ରତନଙ୍କ ପ୍ରଶଂସାରେ ଶତମୁଖ ଥିଲେ । ବୁଧବାର ରତନଙ୍କର ପରଲୋକ ଖବର ପାଇ ସିମି ଏକ ଆବେଗଭରା ଶୋକବାର୍ତ୍ତା ଲେଖିଛନ୍ତି...’ସେମାନେ କହୁଛନ୍ତି ତୁମେ ଚାଲିଗଲ..ଏହା ବିଶ୍ୱାସ କରିବା ଅତ୍ୟନ୍ତ କଷ୍ଟ...ଅତୀବ କଷ୍ଟକର..ବିଦାୟ ବନ୍ଧୁ’ ।
ଲକ୍ଷେ ଟଙ୍କିଆ କାର୍
ଲକ୍ଷେ ଟଙ୍କିଆ କାର୍ କଥା କହିଲେ ରତନ ଟାଟାଙ୍କ କଥା ମନେପଡେ । ଦିନେ ମୁମ୍ବାଇରେ ଜୋରରେ ବର୍ଷା ହେଉଥିବା ସମୟରେ ସେ ବାହାରେ ବୁଲୁଥିଲେ । ଏକ ୨ ଚକିଆ ଯାନରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଭିଜି ଭିଜି ଯାଉଥିବାର ସେ ଦେଖିଥିଲେ । ଏଭଳି ଦୃଶ୍ୟ ତାଙ୍କୁ ଟାଟା ନାନୋ ନିର୍ମାଣ ପାଇଁ ପ୍ରେରଣା ଦେଇଥିଲା । ସେ ଇଞ୍ଜିନିୟର ମାନଙ୍କୁ ଡାକି ୧ ଲକ୍ଷ ଟଙ୍କାରେ ଏକ କାର୍ ବନାଇବା ଲାଗି କହିଥିଲେ । ମଧ୍ୟବିତ୍ତ ପରିବାର ଗୁଡିକୁ ଧ୍ୟାନରେ ରଖି ୨୦୦୮ରେ ବଜାରକୁ ଆସିଥିଲା ଟାଟା ନାନୋ ।
ଭାରତ-ଚୀନ୍ ଯୁଦ୍ଧ ପାଇଁ ବିବାହ ଅଟକିଲା
୧୯୬୨ ମସିହାର କଥା । ଲସ୍ ଏଞ୍ଜେଲସରେ ଥିବା ବେଳେ ଜଣେ ବିଦେଶିନୀଙ୍କ ସହ ରତନଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ବିବାହ ପାଇଁ ଦିନ ସ୍ଥିର ହୋଇ ଯାଇଥିଲା । କିନ୍ତୁ ଅଚାନକ ଭାରତ-ଚୀନ୍ ଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା । ତେଣୁ ତରୁଣୀଙ୍କ ପିତାମାତା ତାଙ୍କୁ ଭାରତ ଛାଡ଼ି ନଥିଲେ । ରତନଙ୍କ ବାହାଘର ଅଟକି ଯାଇଥିଲା । ବାଧ୍ୟହୋଇ ରତନ ତରୁଣୀଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିଥିଲେ ।
ହାଣ୍ଡିଶାଳରୁ ଆକାଶ ପର୍ଯ୍ୟନ୍ତ ଲମ୍ବାଇଥିଲେ ସାମ୍ରାଜ୍ୟ
ରତନ ଟାଟା ଏଭଳି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କ ଭଳି ହେବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ବ୍ୟବସାୟରେ ବଡ଼ ନାଁ ସହିତ ଜଣେ ଦାନବୀର ଭାବେ ସେ ପାଇଛନ୍ତି ପରିଚୟ । ଟାଟା ଷ୍ଟିଲ୍ ଜରିଆରେ ସେ ବ୍ୟବସାୟରେ ପାଦ ରଖିଲେ । ଆରମ୍ଭରେ ଜଣେ କର୍ମଚାରୀ ଭାବେ ସେ ଏଥିରେ ଯୋଗ ଦେଇଥିଲେ ଏବଂ ଜାମସେଦପୁର ପ୍ଲାଣ୍ଟରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କଲେ ଏବଂ ବ୍ୟବସାୟକୁ ଆମୂଳଚୂଳ ଜାଣିଲେ । ଟାଟା ଗ୍ରୁପ୍କୁ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଗଢ଼ିବାରେ ରତନ ଟାଟାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଲୁଣଠାରୁ ଆରମ୍ଭ କରି ଅନ୍ୟାନ୍ୟ ଏଫ୍ଏମ୍ସିଜି ପ୍ରଡକ୍ଟ, ସଫ୍ଟୱେର୍, କାର୍, ହୋଟେଲ, କେମିକାଲ, ଇସ୍ପାତ ଏବଂ ବିମାନ ପର୍ଯ୍ୟନ୍ତ ବ୍ୟବସାୟର ଚେର ଲମ୍ବାଇ ସେ ଟ । ଟ । ଗ୍ରୁପ୍କୁ ଏକ ବିଶାଳ ଅଗ୍ରଦୂମ ଭାବେ ଛିଡ଼ା କରିଯାଇଛନ୍ତି ।
ସାଧାରଣ କର୍ମଚାରୀରୁ ବ୍ରାଣ୍ଡ୍
ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଜନ୍ମ ୧୯୩୭ ଡିସେମ୍ବର ୨୮ରେ ହୋଇଥିଲା । ସେ ୧୯୯୧ରୁ ୨୦୧୨ ପର୍ଯ୍ୟନ୍ତ ଟାଟା ଗ୍ରୁପ୍ ଅଧ୍ୟକ୍ଷ ରହିଥିଲେ ଏବଂ ଏହି ସମୟରେ ସେ ବ୍ୟବସାୟ କ୍ଷେତ୍ରରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଥିଲେ । ଦେଶର ସବୁଠୁ ପୁରୁଣା ବ୍ୟବସାୟୀ ପରିବାର ମଧ୍ୟରୁ ଅନ୍ୟତମ ଟାଟା ଗ୍ରୁପ୍କୁ ଶିଖର ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ସେ ଟାଟା ଗ୍ରୁପ୍କୁ ଉଚ୍ଚ ସୋପାନରେ ପହଞ୍ଚାଇବା ସହିତ ଜଣେ ଦୟାବାନ ବ୍ୟକ୍ତି ଭାବେ ଅନେକଙ୍କ ପ୍ରିୟ ବନିଥିଲେ । ବ୍ୟବସାୟ କ୍ଷେତ୍ରରେ ସେ ଅନେକ ଲୋକଙ୍କ ପାଇଁ ସାଜିଥିଲେ ପ୍ରେରଣା । ଏହି କାରଣରୁ ଦେଶର ଛୋଟବଡ଼ ବ୍ୟବସାୟୀ ଏବଂ ଶିଳ୍ପପତି ତାଙ୍କୁ ଆଜି ବି ନିଜ ଆଦର୍ଶ ମାନନ୍ତି । ନଭଲ ଟାଟା ଏବଂ ସୁନି ଟାଟାଙ୍କ ଘରେ ଜନ୍ମ ନେଇଥିଲେ ରତନ ଟାଟା । ପିଲାଦିନେ ପିତାମାତା ଅଲଗା ହୋଇଯିବା ପରେ ତାଙ୍କୁ ତାଙ୍କ ଜେଜେମାଆ ଲାଳନପାଳନ କରିଥିଲେ । ପ୍ରାରମ୍ଭିକ ପାଠପଢ଼ା ପରେ ୧୯୫୯ରେ ରତନ ଟାଟା ଆର୍କିଟେକ୍ଚର ଓ ଷ୍ଟ୍ରକଚରାଲ ଇଞ୍ଜିନିୟରିଂରେ ପାଠ ପଢ଼ିଥିଲେ ଏବଂ କର୍ଣ୍ଣେଲ ୟୁନିଭର୍ସିଟିରେ ପଢ଼ିବାକୁ ଆମେରିକା ଚାଲିଯାଇଥିଲେ । ଏହାପରେ ୧୯୬୨ରେ ସେ ସ୍ୱଦେଶ ଫେରିଥିଲେ । ସେ ଟାଟା ଷ୍ଟିଲ୍ ଜରିଆରେ ବ୍ୟବସାୟ କ୍ଷେତ୍ରରେ ସାମିଲ ହୋଇଥିଲେ । ତେବେ ପ୍ରଥମେ ସେ ଜଣେ କର୍ମଚାରୀ ହିସାବରେ କ୍ୟାରିୟର ଆରମ୍ଭ କରିଥିଲେ । ଆସିଷ୍ଟାଣ୍ଟ ସାଜି ନିଜ ଦାୟିତ୍ୱ ତୁଲାଇବା ସହ ପ୍ରତିଟି କାମ ଶିଖିବାକୁ ଆଗ୍ରହ ଦେଖାଇଥିଲେ । ରତନ ଟାଟା ୨୧ ବର୍ଷ ବୟସରେ ଅର୍ଥାତ୍ ୧୯୯୧ରେ ଅଟୋଠାରୁ ଆରମ୍ଭ କରି ଇସ୍ପାତ ଶିଳ୍ପ ପର୍ଯ୍ୟନ୍ତ ଲମ୍ବିଥିବା ଟାଟା ଗ୍ରୁପ୍ର ଅଧ୍ୟକ୍ଷ ହୋଇଥିଲେ । ଅଧ୍ୟକ୍ଷ ହେବା ପରେ ସେ ଟାଟା ଗ୍ରୁପ୍କୁ ଏକ ନୂଆ ଉଚ୍ଚତାରେ ନେଇ ପହଞ୍ଚାଇଥିଲେ । ୨୦୧୨ ପର୍ଯ୍ୟନ୍ତ ଏହି ଗ୍ରୁପ୍ର ନେତୃତ୍ୱ ନେଇଥିଲେ । ଯାହାର ସ୍ଥାପନା ତାଙ୍କ ଅଣଜେଜେ ଜାମସେତଜୀ ଟାଟା ଶତାବ୍ଦୀ ତଳେ କରିଥିଲେ । ୧୯୯୬ରେ ରତନ ଟାଟା ଟେଲିକମ୍ କ୍ଷେତ୍ରରେ ପ୍ରବେଶ କରି ଟାଟା ଟେଲିସର୍ଭିସେସ୍ ପ୍ରତିଷ୍ଠା କରିଥିଲେ । ଭାରତ ସରକାର ରତନ ଟାଟାଙ୍କୁ ୨୦୦୦ରେ ପଦ୍ମଭୂଷଣ ଏବଂ ୨୦୦୮ରେ ପଦ୍ମବିଭୂଷଣ ଦ୍ୱାରା ସମ୍ମାନିତ କରିଥିଲେ । ଏହିଭଳି ଭାବେ ଟାଟାରେ ଜଣେ ସାଧାରଣ କର୍ମଚାରୀରୁ କ୍ୟାରିୟର ଆରମ୍ଭ କରି ଶେଷରେ ବ୍ରାଣ୍ଡ୍ ବନିଯାଇଥିଲେ ।