ମୁମ୍ବାଇ ୧୮/୧୦: ମୁମ୍ବାଇ ସ୍ଥିତ କଳାକାର ଶୈଳେଶ ଆଚରେକର ଦିବଂଗତ ଉଦ୍ୟୋଗପତି ରତନ ଟାଟାଙ୍କର ଏକ ଚିତ୍ର ପ୍ରସ୍ତୁତ କରିଥିଲେ । ୧୨ ହଜାର ବଡ଼ ଓ ଛୋଟ ହୀରାରେ ପ୍ରସ୍ତୁତ ଏହି ଚିତ୍ରକୁ ସେ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରତନ ଟାଟାଙ୍କ ଦେହାନ୍ତ ପରେ ଦୁଃଖିତ ଶୈଳେଶ ଦାନ ଉଦ୍ଦେଶ୍ୟରେ ଏହି ସୁନ୍ଦର କୃତିକୁ ନିଲାମ କରିବେ । ଉଭୟ ଶୈଳଶ ଓ ରତନଙ୍କ ଜନ୍ମଦିନ ଗୋଟିଏ ଦିନରେ ପଡୁଛି । ଆସନ୍ତା ଡିସେମ୍ବର ୨୮ ତାରିଖ ରତନଙ୍କ ଜନ୍ମଦିନ ଅବସରରେ ଶୈଳେଶ ବ୍ୟକ୍ତିଗତ ଭାବେ ଏହି ଚିତ୍ରକୁ ତାଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଚାହୁଁଥିଲେ । 

ଶୈଳେଶ କହିଛନ୍ତି ‘ମୁଁ ସ୍ୱତନ୍ତ୍ର ଭାବେ ଏହି ଚିତ୍ରକୁ ରତନ ଟାଟା ସାର୍‌ଙ୍କ ପାଇଁ ପ୍ରସ୍ତୁତ କରିଥିଲି । ତାଙ୍କର ଆଗାମି ଜନ୍ମଦିନ ଅବସରରେ ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇ ଏହି ଉପହାର ତାଙ୍କୁ ଦେବାକୁ ଆଶା କରିଥିଲି । କିନ୍ତୁ ଚଳିତ ମାସ ୯ ତାରିଖରେ ତାଙ୍କ ଦେହାନ୍ତ ଯୋଗୁ ମୋ ସ୍ୱପ୍ନ ଅଧୁରା ରହିଗଲା ।’ ଚଳିତ ବର୍ଷ ଆରମ୍ଭରେ ରତନଙ୍କ ସମ୍ମାନରେ କିଛି ସ୍ୱତନ୍ତ୍ର କରିବା ବିଚାର ନେଇ ଶୈଳେଶ ତାଙ୍କର ଏକ ହୀରା ଚିତ୍ରକଳା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଚିତ୍ର ପ୍ରସ୍ତୁତି ଲାଗି ସେ ଦୀର୍ଘ ୬ ମାସ କଠିନ ପରିଶ୍ରମ କରିଥିଲେ । ଶୈଳେଶ କହିଛନ୍ତି ‘ଦୁର୍ଭାଗ୍ୟବଶତଃ ରତନ ଟାଟା ଆମ ସହ ନାହାନ୍ତି । କିନ୍ତୁ ତାଙ୍କର ମହାନ ବିଚାରକୁ ସମ୍ମାନ ଦେବାକୁ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହି ଚିତ୍ରକଳାର ନିଲାମ ପାଇଁ ଆମେ ନିଷ୍ପତ୍ତି ନେଇଛୁ । କୁକୁରଙ୍କ କଲ୍ୟାଣ ଭଳି ରତନଙ୍କ ପ୍ରିୟ କିଛି ଦାତବ୍ୟ କାର୍ଯ୍ୟରେ ନିଲାମ ଅର୍ଥ ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।